• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚୌଦ୍ୱାର(ପ୍ରକାଶ କୁମାର ନାୟକ) : ମୂର୍ତ୍ତି ଉଚ୍ଚତା ୪ଫୁଟରେ ସିମୀତ ରହିବା ପରେ କମିଯାଇଛି ଜରିମେଢ଼ କାରିଗରଙ୍କ କାମ । ଯାହାକୁ ନେଇ କଟକ ଜିଲ୍ଲା ଚୌଦ୍ୱାର ଅଂଚଳରେ ଏହାକୁ ଜୀବିକା କରି ବଂଚୁଥିବା ପ୍ରାୟ ୨ଶହ କାରିଗର ହାତ ବାନ୍ଧି ବସିଛନ୍ତି । ଏହି କଳାକୃତିକୁ ବଞ୍ଚାଇ ରଖିବାକୁ ସରକାରଙ୍କ ପ୍ର୍ରୋତ୍ସାହନ ନିହାତି ଆବଶ୍ୟକ ବୋଲି କହିଛନ୍ତି କାରିଗର ।

ପାର୍ବଣର ଋତୁ ଆସିଲେ ଆରମ୍ଭ ହୁଏ ଜରିରେ ତିଆରି ମେଢ଼ । ଗଣେଷ, ବିଶ୍ୱକର୍ମା, ଦୁର୍ଗା, ଲକ୍ଷ୍ମୀ ,କାର୍ତ୍ତିକେଶ୍ୱରଙ୍କ ସମେତ ବିଭିନ୍ନ ଦେବାଦେବୀଙ୍କ ମୃର୍ତ୍ତିର ଶୋଭା ବଢାଇଥାଏ ଜରିମେଢ । ମଣ୍ଡପରେ ନିର୍ମିତ ମୃର୍ତ୍ତିରେ ଜରିମେଢ଼ ଲାଗିବା ପରେ ମୃର୍ତ୍ତିର ଶୋଭା ଦ୍ୱିଗୁଣିତ ହେବା ସହ ମେଲଣରେ ମଧ୍ୟ ଖୁବ୍ ଆକର୍ଷଣ ଦେଖାଯାଏ । ସେଥିଲାଗି ଜରିମେଢର ଚାହିଦା ଖୁବ୍ ଅଧିକ । ଏହି କାମ ପାଇଁ କାରିଗରଙ୍କୁ କିଛି କମ୍ ପରିଶ୍ରମ ମଧ୍ୟ କରିବାକୁ ପଡେନାହିଁ ।

ପ୍ରଥମେ ବାଉଁଶ ଆଣି ତାକୁ ଆକାର ଦିଆଯାଏ । ପରେ ବିଭିନ୍ନ ରକମର ମାଳି,ଲେସ୍‌,ସୋଲ ଆଦି ବହୁ ପ୍ରକାର ସରଞ୍ଜାମ ବ୍ୟବହୁତ ହୋଇଥାଏ । ଅନେକ ଜିନିଷ ଓଡିଶାରେ ମିଳୁନଥିଲା ବେଳେ କଲିକତାରୁ ମଗାଯାଏ । ଏମାନଙ୍କ କାମ ଅତି ସୁନ୍ଦର ହୋଇଥିବାରୁ ଓଡିଶାର ସମସ୍ତ ଜିଲ୍ଲା ତଥା ରାଜ୍ୟ ବାହାରକୁ ମଧ୍ୟ ଏଠାରୁ ମେଢ ଯାଇଥାଏ । ଗତ ଦୁଇ ବର୍ଷହେବ ମୃର୍ତ୍ତିର ଉର୍ଚ୍ଚତା ୪ଫୁଟ ହେବା ପରେ କାରିଗରଙ୍କୁ ଆଉ ଆଗଭଳି ଅର୍ଡର ମିଳୁନି ।

ବର୍ଷକରେ ୬ମାସ ଏହି କାମ କରି ସାରା ବର୍ଷ ଚଳୁଥିବା ଚୌଦ୍ୱାର ଅଂଚଳର ଗୋଢିପାଟଣା, ପାଇକରାପୁର, ଚଷାପଡା ଆଦି ଅଂଚଳର ପ୍ରାୟ ୨ଶହରୁ ଅଧିକ କାରିଗରଙ୍କ ପରିବାର କେମିତି ଚଳିବ ତାକୁ ନେଇ ଉଠିଛି ପ୍ରଶ୍ନ । ଏହି କାରିଗର ମାନେ ପୂର୍ବ ପୁରୁଷର ଏହି କଳାକୁ ବଂଚାଇ ରଖିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବା ବେଳେ ଏବେ ଏଥିରୁ ମୁହଁ ଫେରାଇ ନେବାକୁ ବସିଲେଣି ।

କୋଭିଡ୍ କଟକଣାରେ ପ୍ରଭାବିତ ହୋଇଥିବା ବିଭିନ୍ନ ବର୍ଗର ଲୋକ ମାନଙ୍କ ପାଇଁ ସରକାର ପ୍ରତ୍ସାହନ ଯୋଗାଉଥିବା ବେଳେ ଏମାନଙ୍କୁ ଅଣଦେଖା କରାଯାଉଥିବା ନେଇ କାରିଗର ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ କାରିଗର ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ନିବେଦନ ମଧ୍ୟ କରାଯାଇଛି । ହେଲେ ସରକାରଙ୍କ ଆନ୍ତରିକତା ଅଭାବ ଥିବା କାରିଗର ମାନେ କ୍ଷୋଭର ସହିତ କହିଥିବା ବେଳେ ଆଗାମୀ ପିଢି ଆଉ ଏହି କାର୍ଯ୍ୟପ୍ରତି ଆଗ୍ରହ ପ୍ରକାଶ କରିବେ ନାହିଁ ବୋଲି କହିଛନ୍ତି ।

ଯଦି ସରକାର ଏହା ପ୍ରତି ଦୃଷ୍ଟି ନଦିଅନ୍ତି ତେବେ ଆଗାମୀ ଦିନରେ ଓଡିଶାର ଏହି କଳା ଦିନେ ଲୋପ ପାଇଯିବ । ଏହି କାରିଗରଙ୍କ ପ୍ରତି ସରକାର ପ୍ରତ୍ସାହନ ଯୋଗାଇବା ସହିତ ଏହାର ବିକାଶ ଦିଗରେ ପଦକ୍ଷେପ ନେବାର ଆବଶ୍ୟକ ଅଛି ।