• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡିକୁ ଏବେ ବିଦ୍ରୋହୀ ଅଡୁଆ । ପୌର ନିର୍ବାଚନରେ ଦଳୀୟ ଟିକଟ ପାଇନଥିବାରୁ ଭୁବନେଶ୍ୱର, କଟକ ଓ ବ୍ରହ୍ଣପୁର ମହାନଗର ନିଗମରେ ଅନେକ ଦଳୀୟ ନେତା ସ୍ବାଧୀନ ପ୍ରାର୍ଥୀ ଭାବେ ମୈଦାନରେ ଓହ୍ଲାଇଛନ୍ତି । ମ୍ୟୁନିସିପାଲିଟି ଓ ଏନ୍ଏସିଗୁଡ଼ିକରେ ବି ସମାନ ସ୍ଥିତି । ତେବେ ପ୍ରାର୍ଥିପତ୍ର ପ୍ରତ୍ୟାହର ଲାଗି ୧୪ ତାରିଖ ଯାଏ ସମୟ ଥିବାରୁ ବିଦ୍ରୋହୀ ପ୍ରାର୍ଥୀଙ୍କୁ ବୁଝାସୁଝା ଲାଗି ଉଦ୍ୟମ ଆରମ୍ଭ ହୋଇଛି । 

ପୌର ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ସରିବା ପରେ ଏବେ ସାମ୍ନାକୁ ଆସୁଛନ୍ତି ମାଳ ମାଳ ବିଦ୍ରୋହୀ ପ୍ରାର୍ଥୀ । ଭୁବନେଶ୍ୱର ହେଉ କି କଟକ ଅବା ବ୍ରହ୍ମପୁର, ସବୁଠି ଖୋଲାଖୋଲି ଅସନ୍ତୋଷ । କିଛି କିଛି ଓ୍ୱାର୍ଡରେ ବିଜେଡିରୁ ନିରାଶ ହୋଇଥିବା ଆଶାୟୀମାନେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି । ଆଉ କିଛି ସ୍ଥାନରେ ଦଳ ବଦଳ କରି ଲଢ଼େଇକୁ ଓହ୍ଲାଇଛନ୍ତି ।

ଭୁବନେଶ୍ୱର ଓ୍ୱାର୍ଡ ନମ୍ବର ୬୫ରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ରାଜେଶ ପାତ୍ର । କିନ୍ତୁ ଏଠାରୁ ଦଳୀୟ ଟିକଟ୍ ପାଇଁ ଆଶା ରଖିଥିବା କିଶୋରୀ ମୋହନ ପଟ୍ଟନାୟକ ଗତକାଲି ସ୍ୱାଧୀନ ଭାବେ ନାମାଙ୍କନ ଭରିଥିଲେ । ସେ ଆଜି ଶୋଭାଯାତ୍ରାରେ ଯାଇ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟଙ୍କ ଘରେ ପହଞ୍ଚି ଦଳୀୟ ଟିକଟ୍ ପାଇଁ ଦାବି କରିଛନ୍ତି । ଏହି ଓ୍ୱାର୍ଡ ଅଧୀନରେ ଥିବା ପାତ୍ରପଡା-ଭଗବାନପୁର ଗାଁ ଜଟଣୀ ନିର୍ବାଚନ ମଣ୍ଡଳୀରେ ଆସୁଛି । ଦଳୀୟ ପ୍ରାର୍ଥୀ ରାଜେଶ ପାତ୍ରଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡା ସମର୍ଥନ କରୁଥିବା ବେଳେ କିଶୋରୀ ମୋହନଙ୍କୁ ସମର୍ଥନ ଜଣାଇଛନ୍ତି ବିଭୂତି ବଳବନ୍ତରାୟ ।

କେବଳ ସେତିକି ନୁହେଁ ଓ୍ୱାର୍ଡ ନମ୍ବର ୩୮ରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ରାଜଶ୍ରୀ ମହାନ୍ତି ମଧ୍ୟ ଟିକଟ୍ ଆଶାରେ ନିଜ ସମର୍ଥକଙ୍କ ସହ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟିଛନ୍ତି । ଟିକଟ୍ ନମିଳିବା ନେଇ ସେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନରାୟଣ ଜେନାଙ୍କ ଉପରେ ଦୋଷ ଲଦିଛନ୍ତି । ଏହି ଓ୍ୱାର୍ଡରେ ବିଜେଡିରୁ ପଦ୍ମଜା ଜେନାଙ୍କୁ ଟିକଟ ମିଳିଛି । ବିଏମ୍‌ସିରେ ପାଖାପାଖି ୨୦ଟି ଓ୍ୱାର୍ଡରେ ବିଦ୍ରୋହୀ ପ୍ରାର୍ଥୀ ଏବେ ବିଜେଡି ପାଇଁ ମୁଣ୍ଡବଥା ପାଲଟିଛନ୍ତି ।

କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ବି ଅସନ୍ତୁଷ୍ଟଙ୍କ ତାଲିକା କିଛି କମ୍ ନୁହେଁ । କଟକର ୨୦ ନମ୍ବର ଓ୍ୱାର୍ଡର ଆଶାୟୀ ପ୍ରାର୍ଥୀ ତଥା ବିଜେଡି ନେତା ବିଜୟ ବେହେରାଙ୍କୁ ଟିକଟ ନମିଳିବା ପରେ ସେ ସ୍ୱାଧୀନ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ସେହିଭଳି ୪୧ ନମ୍ବର ଓ୍ୱାର୍ଡରେ ପୂର୍ବତନ କର୍ପୋରେଟର୍ ଦୟା ନାୟକ, ବିକାଶ ବେହେରା ପ୍ରମୁଖ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି । କଟକରେ ବିଜେଡିର ପ୍ରାୟ ୧୦ ଜଣ ନେତା, ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ଜଣାପଡ଼ିଛି ।

ଠିକ୍ ସେଭଳି ବ୍ରହ୍ମପୁର ମହାନଗର ନିଗମରେ ବିଜେଡିର ପୁରୁଣା କର୍ମୀଙ୍କୁ ଗୁରୁତ୍ୱ ଦିଆନଯାଇ କଂଗ୍ରେସରୁ ଆମଦାନୀ ନେତାଙ୍କୁ ଟିକକ ଦିଆଯାଉଥିବା ଅଭିଯୋଗ ହୋଇଛି । ପୂର୍ବତନ କର୍ପୋରେଟର୍ ବିରେନ ପଟ୍ଟନାୟକ, ଜ୍ୟୋତି ସୁବୁଦ୍ଧି, ପ୍ରଶାନ୍ତ ପଟ୍ଟନାୟକ, ବଦ୍ରି ନାୟକ ପ୍ରମୁଖ ସ୍ୱାଧୀନ ଭାବେ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ।

ବିଜେଡି ବି ସ୍ୱୀକାର କରିଛି ହଁ ଦଳରେ ଅସନ୍ତୋଷ ରହିଛି । ହେଲେ ଫ୍ଲୋର ମ୍ୟାନେଜମେଣ୍ଟ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ତେବେ କେବଳ ୩ ମହାନଗର ନିଗମ ନୁହେଁ ରାଜ୍ୟରେ ୧୦୬ ପୌରାଞ୍ଚଳରେ ମଧ୍ୟ ବିଜେଡିର ଟିକଟ ବଣ୍ଟନକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି ।