Advertisment

ମନେ ପଡ଼ନ୍ତି ଅକ୍ଷୟ, ଏବେ ବି ଜୀବନ୍ତ ବୟସର କୃଷ୍ଣଚୂଡା, ଚନ୍ଦ୍ରମଲ୍ଲୀର ହସ

କେତେବେଳେ ରାଜଧାନୀ ରାଜଜେମାଙ୍କ ପ୍ରେମ ଆଉ ଧୋକା ତ କେତେବେଳେ ଡାକବାଲାର ଗାଡି ଆଉ ଗାଁ ବୋହୂର ଧକଧକ ଛାତି। ପୁଣି କେତେବେଳେ ବାପଘର ଯିବା ପାଇଁ ରଙ୍ଗଲତାର ରାଗରୁଷା ତ କେବେକେବେ ବୟସର କୃଷ୍ଣଚୂଡା ରଙ୍ଗ... ତାଙ୍କ କଣ୍ଠରେ ସବୁ ହୋଇଉଠେ ଜୀବନ୍ତ। ସବୁ ଲାଗେ ମଧୁର ମଧୁର।

author-image
Minati Mishra
ଅଦ୍ୟତନ ହୋଇଛି
Akshya Mohanty Birth Anniversary

Akshya mohanty birth anniversary

କେତେବେଳେ ରାଜଧାନୀ ରାଜଜେମାଙ୍କ ପ୍ରେମ ଆଉ ଧୋକା ତ କେତେବେଳେ ଡାକବାଲାର ଗାଡି ଆଉ ଗାଁ ବୋହୂର ଧକଧକ ଛାତି। ପୁଣି କେତେବେଳେ ବାପଘର ଯିବା ପାଇଁ ରଙ୍ଗଲତାର ରାଗରୁଷା ତ କେବେକେବେ ବୟସର କୃଷ୍ଣଚୂଡା ରଙ୍ଗ... ତାଙ୍କ କଣ୍ଠରେ ସବୁ ହୋଇଉଠେ ଜୀବନ୍ତ। ସବୁ ଲାଗେ ମଧୁର ମଧୁର। ସେଇ ମଧୁର ସ୍ୱର ଆଜିକୁ ୨୨ ବର୍ଷ ହେଲାଣି ହଜି ଯାଇଛି ସତ କିନ୍ତୁ ପ୍ରତି ଓଡ଼ିଆଙ୍କ କଣ୍ଠରେ ଏବେ ବି ଗୁଣୁଗୁଣୁ ହେଉଛି । ଆଜି ବି ରେଡିଓରୁ ‘ପୁଣ୍ୟର ନଦୀ ତୀରେ’  ଗୀତ ଶୁଣିଲେ କାନ ଆପେ ଆପେ ଟାଣି ହୋଇ ଯାଏ। ଗୀତରେ ଗୀତରେ ଶ୍ରୋତାଙ୍କ ମନରେ ସେ ସେଦିନ ଯେମିତି ଥିଲେ ଆଜି ବି ସେମିତି ଅଛନ୍ତି। ସେ ଅକ୍ଷୟ ମହାନ୍ତି ! ସେ ଖାଲି ଏକ ନାଁ ନୁହେଁ, ସେ ଗୋଟେ ଆକର୍ଷଣ। ସେ ଗୋଟେ ଆବେଗ। ସେ ଏକ ସ୍ୱାଭିମାନ।  ସେ ମନେ ପଡିଲେ ଆଜି ବି ଓଡ଼ିଆ ସଙ୍ଗୀତପ୍ରେମୀଙ୍କ କଣ୍ଠରୁ ଗୁଣୁଗୁଣୁ ହୋଇ ଝରିଆସେ ‘ଯାରେ, ଭାସି ଭାସି ଯା’...। ସଙ୍ଗୀତ ଜଗତର ସେଇ ମୁକୁଟ ବିହୀନ ସମ୍ରାଟ  ଅକ୍ଷୟ ମହାନ୍ତିଙ୍କ ଜନ୍ମବାର୍ଷିକୀରେ  ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି।

