/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733193251.jpg)
Cyber Slave
ସାଇବର ଅପରାଧ ବା ସାଇବର କ୍ରାଇମ୍। ଆମେ ସମସ୍ତେ ଏବେ ଅଳ୍ପେ ବହୁତେ ଏହା ବିଷୟରେ ଜାଣିଛନ୍ତି। କିନ୍ତୁ ଆମେ କେହି ଜାଣି ନାହାନ୍ତି ଯେ, ଏହା ପଛରେ କାହାର ହାତ? କିଏ କରୁଛି ଏମିତି? କେଉଁଠି ରହିଛି ଏହାର ଅଡ୍ଡା? ଆମ ଭାଷା ସେ କେମିତି ଜାଣୁଛି?
ସାଇବର ସ୍ଲେଭ୍ କରନ୍ତି ସାଇବର ଠେକେଇ
ଆଜ୍ଞା ହଁ ଏହି ସାଇବର ଅପରାଧ ପଛରେ ରହିଛନ୍ତି ସାଇବର ସ୍ଲେଭ୍। ଆଉ ସେମାନଙ୍କ ଦ୍ୱାରା କରାଯାଉଛି ସାଇବର ଅପରାଧ। ଆପଣଙ୍କୁ ଯେଉଁ ସବୁ ସାଇବର ଠକଙ୍କ କଲ୍ ଆସେ, ତା’ପଛରେ ରହିଛି ଏହି ସାଇବର ସ୍ଲେଭ୍ମାନଙ୍କ ହାତ। ସେମାନେ ଆପଣଙ୍କ ଭାଷାରେ କଲ କରନ୍ତି, ଆଉ ଆପଣଙ୍କୁ ଅତି ନିଜର ଭଳି କଥା କୁହନ୍ତି। କଥାର ଚାତୁରିରେ ଆପଣଙ୍କଠାରୁ ସବୁ ତଥ୍ୟ ହାସଲ କରନ୍ତି। ତାପରେ ଆପଣଙ୍କ ସର୍ବସ୍ୱ ଲୁଟି ନିଅନ୍ତି। ସେମାନେ ଡାଇରେକ୍ଟ କଲ୍ ମାଧ୍ୟମରେ ଆପଣଙ୍କ ସହ ଯୋଗାଯୋଗ କରିବା ସହ ଭିଡିଓ କଲ୍ ବି କରିପାରନ୍ତି। ଏମିତିକି ଡିଜିଟାଲ୍ ମାଧ୍ୟମରେ ବି ମେସେଜ୍ କରନ୍ତି, ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟ୍ଫର୍ମରେ ମଧ୍ୟ ଆପଣଙ୍କୁ ଯୋଗାଯୋଗ କରନ୍ତି। ତାପରେ ଆପଣଙ୍କ ତଥ୍ୟ ଚୋରି କରିବା ଆରମ୍ଭ କରନ୍ତି। ତେଣୁ ସତର୍କ ରୁହନ୍ତୁ।
ସାଇବର ସ୍ଲେଭ୍ କ’ଣ?
ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ଏ ସାଇବର୍ ସ୍ଲେଭ୍ କ’ଣ? କାହିଁକି ଏହି ସାଇବର ଠକଙ୍କୁ ସାଇବର ସ୍ଲେଭ୍ କୁହାଯାଏ? ଏନେଇ ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁଙ୍କ କହିବା କଥା, ସାଉଥ୍ ଇଷ୍ଟ ଦେଶମାନଙ୍କରେ ସାଇବର ଅପରାଧୀଙ୍କ ଆଡ୍ଡା ରହିଛି। ଏଠାରେ କାମ କରୁଥିବା ଲୋକଙ୍କୁ ସାଇବର ସ୍ଲେଭ୍ କୁହାଯାଏ। କାରଣ ସେମାନଙ୍କୁ ଜୋର ଜବରଦସ୍ତ ବିଭିନ୍ନ ଦେଶରୁ ଉଠେଇ ନେଇ ସେଠାରେ କାମ କରାଯାଏ। ଯେଉଁମାନେ ଏଭଳି ଅପରାଧ କରିବାକୁ ରାଜି ହୁଅନ୍ତି ନାହିଁ, ସେମାନଙ୍କୁ ଶାରୀରିକ ନିର୍ଯାତନା ଦିଆଯାଏ। ସେମାନଙ୍କର ପାସ୍ପୋର୍ଟ ଓ ଭିସା ମଧ୍ୟ ଛଡ଼ାଇ ନିଆଯାଏ। ଏମିତି ଏକ ଦେଶକୁ ସେମାନଙ୍କୁ ନିଆଯାଏ ଯେଉଁଠି ସେମାନେ ଘରୁ ବାହାରକୁ ବାହାରି ପାରନ୍ତି ନାହିଁ। ଆଉ ବାହାରିବା ମାତ୍ରେ ପୋଲିସ ଧରିବାର ଭୟ ରହିଥାଏ।
ସାଇବର ସ୍ଲେଭ୍ କେମିତି ହୁଅନ୍ତି?
ଆପଣଙ୍କୁ ସୋସିଆଲ ମିଡିଆ ହେଉ କିମ୍ବା ଫୋନ୍ କଲ ମାଧ୍ୟମରେ ହେଉ, କେହି ନା କେହି ବିଦେଶରେ ଚାକିରି କରିବାକୁ ଅଫର ଦେଇପାରନ୍ତି। ଆଉ ଏଇଠୁ ଆରମ୍ଭ ହୁଏ ସାଇବର ଠକଙ୍କ ଜାଲ। ପ୍ରଥମେ ଆପଣଙ୍କ କେହି ଦୂର ସମ୍ପର୍କୀୟ ଆପଣଙ୍କୁ ଲୋଭ ଦେଖାଇବେ ବିଦେଶରେ ଚାକିରି କରିବାର। କହିବେ ‘ଓଡ଼ିଶାରେ କିମ୍ବା ଭାରତରେ କେତେ ଟଙ୍କା ପାଉଛୁ, ତାଠୁ ଅଧିକ ଟଙ୍କା ମିଳିବ ବିଦେଶରେ। ମୁଁ ବିଦେଶରେ ଚାକିରି କରି ଖୁବ୍ ଭଲରେ ଅଛି। ତୁ ଆସ, ମୁଁ ତୋ ପାଇଁ ସବୁ ବ୍ୟବସ୍ଥା କରିଦେବି। ଭଲ ଘର ପାଇବୁ, ଭଲ ବେତନ ବି ମିଳିବ। ତୋର ସବୁ ଦୁଃଖ ଦୂର ହେବ। ତୋ ପରିବାର ଶାନ୍ତିରେ ଚଳିବ।’
ବାସ୍... ଏତିକି କଥା ପରେ ଚାକିରି ଖୋଜୁଥିବା ଲୋକମାନେ ବାହାରି ଯାଆନ୍ତି ବିଦେଶରେ କାମ କରିବାକୁ। କଳେବଳେ କୌଶଳେ ସେମାନଙ୍କୁ ୱାର୍କ ଭିସା ବଦଳରେ ଟ୍ରାଭେଲ ଭିସା ମାଧ୍ୟମରେ ଏଜେଣ୍ଟମାନେ ନେଇଯାଆନ୍ତି ବିଦେଶ। ହେଲେ ଟ୍ରାଭେଲ ଭିସା ଅବଧି ସରିବା ପରେ ଆଉ ତାଙ୍କୁ ଗୁରୁତ୍ୱ ଦେଇନଥାଏ ସଂସ୍ଥା। ଏମିତିକି ପାସ୍ପୋର୍ଟ ମଧ୍ୟ ଛଡ଼ାଇ ନେଇଥାନ୍ତି।
ତାପରେ ଆଖିରେ ଅନ୍ଧପୁଟୁଳି ବାନ୍ଧି ଅନ୍ୟଏକ ଦେଶକୁ ନେଇଯାଆନ୍ତି। ଯେମିତିକି କାମ୍ବୋଡ଼ିଆ, ଲାଉସ୍, ମିଆଁମାର ଭଳି ଦେଶ। ଏହି ଦେଶ ଗୁଡ଼ିକ ଖୁବ୍ ପାଖାପାଖି ରହିଛି। ତେଣୁ ଅନ୍ୟ ଦେଶକୁ ନେବାରେ ସେମାନଙ୍କୁ ସହଜ ହୋଇଥାଏ। ସେଠାରେ ଏମିତି ଏକ ସ୍ଥାନ ରହିଥାଏ, ଯାହାକୁ ଚାରିପଟୁ ସିକ୍ୟୁରିଟି ଗାର୍ଡମାନେ ଜଗି ରହିଥାନ୍ତି। ସେଠୁ କାହାରିକୁ ବାହାରକୁ ଛାଡ଼ାଯାଇନଥାଏ। ସେମାନେ ଚେଷ୍ଟା କଲେ ବି ବାହାରି ପାରନ୍ତି ନାହିଁ। କାରଣ ପାସ୍ପୋର୍ଟ ନଥାଏ। ବାହାରକୁ ବାହାରିଲେ ପୋଲିସ ଗିରଫ କରିବାର ଭୟ ରହିଥାଏ। ଯେଉଁମାନେ ଟିକେ ଅରାଜି ହୁଅନ୍ତି ସେଠି କାମ କରିବାକୁ, ସେମାନଙ୍କୁ ନିର୍ଧୁମ ମାଡ଼ ମଧ୍ୟ ମାରନ୍ତି ସିକ୍ୟୁରିଟି। ଯଦି କେହି କଳେ ବଳେ କୌଶଳେ ବାହାରି ଆସନ୍ତି ସେଠାରୁ, ସେମାନେ ଆଉ ଫେରିବାକୁ ଚାହାଁନ୍ତି ନାହିଁ।
ପିଲା ଆଣିକି ଦେଲେ ଛାଡ଼ିବେ
ସେଠୁ ବାହାରିବା ପାଇଁ କିମ୍ବା ଛାଡ଼ିବା ପାଇଁ ସଂସ୍ଥା ପକ୍ଷରୁ ରଖାଯାଇଥାଏ ଅନେକ ସର୍ତ୍ତ। ସାଇବର ସ୍ଲେଭ୍ ସେହି ଯାଗା ଛାଡ଼ିବାକୁ ହେଲେ ସେଠାରେ ଅନ୍ୟ ପିଲାଙ୍କୁ ରଖିବାକୁ ହୋଇଥାଏ। ତେଣୁ ସେମାନେ ଲାଗି ପଡ଼ନ୍ତି ଚାକିରି ଖୋଜୁଥିବା ପିଲାଙ୍କ ସନ୍ଧାନରେ। ନିଜେ ଯେମିତି ଫସିଥିଲେ, ଠିକ୍ ସେମିତି ଅନ୍ୟ ପିଲାଙ୍କୁ ଫସାଇବାକୁ ଚେଷ୍ଟା କରନ୍ତି। ବିଦେଶରେ ଚାକିରି କରିବାର ପ୍ରଲୋଭନ ଦେଖାଇ ଡାକନ୍ତି। ନଚେତ୍ ସାଇବର ସ୍ଲେଭ୍ ମାନଙ୍କୁ ମୋଟା ଅଙ୍କର ଟଙ୍କା ମଗାଯାଇଥାଏ। ଆଉ ସେହି ଟଙ୍କା ପୈଠ କଲା ପରେ ତାଙ୍କୁ ସେହି ନର୍କରୁ ମୁକ୍ତି ମିଳିଥାଏ।
ସତର୍କବାଣୀ
ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁଙ୍କ କହିବା କଥା, ଥାଇଲ୍ୟାଣ୍ଡ, କାମ୍ବୋଡ଼ିଆ, ମିଆଁମାର, ଲାଉସ୍, ଭିଏତନାମ ଭଳି ଦେଶରୁ ଯଦି ଜବ ଅଫର ଆସୁଛି। ତେବେ ଯାଆନ୍ତୁ ନାହିଁ। ଯଦି ଯାଉଛନ୍ତି ତେବେ ୱାର୍କ ଭିସାରେ ଯାଆନ୍ତୁ। ଆଉ ଯେଉଁ କମ୍ପାନୀରେ କାମ କରିବାକୁ ଯାଉଛନ୍ତି, ସେହି କମ୍ପାନୀ ବିଷୟରେ ଭଲ ଭାବେ ତର୍ଜମା କରନ୍ତୁ। ଇଣ୍ଟରନେଟ ହେଉ କିମ୍ବା ସେଠାରେ ରହୁଥିବା ବିଭିନ୍ନ ସାଙ୍ଗ ସାଥୀଙ୍କଠାରୁ ସେହି କମ୍ପାନୀ ବିଷୟରେ ବୁଝନ୍ତୁ। ତାପରେ ଯିବା କଥା ଭାବନ୍ତୁ।
ପ୍ରଶାନ୍ତ ସାହୁ ଆହୁରି ମଧ୍ୟ କହିଛନ୍ତି, ସେହି ଦେଶ ଗୁଡ଼ିକରେ ଚାଇନିଜ୍ ମାନଙ୍କର ବିଭିନ୍ନ କସିନୋ ରହିଛି। ଯେଉଁଠି ସାଇବର ଅପରାଧ କରାଯାଏ। ସେଇଠାରେ ହିଁ କାମ କରିବାକୁ ବିଭିନ୍ନ ଦେଶରୁ ଲୋକଙ୍କୁ ଉଠାଯାଏ। ତେଣୁ ବିଦେଶ ଯିବା ଲୋଭ ଛାଡ଼ି ଟିକେ ତର୍ଜମା କରନ୍ତୁ। ତାପରେ ଯାଆନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)