Advertisment

Trump - Zelensky: ଜୟଶଙ୍କରଙ୍କ କଥା ଯଦି ଶୁଣିଥାନ୍ତେ ଜେଲେନସ୍କି…ଟ୍ରମ୍ପଙ୍କ ସହ ହୋଇ ନ ଥାନ୍ତା ଏମିତି ବାକଯୁଦ୍ଧ !

ଜୟଶଙ୍କର ଟ୍ରମ୍ପଙ୍କ ବିଷୟରେ ପୂର୍ବରୁ ଯାହା କହିଥିଲେ, ଆଜି ତାହା ସତ୍ୟ ପ୍ରମାଣିତ ହୋଇଛି । ଜୟଶଙ୍କର ଟ୍ରମ୍ପଙ୍କୁ କହିଥିଲେ ସେ ଜଣେ ‘ଆମେରିକାକ ରାଷ୍ଟ୍ରବାଦୀ’ ନେତା, ଯିଏ କେବଳ ନିଜ ଦେଶର ହିତକୁ ସର୍ବାଗ୍ରେ ପ୍ରାଥମିକତା ଦେଇଥାନ୍ତି । ଏଥସହିତ ଅନାବଶ୍ୟକ ବିଦେଶୀ ଖର୍ଚ୍ଚକୁ ନେଇ ମଧ୍ୟ ସେ ବହୁତ ସତର୍କ ଏବଂ ସଚେତନ ।

author-image
Minati Mishra
ଅଦ୍ୟତନ ହୋଇଛି
ଠିକ୍ କହିଥିଲେ ଜୟଶଙ୍କର

ଠିକ୍ କହିଥିଲେ ଜୟଶଙ୍କର

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ବୋଲଦିମିର ଜେଲେନସ୍କିଙ୍କ ବାକଯୁଦ୍ଧକୁ ନେଇ ବିଶ୍ୱ ରାଜନୀତି ସରଗରମ । ହ୍ୱାଇଟ ହାଉସର ଓଭାଲ ଅଫସରେ ଦୁଇ ବିଶ୍ୱ ନେତା ହୋଇଥିଲେ ମୁହାଁମୁହିଁ, ତାହା ପୁଣି କ୍ୟାମେରା ସାମ୍ନାରେ । ବୋଧହୁଏ ଏପରି ସ୍ଥିତି ଓଭାଲ ହାଉସ କେବେ ଦେଖି ନ ଥିବ । ଟ୍ରମ୍ପ-ଜେଲେନସ୍କିଙ୍କର ଏହି ବାକ ଯୁଦ୍ଧ ଦେଖି ସାରା ଦୁନିଆ ସେଦିନ ସ୍ତବ୍ଧ ହୋଇଯାଇଥିଲା ।

Advertisment

ପୂର୍ବରୁ ବାଇଡେନ ସରକାର ଯୁଦ୍ଧ କ୍ଷତିଗ୍ରସ୍ତ  ୟୁକ୍ରେନକୁ ସହାୟତାର ହାତ ବଢାଇଥିଲା । ତେଣୁ  ଜେଲେନସ୍କି ଟ୍ରମ୍ପଙ୍କଠାରୁ ସେହିପରି ଆଭିମୁଖ୍ୟ ଆଶା କରିଥିଲେ ।  ରୁଷ ସହ ଯୁଦ୍ଧରେ ବିରତି ଘୋଷଣା ଏବଂ ଆମେରିକା ସହ ଖଣିଜ ଚୁକ୍ତି ସ୍ୱାକ୍ଷର କରିବା ପାଇଁ ଆମେରିକା ଆସିଥିଲେ ଜେଲେନସ୍କି । ହେଲେ ଭୁଲ ହୋଇ ଯାଇଥିଲା ସବୁ ଅଙ୍କ । ପରିସ୍ଥିତି ଏମିତି ହୋଇଥିଲା ଯେ, ଜେଲେନ୍ସ ଓ ତାଙ୍କ ଟିମ ବୈଠକ ଅଧାରୁ ଉଠି ଚାଲି ଆସିଥିଲେ । ଏପରିକି  ହ୍ୱାଇଟ ହାଉସରେ ଆୟୋଜିତ ରାତ୍ରି ଭୋଜନରେ ବି ଯୋଗ ଦେଇନଥିଲେ ।

