Advertisment

ଦୋଳି ଖେଳିଲେ ନିଷ୍କ୍ରିୟ କୋଷଗୁଡିକ ସକ୍ରିୟ ହୋଇଉଠନ୍ତି

ଓଡ଼ିଶାର ପ୍ରାଚୀନ ଲୋକକଥା ଅନୁସାରେ ଯଦି କେହି ରଜରେ ଦୋଳି ନ ଖେଳନ୍ତି ତା’ ହେଲେ ସେ ପରଜନ୍ମରେ କାଠ ବେଙ୍ଗ ହୋଇ ଜନ୍ମ ନିଅନ୍ତି। ତେଣୁ କୁମାରୀ ଝିଅଙ୍କଠାରୁ ଆରମ୍ଭ କରି ସମସ୍ତେ ଏହି ସମୟରେ ଦୋଳି ଖେଳର ମଜା ନେଇଥାନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Science behind Raja Doli

Science behind Raja Doli

ପର୍ବର ପରମ୍ପରାରେ ବନ୍ଧା ଓଡିଶା। ୧୨ ମାସର ୧୩ ପର୍ବ ମଧ୍ୟରେ ରଜ ଅନ୍ୟତମ। ରଜ ପର୍ବ କଥା ଉଠିଲେ ଆପେ ଆପେ ମନକୁ ଆସିଯାଏ ଅତୀତର ସେହି ଗାଁର ଗହଳିଆ ଆମ୍ବତୋଟା ଆଉ ବଡ଼ ବଡ଼ ଗଛରେ ଲଗାଯାଉଥିବା ଦୋଳି କଥା।

Advertisment

ଓଡ଼ିଶାର ପ୍ରାଚୀନ ଲୋକକଥା ଅନୁସାରେ ଯଦି କେହି ରଜରେ ଦୋଳି ନ ଖେଳନ୍ତି ତା’ ହେଲେ ସେ ପରଜନ୍ମରେ କାଠ ବେଙ୍ଗ ହୋଇ ଜନ୍ମ ନିଅନ୍ତି। ତେଣୁ କୁମାରୀ ଝିଅଙ୍କଠାରୁ ଆରମ୍ଭ କରି ସମସ୍ତେ ଏହି ସମୟରେ ଦୋଳି ଖେଳର ମଜା ନେଇଥାନ୍ତି।

ଖାଲି ଆମ୍ବ ନୁହେଁ ତେନ୍ତୁଳି, ନିମ୍ବ, ବର ପ୍ରଭୃତି ଗଛରେ ମଧ୍ୟ ଦୋଳି ବନ୍ଧାଯାଇଥାଏ। ଛୋଟ ପିଲାମାନଙ୍କ ପାଇଁ ଘରର ବାରଣ୍ଡାରେ ଥିବା ଦୁଇଟି ଖୁଣ୍ଟ ମଧ୍ୟରେ କିମ୍ବା ଦ୍ୱାରବନ୍ଧରେ ଦୋଳି ବନ୍ଧାଯାଏ। ରଜ ୪ ଦିନ ଭୋରୁ ସକାଳୁ ଉଠି ହଳଦୀ ଲଗାଇ ଗାଧୋଇ ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ ଓ ବେଶଭୂଷା ହୋଇ କୁମାରୀ ଝିଅମାନେ ପହଞ୍ଚିଯାନ୍ତି ଦୋଳି ପାଖରେ।

Advertisment

ବିଭିନ୍ନ ପ୍ରକାର ଦୋଳି:

ଗାଁରେ ଥିବା ସବୁଠୁ ବଡ଼ ବଗିଚାରେ ଦୋଳି ବନ୍ଧାଯାଏ। ସେଠି ହସଖୁସିରେ ଝିଅମାନେ ପରସ୍ପରକୁ ଝୁଲାଇଥାନ୍ତି। କିଛି ସ୍ଥାନରେ ଝିଅମାନଙ୍କୁ ଗାଁର ପୁଅମାନେ ମଧ୍ୟ ଝୁଲାଇବାର କାମ କରିଥାନ୍ତି। ଏହି ଦୋଳି ବିଭିନ୍ନ ପ୍ରକାରର ହୋଇଥାଏ। ଯେମିତିକି ଦଉଡ଼ି-ପଟା ଦୋଳି, ଚକ୍ରି ଦୋଳି, ବାଉଁଶ ଦୋଳି, ଟାୟାର ଦୋଳି ଇତ୍ୟାଦି।

ଦଉଡ଼ି ଦୋଳିରେ ଦୁଇଟି ରଶିକୁ ଗଛର ଦୁଇ ପାଖରେ ଶକ୍ତ କରି ବନ୍ଧାଯାଏ। ମଝିରେ ଖଣ୍ଡେ ପଟା ବ୍ୟବହାର କରାଯାଏ। ସେହିପରି ବାଉଁଶ ଦୋଳିରେ ଗୋଟି ଶକ୍ତ ଲମ୍ବା ବାଉଁଶକୁ ଅଧାଯାଏ ଚିରାଯାଏ। ଏହାର ଅଗ ଭାଗକୁ ଗଛରେ ବନ୍ଧା ଯାଏ ଏ‍ବଂ ଚିରା ହୋଇଥିବା ପାଖ ତଳକୁ ରହେ। ଦୁଇ ପାଖେ କଣା କରାଯାଇ ଏକ ପଟା ବା ଏକ ଶକ୍ତ ମୋଟା ଗୋଟାଳିଆ ବାଉଁଶ ବନ୍ଧାଯାଏ। ସେହିପରି ଟାୟାର ଦୋଳି ପାଇଁ କେତେକ ସାଇକେଲ୍ ଟାୟାରକୁ ଛନ୍ଧା ଛନ୍ଦି କରି ଗଛରେ ଓହଳା ଯାଏ।

ଏହିସବୁ ଦୋଳିକୁ ଏକାଧିକ ଝିଅମାନେ ସାଙ୍ଗ ହୋଇ ଖେଳିଥାନ୍ତି। ଚକ୍ରି ଦୋଳିରେ ଦୁଇଟି ଦଉଡ଼ିକୁ ଚକ୍ରାକାରରେ ବନ୍ଧାଯାଇଥାଏ। ଦୋଳି ଖେଳିବାରେ ଅଭିଜ୍ଞ ଥିବା ଝିଅମାନେ ଏହି ଦୋଳି ଖେଳନ୍ତି। ଏହି ଦୋଳି ପୁଣି ଅନେକ ସ୍ଥାନରେ ସମ୍ମାନର ପ୍ରତୀକ ହୋଇଥାଏ। ଗାଁ ଗାଁ ମଧ୍ୟରେ ଦୋଳିଖେଳ ପ୍ରତିଯୋଗିତା ମଧ୍ୟ ହୁଏ। ଯିଏ ଏହି ଦୋଳି ଖେଳରେ ଜିତେ ତାକୁ ଉପହାର ଭାବେ ପିଠା ଓ ମିଠା ଦିଆଯାଏ।

ଆଜିର ଦୋଳି ଖେଳ:

ପୂର୍ବରୁ ଦୋଳି ଖେଳ କେବଳ ଦିନରେ ହେଉଥିବା ବେଳେ ଆଜିକାଲି ଏହି ପରମ୍ପରାକୁ ଅଧିକ ବ୍ୟାପକ କରାଯାଇ ଗାଁର ଆମ୍ବତୋଟାଗୁଡ଼ିକରେ ଲାଇଟ୍ ଲଗାଯାଉଛି। ତେଣୁ ରାତିରେ ବି ଜାରି ରହୁଛି ଦୋଳି ଖେଳ। ଦିନରେ ଦୋଳି ଖେଳିବାକୁ ଆସିପାରୁ ନଥିବା ଗାଁର ବୋହୂମାନେ ରାତିରେ ଆସି ମଉଜ କରିଥାନ୍ତି। ସେହିପରି ରଜ ଦୋଳି ବନ୍ଧାଯାଉଥିବା ସ୍ଥାନରେ ପିଲାମାନଙ୍କ ବୋହୁଚୋରି, ବୟସ୍କ ଲୋକଙ୍କ ତାସ୍, ଲୁଡୁର ଖେଳର ବି ଆସର ଜମେ।

ବୈଜ୍ଞାନିକ ମତ:

ଦୋଳିଗୁଡିକ ସାଧାରଣତଃ ନିମ୍ବ, ଆମ୍ବ, ବର ଆଦି ଗଛରେ ଲଗାଯାଇଥିବାରୁ ଦୋଳି ଖେଳିବା ସମୟରେ ଶରୀରକୁ ପର୍ଯ୍ୟାପ୍ତ ଅମ୍ଳଜାନ ମିଳେ। ଫଳରେ ଶରୀରର ନିଷ୍କ୍ରିୟ କୋଷଗୁଡିକ ସକ୍ରିୟ ହୋଇଉଠନ୍ତି। ରଜପର୍ବ ବେଳେ ଆକାଶରୁ ବିନ୍ଦୁବିନ୍ଦୁ ବର୍ଷା ପଡୁଥିବାରୁ ବାୟୁମଣ୍ଡଳର ଧୂଳି ଓ ଅନ୍ୟ କ୍ଷତିକାରକ ତତ୍ତ୍ୱ ପରିଷ୍କାର ହୋଇଯାଇଥାନ୍ତି। ଖରା ଧାସରୁ ମୁକୁଳିଥିବା ପୃଥିବୀ ବର୍ଷାଟୋପା ସହିତ ସବୁଜ ପରିଧାନରେ ସୁସଜ୍ଜିତ ହୋଇଯାଇଥାଏ। ଚାରିଆଡେ ସତେଜତାର ବାସ୍ନା ଖେଳିଯାଏ, ଯାହା ମଣିଷର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ।

Raja Parba
Advertisment
Advertisment