Advertisment

ସେ ଥିଲେ ଓଡ଼ିଆ ସଙ୍ଗୀତର ଆତ୍ମା। ଓଡ଼ିଆ ଗୀତର ସ୍ପନ୍ଦନ। ସେ ଥିଲେ ଅକ୍ଷୟ ମହାନ୍ତି। ସଙ୍ଗୀତ ସାମ୍ରାଜ୍ୟର ଅଜାତଶତ୍ରୁ। ସେ ଓଡ଼ିଆ ଗୀତକୁ ଦେଇଥିଲେ ନୂତନ ଧାରା..ନୂଆ ପରିଚୟ। ତାଙ୍କ ଗୀତରେ ନ ଥିଲା ଭାଷା ଭାବର ଗମ୍ଭୀରତା। ତାଙ୍କ ଗୀତରେ ଥିଲା ଓଡ଼ିଶାର ଚାଲିଚଳଣୀ, ବେଶଭୂଷା, ରାଗରୁଷା। ସ୍ୱାମୀ-ସ୍ତ୍ରୀ ଝଗଡାକୁ ବି ସେ ମଧୁର କରି ଦେଉଥିଲେ., ପ୍ରେମରେ ପ୍ରତାରଣାକୁ ବି ସେ ସହଜ କରି ଦେଉଥିଲେ। ତାଙ୍କ ଗୀତରେ ପ୍ରେମ ଥିଲା ଯେତିକି ମଧୁର, ପ୍ରତାରଣା ବି ସେତିକି ହୃଦୟଛୁଆ। ସେ କିମ୍ବଦନ୍ତୀ ପୁରୁଷ ଖୋକା ଭାଇ ଆଜି ପୁଣି ମନେ ପଡନ୍ତି ତାଙ୍କ ଜନ୍ମ ବାର୍ଷିକୀରେ।

ସେ ସଙ୍ଗୀତକୁ ଏମିତି ଏକ ସ୍ତରକୁ ନେଇଥିଲେ ଯେଉଁଠି ପ୍ରତିଟି ଓଡ଼ିଆ ତାଙ୍କ ଗୀତରେ ନିଜକୁ ହିଁ ଖୋଜି ପାଉଥିଲା। କାରଣ ସେ ବୁଝି ପାରିଥିଲେ ଓଡ଼ିଆଙ୍କ ରୁଚିକୁ । ଆଉ ଭେଟି ଦେଇଥିଲେ ଅନେକ ମନ ଛୁଆଁ ଗୀତ । ତାଙ୍କ ଗୀତରେ ଥିଲା ଚା ବାଲାର ଭାଷା, ରିକ୍ସାବାଲାର ଭାବ, ଛକରେ ସୁନ୍ଦରୀ ଅପେକ୍ଷାରେ ଥିବା କଲେଜ ପଢୁଆ ପିଲାଙ୍କ ଛକଛକ ଚାହାଣୀର କଥା । ଅତି ଚତୁରତାର ସହ ସେ ଏହାକୁ ସଙ୍ଗୀତର ରୂପ ଦେଇ ଥିଲେ । ଗୀତ ରଚନା ହେଉ କି ସ୍ୱର ସଂଯୋଜନା ହେଉ ବା ହେଉ କଣ୍ଠଦାନ, ସବୁଥିରେ ସେ ଥିଲେ ସିଦ୍ଧହସ୍ତ। ୭୫ରୁ ଅଧିକ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ । ଅଧିକାଶଂ ସିନେମାରେ ସେ ନିଜ କଣ୍ଠର ଯାଦୁଗରୀ ଦେଖାଇଛନ୍ତି । ଯା..ଯାବର, ଯାରେ ମେଘ ଭାସି ଯା, ହେ ଫଗୁଣ ତୁମେ ଗଲା ପରେ ପରେ, ପୁଣ୍ୟର ନଦୀ ତିରେ, ସ୍ମୃତି ତୁମେ ପାଉଁଶ ତଳର ନିଆଁ, ବୟସର କୃଷ୍ଣଚୂଡା, ନଦୀର ନାମ ଅଳସ କନ୍ୟା ଆଦି ଅନେକ ମନଛୁଆଁ ଗୀତର ସେ ହେଉଛନ୍ତି ସ୍ରଷ୍ଠା ।

Advertisment

କଟକ ସହରରେ ୧୯୩୬ ମସିହା ଅକ୍ଟୋବର ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ସଙ୍ଗୀତ ସାମ୍ରାଜ୍ୟର ଏଇ ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତି । ରେଭେନ୍ସା ମହାବିଦ୍ୟାଳୟରୁ ଏମଏ କରିବା ପରେ ମଧୁସୂଦନ ଲ କଲେଜରୁ ନିଜ ଆଇନ ଶିକ୍ଷା ମଧ୍ୟ ଶେଷ କରିଥିଲେ । ୧୯୪୮ରେ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଶିଶୁ ଶିଳ୍ପୀ ଭାବେ ସାମିଲ ହୋଇଥିଲେ । ବାସ୍, ଏଇଠୁ ଆରମ୍ଭ ହୋଇଥିଲା ଅକ୍ଷୟଙ୍କ ସଙ୍ଗୀତ ଅଭିଯାନ। ଗୋଟିଏ ପରେ ଗୋଟିଏ ହୃଦୟଭରା ଗୀତ ଉପହାର ଦେଇ ଚାଲିଗଲେ ନଭେମ୍ବର ୧୭, ୨୦୦୧ରେ। ସେହିଦିନଠୁ ସଙ୍ଗୀତ ଦୁନିଆରେ ଶେଷ ହୋଇଥିଲା ଅକ୍ଷୟ ଯୁଗ । ମୁକୁଟ ବିହୀନ ହୋଇଗଲା ସଙ୍ଗୀତ ସାମ୍ରାଜ୍ୟ। ହେଲେ ଏବେ ବି ମନ ଉଦାସ ହୋଇଗଲେ ଗୁଣୁଗୁଣୁ ହୋଇ ଝରିଆସେ ‘ଏମିତି ଏକ ବଗିଚାରେ ମୁଁ ବାନ୍ଧିଥିଲି ମୋ ଘର....।’  ନିର୍ଜନ ରାତିର ନିଃସଙ୍ଗତା ଯେତେବେଳେ ମାଡିବସେ ଶୂନ୍ୟ ମନରୁ ଝରିପଡେ ସେଇ ଦରଦ ଭରା ଗୀତ ‘ହେ ଫଗୁଣ ତୁମେ ଗଲା ପରେ...ପାପର ତରୁଡାଳେ’, ସୁନ୍ଦରୀ ଗାଁ ଝିଅକୁ ବହୁଦିନ ପରେ ସହର ଛକରେ ଦେଖିଲେ ମନେ ପଡିଯାଏ ‘ହେ..ହେ..ଆଲୋ ମଣି...।’

ପ୍ରତିଟି ଓଡ଼ିଆଙ୍କ ପ୍ରିୟ ଖୋକା ଭାଇ..ଅମର ଅକ୍ଷୟ ମହାନ୍ତି ଆଉ ଏ ଦୁନିଆରେ ନାହାନ୍ତି ସତ ମାତ୍ର ଅନ୍ଧାର ରାତି ହେଉ ବା ନିର୍ଜନ ମଧ୍ୟାହ୍ନ, ଉଦାସୀ ମନ ହେଉ ବା ଆତ୍ମହରା ହୃଦୟ ସବୁବେଳେ ଓଡ଼ିଆଙ୍କ କଣ୍ଠରୁ ଗୁଣୁଗୁଣୁ ହୋଇ ଝରୁଥିବ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ। ସେ ଥିଲେ ଅକ୍ଷୟ..ଏମିତି ଅକ୍ଷୟ ହୋଇ ସବୁଦିନ ରହିଥିବେ।

Akshaya Mohanty Odia Singer
Advertisment
Advertisment