ଏଇଠି ଭାବିବାରେ ଭୁଲ କରିଥିଲେ ଜେଲେନସ୍କି । ପୂର୍ବତନ ରାଷ୍ଟ୍ରପତି ବାଇଡେନ ଯେମିତି ସହାୟତା ହାତ ବଢାଉଥିଲେ, ଟ୍ରମ୍ପ ବି ଠିକ ସେମିତି କରିବେ-ଏମିତି ଏକ ଭୁଲ ଚିନ୍ତାଧାରା ପାଇଁ ଟ୍ରମ୍ପଙ୍କ କ୍ଷୋଭର ଶିକାର ହେଲେ ଜେଲେନସ୍କି । ଟ୍ରମ୍ପ ଜଣେ ଭିନ୍ନ ଚନ୍ତାଧାରର ବ୍ୟକ୍ତି ।  ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନେଇ ଏମିତି କିଛି ପୂର୍ବାନୁମାନ କରିଥିଲେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ତାଙ୍କ କଥା ବି ଯଦି ଜେଲେନସ୍କି ଶୁଣିଥାନ୍ତେ ହୁଏତ ଏମିତି ଏକ ଦିନ ଆସି ନ ଥାନ୍ତା । ତେବେ ଟ୍ରମ୍ପଙ୍କୁ ନେଇ କି ପ୍ରକାର ପୂର୍ବାନୁମାନ କରିଥିଲେ ଜୟଶଙ୍କର, ଆସନ୍ତୁ ଜାଣିବା ।

Advertisment

ଟ୍ରମ୍ପଙ୍କୁ ନେଇ କ’ଣ କହିଥିଲେ ଜୟଶଙ୍କର

କୂଟନୈତିକ ବୁଝାମଣା ଏବଂ ସ୍ପଷ୍ଟ ବିଦେଶ ନୀତିକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କର ବିଶେଷ ପରିଚୟ ରହିଛି । ଜୟଶଙ୍କରଙ୍କ ଶକ୍ତି ଓ ବୁଦ୍ଧିକୁ ସାରା ବିଶ୍ୱ ସ୍ୱୀକାର କରୁଛି । ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଓ କାର୍ଯ୍ୟକଳାପକୁ ନେଇ ସାରା ବିଶ୍ୱରେ ଆଲୋଡନ ସୃଷ୍ଟି ହୋଇଛି । ଆଉ ଟମ୍ପଙ୍କର ଏଇ ପରିବର୍ତ୍ତିତ ଆଭିମୁଖ୍ୟକୁ ପ୍ରଥମ ଦେଖାରେ ବେଶ ବୁଝି ପାରିଥିଲେ ଜୟଶଙ୍କର । ଏବେ ଜେଲେନସ୍କି-ଟ୍ରମ୍ପ ବାକଯୁଦ୍ଧ ପରେ  ଏମିତି ବି କୁହାଯାଉଛି, ଯଦି ଜେଲେନସ୍କି ଜୟଶଙ୍କରଙ୍କ କଥା ଶୁଣିଥାନ୍ତେ, ତେବେ ଟ୍ରମ୍ପଙ୍କ ସହ ତାଙ୍କର ଏପରି ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା ।

ଜୟଶଙ୍କର ଟ୍ରମ୍ପଙ୍କ ବିଷୟରେ ପୂର୍ବରୁ ଯାହା କହିଥିଲେ, ଆଜି ତାହା ସତ୍ୟ ପ୍ରମାଣିତ ହୋଇଛି । ଜୟଶଙ୍କର ଟ୍ରମ୍ପଙ୍କୁ କହିଥିଲେ ସେ ଜଣେ ‘ଆମେରିକୀୟ ରାଷ୍ଟ୍ରବାଦୀ’ ନେତା, ଯିଏ କେବଳ ନିଜ ଦେଶର ହିତକୁ ସର୍ବାଗ୍ରେ ପ୍ରାଥମିକତା ଦେଇଥାନ୍ତି । ଏଥସହିତ ଅନାବଶ୍ୟକ ବିଦେଶୀ ଖର୍ଚ୍ଚକୁ ନେଇ ମଧ୍ୟ ସେ ବହୁତ ସତର୍କ ଏବଂ ସଚେତନ ।

ଗତ ଜାନୁଆରୀ ୩୦ ତାରିଖରେ ଦିଲ୍ଲୀ ହଂସରାଜ କଲେଜରେ ‘ଯୁବବର୍ଗଙ୍କ ପାଇଁ ବିକଶିତ ଭାରତ’ ବିଷୟ ଉପରେ ଆଲୋଚନା ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜୟଶଙ୍କର ଟ୍ରମ୍ପଙ୍କ ବିଷୟରେ ଭବିଷ୍ୟବାଣୀ କରିଥିଲେ ।  ଏହି କାର୍ଯ୍ୟକ୍ରମ ପୂର୍ବରୁ ଜୟଶଙ୍କର ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇ ଫେରିଥିଲେ । ଏହା ଉପରେ ମତ ରଖି ଜୟଶଙ୍କର କହିଥିଲେ, ‘ଭାଇ, ଆମେ ତାଙ୍କର ଅତିଥି ଭାବେ ଯାଇଥିଲୁ । ତାଙ୍କର ଉଦଘାଟନ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲୁ । ସେମାନେ ଆମକୁ ବହୁତ ସୁନ୍ଦର ସ୍ୱାଗତ କରିଥିଲେ । ତାଙ୍କର ଆତିଥେୟତା ମଧ୍ୟ ବହୁତ ଭଲ ଥିଲା । ଏସବୁ ମଧ୍ୟ ଏକ ପ୍ରକାର ବାର୍ତ୍ତା ଅଟେ ।’

