ଭାରତୀୟ ଫିଲ୍ମ ଜଗତରେ ନିଜ ହାତରେ ନିଜ କ୍ୟାରିଅର୍ ଗଢ଼ି ତୋଳିବାର ଜ୍ୱଳନ୍ତ ନମୁନା ହେଉଛନ୍ତି ମିଲେନିୟମ୍ ସୁପର୍ଷ୍ଟାର୍ ଅମତାଭ ବଚ୍ଚନ। ତାଙ୍କୁ ‘ଶେହନ୍ଶାହ ଅଫ୍ ବଲିଉଡ୍’ ଓ ‘ବିଗ୍ ବି’ ବୋଲି ମଧ୍ୟ ସମ୍ବୋଧନ କରାଯାଏ । ଦିନ ଥିଲା ରେଡିଓ ଷ୍ଟେସନ୍ରେ ଗମ୍ଭୀର ସ୍ୱର ପାଇଁ ତାଙ୍କୁ କାମ ମିଳିନଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ସେହି ଗୁରୁଗମ୍ଭୀର ଓଜନଦାର ସ୍ୱର ପାଇଁ ହିଁ ବିଗ୍ ବି’ଙ୍କୁ ସିନେ ଜଗତରେ ସ୍ୱତନ୍ତ୍ର ପରିଚୟ ମିଳିପାରିଥିଲା ।
ପାଖାପାଖି ଡଜନେ ଫିଲ୍ମ ଫ୍ଲପ୍ ହେବା ପରେ ସେ ତାଙ୍କର ପ୍ରଥମ ସୁପର୍ହିଟ୍ ଫିଲ୍ମ ‘ଜଞ୍ଜୀର୍’ ଦେଇଥିଲେ । ଅବଶ୍ୟ ଏହା ପୂର୍ବରୁ ସେ ହୃଷିକେଶ ମୁଖାର୍ଜୀଙ୍କ ଫିଲ୍ମ ‘ଆନନ୍ଦ’ରେ ରାଜେଶ ଖାନ୍ନାଙ୍କ ସହ ଅଭିନୟ କରି ‘ବାବୁ ମୋଶାଏ’ ନାମରେ ବେଶ୍ ପରିଚିତ ହୋଇଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ଏବେ ସୁଦ୍ଧା ପାଖାପାଖି ୨୦୦ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିସାରିଛନ୍ତି । ଭାରତୀୟ ଫିଲ୍ମ ଜଗତରେ ଏମିତି କୌଣସି ପୁରସ୍କାର ନାହିଁ ଯାହା ତାଙ୍କୁ ନମିଳିଛି ।
ଅଧିକ ପଢ଼ନ୍ତୁ: ସକାଳ ୬ଟାରେ କାମକୁ ଯାଇ ରାତି ୮ଟାରେ ଫେରନ୍ତି ଅମିତାଭ
Also Read
ଆଜି ୮୦ ବର୍ଷରେ ବି ଆଜି ସେ ଖୁବ୍ କାମ କରୁଛନ୍ତି । ଆଉ ବେଶ୍ ପ୍ରଂଶସା ସାଉଁଟିଛନ୍ତି । ଅମିତାଭ ୧୯୬୯ରେ ‘ସାତ୍ ହିନ୍ଦୁସ୍ତାନୀ’ ଫିଲ୍ମରୁ ବଲିଉଡ୍ରେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିବା ବେଳେ ୧୯୭୩ରେ ‘ଜଞ୍ଜୀର’ ତାଙ୍କ ପ୍ରଥମ ସୁପର୍ହିଟ୍ ଫିଲ୍ମ ଥିଲା । ଏହାପରେ ସେ ସିନେପ୍ରେମୀଙ୍କୁ ଅଭିମାନ, ବେନାମ୍, ରୋଟି କପଡା ଔର୍ ମକାନ୍, ଦିୱାର୍, ଜମୀର୍, ଶୋଲେ, ଚୁପ୍କେ ଚୁପ୍କେ, ମିଲି, କଭି କଭି, ହେରାଫେରି, ଅମର ଆକବର ଆନ୍ଥୋନୀ, ମୋହବତେଁ ଭଳି ବହୁ କାଳଜୟୀ ଫିଲ୍ମର ଭେଟି ଦେଇଛନ୍ତି ।
