• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୩୧ ଅକ୍ଟୋବର ୧୮୭୫ରେ ଗୁଜୁରାଟର ନାଡିଆଡରେ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ଭାରତର ଲୌହମାନବ, ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ। ଆରମ୍ଭରୁ ବଲ୍ଲଭଭାଇ ପଟେଲଙ୍କର ଅଧ୍ୟୟନ ପ୍ରତି ବହୁତ ଆଗ୍ରହ ଥିଲା। ସେ ଆଇନ ଅଧ୍ୟୟନ ପାଇଁ ଇଂଲଣ୍ଡ ଯାଇ ମାତ୍ର ୩୦ ମାସ ମଧ୍ୟରେ ୩୬ ମାସର ପାଠ୍ୟକ୍ରମ ସମାପ୍ତ କରିଥିଲେ। ଭାରତରେ ୫୬୨ ରାଜକୁମାର ରାଜ୍ୟ ମିଶ୍ରଣ ପାଇଁ ସର୍ଦ୍ଦାର ପଟେଲଙ୍କୁ ସର୍ବଶ୍ରେଷ୍ଠ ଶ୍ରେୟ ମିଳେ।

୧୫ ଡିସେମ୍ବର ୧୯୫୦ରେ ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଥିଲା। କୁହାଯାଏ, ଯେତେବେଳେ ସେ ଦେହାନ୍ତ କରିଥିଲେ, ତାଙ୍କ ଆକାଉଣ୍ଟରେ ମାତ୍ର ୨୬୦ ଟଙ୍କା ଥିଲା। ମୃତ୍ୟୁର ୪୧ ବର୍ଷ ପରେ ଭାରତ ସରକାର ତାଙ୍କୁ ୧୯୯୧ରେ ଭାରତ ରତ୍ନ ପ୍ରଦାନ କରିଥିଲେ। ତାଙ୍କ ବିଚାର ଥିଲା ମହାନ। ତାଙ୍କ ବିଚାର ଯୁବପିଢିଙ୍କୁ ଯଥେଷ୍ଟ ପ୍ରେରଣା ଦିଏ। ଯିଏ ତାଙ୍କର ଏହି ବିଚାରଗୁଡିକୁ ମାନି ସଠିକ୍ ରାସ୍ତାରେ ଯିବ ସେ ନିଶ୍ଚିତ ଦିନେ ନା ଦିନେ ସଫଳତା ପାଇ ପାରିବ। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମ ଦିନ ଅବସରରେ ତାଙ୍କର ୧୦ଟି ବିଚାରକୁ ଜାଣିନେବା।

  • ମଣିଷ କ୍ରୋଧ ନ କରି ସବୁବେଳେ ଶାନ୍ତ ରହିବା ଉଚିତ। ଲୁହା ଗରମ ହେଲେ ମଧ୍ୟ ହାତୁଡ଼ି ଥଣ୍ଡା ରହିବା ଆବଶ୍ୟକ, ନଚେତ ଏହା ନିଜ ହାତକୁ ଜାଳିଦେବ।
  • ଯେତେବେଳେ ଜନତା ଏକଜୁଟ ହୁଅନ୍ତି, ସେତେବେଳେ ସେମାନଙ୍କ ସମ୍ମୁଖରେ ନିଷ୍ଠୁରରୁ ଅତି ନିଷ୍ଠୁର ଶାସନ ମଧ୍ୟ ଠିଆ ହୋଇପାରିବ ନାହିଁ। ତେଣୁ ଜାତି ଓ ଧର୍ମ ଉପରେ ଆଧାରିତ ଭେଦଭାବକୁ ଭୁଲି ସମସ୍ତେ ଏକ ହୋଇଯାଅ।
  • ଅଧିକାର ମନୁଷ୍ୟକୁ ସେ ପର୍ଯ୍ୟନ୍ତ ଅନ୍ଧ କରି ରଖିବ, ଯେପର୍ଯ୍ୟନ୍ତ ମନୁଷ୍ୟ ସେହି ଅଧିକାରକୁ ପାଇବା ପାଇଁ ମୂଲ୍ୟ ନ ଦେଇଛି।
  • ଆଜି ଆମେ ଉଚ୍ଚ-ନିମ୍ନ, ଧନୀ-ଗରିବ, ଜାତି-ଧର୍ମ ଉପରେ ଆଧାରିତ ଭେଦଭାବକୁ ସମାପ୍ତ କରିବା ଉଚିତ।
  • ଏହି ମାଟିରେ କିଛି ସ୍ୱତନ୍ତ୍ର ଅଛି, ଯାହା ଅନେକ ବାଧାବିଘ୍ନ ସତ୍ତ୍ୱେ ସବୁବେଳେ ମହାନ ଆତ୍ମାଙ୍କ ବାସସ୍ଥାନ ହୋଇଆସୁଛି।
  • ଯଦିଓ ଆମେ ହଜାର ହଜାର ମୂଲ୍ୟର ଧନ ହରାଇଦେଉ ଏବଂ ଆମର ଜୀବନକୁ ବଳିଦାନ କରିଦେଉ, ତଥାପି ଆମେ ହସିବା। ଭଗବାନ ଏବଂ ସତ୍ୟ ଉପରେ ବିଶ୍ୱାସ ରଖି ଖୁସି ହେବା ଉଚିତ।
  • ଯେତେବେଳେ କଠିନ ସମୟ ଆସେ, ଜଣେ ଭୀରୁ ଏବଂ ସାହସୀ ବ୍ୟକ୍ତିଙ୍କ ମଧ୍ୟରେ ପାର୍ଥକ୍ୟ ଜଣାପଡିଯାଏ, କାରଣ ସେହି ସମୟରେ ଭୀରୁମାନେ ଏକ ବାହାନା ଖୋଜନ୍ତି ଏବଂ ସାହସୀମାନେ ଏକ ଉପାୟ ଖୋଜନ୍ତି।
  • ମୋର କେବଳ ଗୋଟିଏ ଇଚ୍ଛା ଯେ ଭାରତ ଏକ ଭଲ ଉତ୍ପାଦନକାରୀ ରାଷ୍ଟ୍ର ହେବା ଉଚିତ ଏବଂ ଏହି ଦେଶରେ କେହି ଖାଦ୍ୟ ପାଇଁ କାନ୍ଦି କାନ୍ଦି ଭୋକିଲା ନ ରୁହନ୍ତୁ।
  • ଆମ ସଂସ୍କୃତି ଶାନ୍ତି ଉପରେ ଆଧାରିତ। ଯଦି କାହାକୁ ମରିବାକୁ ପଡିବ, ତେବେ ସେମାନେ ନିଜ ପାପ ପାଇଁ ମରିବେ। ଯେଉଁ କାମ ପ୍ରେମ ଏବଂ ଶାନ୍ତିରେ ହୋଇଥାଏ ତାହା ଶତ୍ରୁତାରେ ହୁଏ ନାହିଁ।
  • ଯେପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଭିତରେ ଥିବା ଶିଶୁଟିଏ ଜୀବିତ ଅଛି, ସେ ପର୍ଯ୍ୟନ୍ତ ଅନ୍ଧକାରମୟ ନିରାଶାର ଛାୟା ତାଙ୍କଠାରୁ ଦୂରରେ ରହିଥାଏ।