ଏଥସିହତ ଜୟଶଙ୍କର ଆହୁରି କହିଥିଲେ, ‘ଯଦି ଗମ୍ଭୀରତାର ସହ ଦେଖାଯାଏ ତେବେ ମୁଁ ଅନୁଭବ କରୁଛି ଯେ ସେ (ରାଷ୍ଟ୍ରପତି ଟ୍ରମ୍ପ) ଏକ ପ୍ରକାର ଆମେରିକାନ ରାଷ୍ଟ୍ରବାଦୀ ଅଟନ୍ତି । ତାଙ୍କୁ ଲାଗେ ଯାହା କିଛି ଆମେରିକା ପାଇଁ କରାଯିବା ଜରୁରୀ ତାହା ହେବା ଦରକାର । କାରଣ ଆମେରିକା ଗତ ୮୦ ବର୍ଷ ଧରି ସାରା ବିଶ୍ୱ ପାଇଁ ଥିବା ତାର ଦାୟିତ୍ୱ ନିଭାଇ ଆସିଛି । ତାଙ୍କୁ ଲାଗୁଛି, ଅନାବଶ୍ୟକ ଭାବେ ବହୁତ ଜାଗାରେ ଟଙ୍କା ଖର୍ଚ୍ଚ ହେଉଛି , ଯାହା କି ହେବାର ଆବଶ୍ୟକତା ନାହିଁ । ତାଙ୍କ ହିସାବରେ ଏସବୁ ଅର୍ଥ ଆମେରିକାର ଜନତାଙ୍କ ଉପରେ କେନ୍ଦ୍ରିତ ହେବା ଉଚିତ ।’

ଏଠି କହିରଖିବୁ, ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତି ହୋଇଥିଲେ ସେତେବେଳେ ତାଙ୍କ ବିଦେଶ ନୀତି ଏହି ବିଚାରଧାରା ଉପରେ ଆଧାରିତ ଥିଲା । ସେ ‘ଆମେରିକା ଫାଷ୍ଟ’ ନୀତି ଆପଣେଇଥିଲେ ଏବଂ ଅନେକ ବିଦୈଶିକ ଚୁକ୍ତିନାମାରେ ପରିବର୍ତ୍ତନ ଆଣିଥିଲେ । ସେ ସମୟରେ ବି ସ୍ପଷ୍ଟ ହୋଇଥିଲା ଯେ, ଟ୍ରମ୍ପଙ୍କ ଧ୍ୟାନ ଆମେରିକାର ହିତ ଉପରେ ହିଁ କେନ୍ଦ୍ରିତ ରହିଛି ।

ଯାହା ବି ହେଉ, ହଂସରାଜ କଲେଜରେ ଜୟଶଙ୍କର ଦେଇଥିବା ଏହି ବାର୍ତ୍ତା ମାସକ ପରେ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ଟ୍ରମ୍ପ-ଜେଲେନସ୍କି ମୁହାଁମୁହିଁ ହେବା ପରେ ଏହି କଥା ଶୁଣିବାକୁ ମିଳୁଛି, ଯଦି ଜେଲେନସ୍କି ଜୟଶଙ୍କରଙ୍କର ଏହି କଥାକୁ ମାନିଥାନ୍ତେ ତେବେ ହୁଏତ ଏମିତି ସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା ।

ଯଦି ୟୁକ୍ରେନ ରାଷ୍ଟ୍ରପତି ବୋଲଦିମିର ଜେଲେନସ୍କି ଜୟଶଙ୍କରଙ୍କ ଏହି ବାର୍ତ୍ତାକୁ ବିଚାର କରିଥାନ୍ତେ ଏବଂ ଟ୍ରମ୍ପଙ୍କ ସହ ଆଲୋଚନା ସମୟରେ ଏହାକୁ ଦୃଷ୍ଟିରେ ରଖି କଥାବାର୍ତ୍ତାରେ ସନ୍ତୁଳନ ରକ୍ଷା କରିଥାନ୍ତେ ତେବେ ଏପରି ସ୍ଥିତି ସୃଷ୍ଟି ହୋଇ ନଥାନ୍ତା । ଆମେରିକା ପ୍ରାଥମିକ ସ୍ତରରେ ୟୁକ୍ରେନକୁ ସେନା ଏବଂ ଆର୍ଥିକ ସହାୟତାର ଭରସା ଦେଇଥିଲା । ହେଲେ ଦୀର୍ଘଦିନ ଧରି ଏହି ଯୁଦ୍ଧ ଲାଗି ରହିବା ଦେଖି ଆମେରିକା ଏବେ ନିଜ ଦେଶର ହିତକୁ ପ୍ରାଥମିକତା ଦେଉଛି । ଠିକ ଏହି କଥା ହିଁ ଜୟଶଙ୍କର ଜାନୁଆରୀ ୩୦ ତାରିଖରେ କହିଥିଲେ ।

ଭାରତୀୟ କୂଟନୀତି ଏବଂ ଜୟଶଙ୍କରