• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭୁବନେଶ୍ୱର: ରାଜଧାନୀବାସୀଙ୍କ ନିଦ ହଜାଇଲେଣି ଲୁଟେରା। ସ୍ମାର୍ଟସିଟିରେ ରାତି ଅନ୍ଧାରରେ ନୁହଁ, ଭିନ୍ନ ତରିକା ଆପଣାଇ ଦିନ ଦିପହରେ ଲୋକଙ୍କୁ ଲୁଟୁଛନ୍ତି। ଗଲା କିଛି ଦିନ ଧରି ସହରରେ ଏଭଳି ଲୁଟ୍ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଆଜି ସାମ୍ନାକୁ ଆସିଛି ବିବାହ ମଣ୍ଡପରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍ ଅଭିଯୋଗ ଘଟଣା। ଜଣେ ନାବାଳକ ସହ ଦୁଇ ଲୁଟେରା ଅତିଥି ବେଶରେ ଅଆସି କଳାକନା ବୁଲାଇଥିବା ଜଣାପଡିଛି।

ରାଜ୍ୟ ରାଜଧାନୀରେ ଲୁଟେରାଙ୍କ ରାଜ୍ ଚାଲିଥିବା ବେଳେ ଟିକିଏ ଅସାବଧାନ ହେଲେ, ଆଖି ପିଛୁଳାକେ ଲୁଟ୍‌ର ଶିକାର ଭୟ ରହିଛି। ଗଲା କିଛି ଦିନ ଧରି ସ୍ମାର୍ଟସିଟିରେ ସିରିଜ୍ ଲୁଟ୍ ଚାଲିଥିବା ବେଳେ ଏବେ ସାମ୍ନାକୁ ଆସିଛି ଭିନ୍ନ ତରିକାରେ ଲୁଟ୍‌ର ଆଉ ଏକ କାହାଣୀ।

ପୁରୀ-କଟକ ବାଇପାସ ରୋଡ୍‌ରେ ଏକ ମଣ୍ଡପରେ ଗତ ୨୩ ତାରିଖରେ ଆୟୋଜିତ ହେଉଥିଲା ଏକ ବିବାହ ଉତ୍ସବ। କନ୍ୟାପକ୍ଷ ଲୋକେ ସୁନାଗହଣା ଧରି ଘର ଭିତରେ ବସିଥିବା ବେଳେ ଏପଟେ ଷ୍ଟେଜ୍‌ରେ ଥିଲେ ବର-କନ୍ୟା। ମଣ୍ଡପକୁ ଠିକ୍ ଅତିଥିଙ୍କ ଭଳି ଆସିଥିଲେ ଏ ଦୁଇ ଲୁଟେରା। କାନରେ ଫୋନ୍ ଲଗାଇଥିବା ଜଣେ ଯୁବକଙ୍କ ଇସାରାରେ ହିଁ କାମ କରୁଥିଲା ଅନ୍ୟ ନାବାଳକ ଭଳି ଜଣାପଡୁଥିବା ଲୁଟେରା। ତା’ ଭିତରେ ସୁଯୋଗ ଦେଖି ଘର ଭିତରୁ ଏକ ସୁନା ହାର, କାନଫୁଲ ଓ ୫ଟି ସୁନା ମୁଦି ଥିବା ବ୍ୟାଗ୍ ଧରି ଚମ୍ପଟ୍ ମାରିଥିଲେ ଉଭୟ।

ପରେ ଗହଣା ଲୁଟ୍ ହୋଇଥିବା ଜଣାପଡ଼ିବାରୁ ମଣ୍ଡପର ସିସିଟିଭି ଫୁଟେଜ୍ ଚେକ୍ କରି ପରଦିନ ସହିଦନଗର ଥାନାରେ ଅଭିଯୋଗ କରିଥିଲେ କନ୍ୟାପକ୍ଷ ଲୋକ। ହେଲେ ଏଯାଏଁ ଲୁଟେରାଙ୍କ ସମ୍ପର୍କରେ ସାମାନ୍ୟତମ ସୁରାକ୍ ବି ପାଇପାରିନି ପୋଲିସ।

ଏପଟେ ଗଲା କିଛି ଦିନ ଧରି ରାଜଧାନୀରେ ଉତ୍ପାତ ଚଳାଇଛନ୍ତି ବଙ୍ଗୀୟ ଲୁଟେରା। ଜାନୁୟାରୀ ୨୦ରେ ବଡ଼ଗଡ଼, ଜାନୁୟାରୀ ୨୧ରେ ନୟାପଲ୍ଲୀ, ଜାନୁୟାରୀ ୨୨ରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଔଷଧ ଦୋକାନ ଏବଂ ଜାନୁୟାରୀ ୨୫ରେ ଖାରବେଳ ନଗର ଥାନା ଅଞ୍ଚଳର ଏକ ତେଜରାତି ଦୋକାନରୁ ଲୁଟ୍ କରି ଆତଙ୍କ ମଚାଇଛନ୍ତି ଏହି ଲୁଟେରା ଗ୍ୟାଙ୍ଗ୍। ତେବେ ପୋଲିସ ୟା ଭିତରେ ବଙ୍ଗୀୟ ଗ୍ୟାଙ୍ଗ୍‌ର ୪ ଜଣଙ୍କୁ ବାନ୍ଧି ସାରିଥିବା ବେଳେ ଏ ଗ୍ୟାଙ୍ଗ୍‌ର ଆହୁରି ସଦସ୍ୟ ସକ୍ରିୟ ଥିବା ଅନୁମାନ କରାଯାଉଛି।

ଏପଟେ ବଙ୍ଗୀୟ ଲୁଟେରାଙ୍କ ଚେର ଖୋଜୁଥିବା କମିଶନରେଟ୍ ପୋଲିସ୍‌ ବିନା ପରିଚୟ ଯାଞ୍ଚ୍‌ରେ ସେମାନଙ୍କୁ ହୋଟେଲରେ ରଖିଥିବା ଅଭିଯୋଗରେ ୨ଟି ହୋଟେଲର ମାଲିକ ଓ ମ୍ୟାନେଜର୍‌ଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସେହିଭଳି ନିକଟରେ ଭୁବନେଶ୍ୱର ଟଙ୍କପାଣି ରୋଡ୍‌ର ଏକ ଇଣ୍ଟେରିଅର ଦୋକାନ, ଶିଖରଚଣ୍ଡି ନଗର ବସ୍ତିର ଏକ ବ୍ୟାଟେରୀ ଦୋକାନ ଏବଂ ପିପିଲି ଛକର ଏକ ସିମେଣ୍ଟ ଦୋକାନରୁ ଗ୍ରାହକ ସାଜି ଦିନ ଦିପହରେ ଅପରାଧୀମାନେ ଲୁଟ୍ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ବି ଏମାନଙ୍କ ସମ୍ପର୍କରେ କୌଣସି ସୁରାକ ମିଳିପାରିନି।