ଭାରତୀୟ ଟେଲିଭିଜନ୍ର ଚର୍ଚ୍ଚିତ ଗେମ୍ ଶୋ’ ‘କୌନ୍ ବନେଗା କରୋଡ୍ପତି’ର ମୁଖ୍ୟ ହୋଷ୍ଟ ଭାବେ ସେ ଏବେ କାମ କରି ଖୁବ୍ ଚର୍ଚ୍ଚାରେ । ଅମିତାଭଙ୍କ ପ୍ରକୃତ ସାଙ୍ଗିଆ ଶ୍ରୀବାସ୍ତବ ହୋଇଥିବା ବେଳେ ତାଙ୍କ ପିତା ତଥା ପ୍ରଖ୍ୟାତ କବି ହରିବଂଶ ରାୟଙ୍କ ଛଦ୍ମନାମ ‘ବଚ୍ଚନ’କୁ ସାଙ୍ଗିଆରେ ପରିବର୍ତ୍ତିତ କରିଥିଲେ । ଯଦ୍ଦ୍ୱାରା ତାଙ୍କୁ ଅମିତାଭ ଶ୍ରୀବାସ୍ତବ ପରିବର୍ତ୍ତେ ଅମିତାଭ ବଚ୍ଚନ ଭାବେ ସମସ୍ତେ ଜାଣନ୍ତି ।
ଅମିତାଭଙ୍କ କ୍ୟାରିଅର୍ରେ ଏକମାତ୍ର କଳାଧଳା ଫିଲ୍ମ ହେଉଛି ‘ସାତ୍ ହିନ୍ଦୁସ୍ତାନୀ’ । ଭାରତରେ ଅନ୍ୟ କୌଣସି କଳାକାରଙ୍କଠାରୁ ସର୍ବାଧିକ ଡବଲ ରୋଲ୍ କରିଥିବା ଜଣେ ଅଭିନେତା ହେଉଛନ୍ତି ଅମିତାଭ । ତାଙ୍କର ଲଗାତର ୧୨ଟି ଫିଲ୍ମ ଫ୍ଲପ୍ ହେବା ପରେ ତ୍ରୟୋଦଶ ଫିଲ୍ମ ‘ଜଞ୍ଜୀର୍’ ସୁପର୍ହିଟ୍ ହୋଇଥିଲା । ଅମିତାଭ ବାମ ହାତରେ ଲେଖନ୍ତି ବୋଲି ଅନେକ ଜାଣିଥିବା ବେଳେ ଅସଲରେ ସେ ଉଭୟ ହାତରେ ଲେଖିପାରନ୍ତି । ୧୯୯୨ରେ ମୁକ୍ତିଲାଭ କରିଥିବା ‘ଖୁଦା ଗୱାହ’ ଫିଲ୍ମର ସୁଟିଂ ସମୟରେ ଆଫଗାନିସ୍ତାନର ରାଷ୍ଟ୍ରପତି ଅମିତାଭଙ୍କ ସୁରକ୍ଷା ପାଇଁ ତାଙ୍କ ଦେଶର ଏୟାରଫୋର୍ସ ଯୋଗାଇଦେଇଥିଲେ । ଆଫଗାନିସ୍ତାନରେ ଏଯାବତ୍ ଏହି ଫିଲ୍ମଟି ସର୍ବାଧିକ ଦେଖାଯାଇଥିବା ହିନ୍ଦୀ ଫିଲ୍ମର ମାନ୍ୟତା ପାଇଛି ।
ଭାରତର ଏକମାତ୍ର ଅଭିନେତା ଭାବେ ସେ ନିଜ ପୁତ୍ରଙ୍କର ପୁତ୍ର ଭୂମିକାରେ ଅଭିନୟ କରିଛନ୍ତି । ‘ପା’ ଫିଲ୍ମରେ ସେ ଏହି ଭୂମିକାଟି କରିଥିଲେ । ପ୍ରକୃତରେ ଅମିତାଭ ପ୍ରଥମେ ଇଞ୍ଜିନିୟର୍ ହେବାକୁ ଚାହୁଁଥିଲେ ଓ ଭାରତୀୟ ବାୟୁସେନାରେ ଯୋଗଦେବାକୁ ମନ ବଳାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସିନେ ଜଗତ ତାଙ୍କୁ ନିଜ ଆଡ଼କୁ ଟାଣି ଆଣିଥିଲା । କଲମ ଓ ହାତଘଣ୍ଟା ସଂଗ୍ରହ କରିବା ତାଙ୍କର ଏକ ବଡ଼ ସଉକ । ଏଥିସହ ତାଙ୍କ ପାଖରେ ଏମିତି ବି ପେନ୍ ରହିଛି, ଯାହାର କାଳିର ରଙ୍ଗ ଗେରୁଆ । ୨୦୧୦ରେ ଏସୀୟ ଫିଲ୍ମ ଆୱାର୍ଡରେ ତାଙ୍କୁ ସିନେ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଅମିତାଭ ହେଉଛନ୍ତି ଭାରତୀୟ ସିନେ ଜଗତର ପ୍ରଥମ ଅଭିନେତା ଯିଏକି ପାରିଶ୍ରମିକ ବାବଦକୁ ଏକ କୋଟି ଟଙ୍କା ନେବା ଆରମ୍ଭ କରିଥିଲେ । ଏପରିକି ନବେ ଦଶକ ପର୍ଯ୍ୟନ୍ତ ଏହି ଶ୍ରେଣୀରେ ସେ ଏକମାତ୍ର ଅଭିନେତା ଥିଲେ । ତେବେ ଅମିତାଭଙ୍କୁ ନେଇ ଏବେ ବି ସବୁଠି ଚାଲେ ଚର୍ଚ୍ଚା ।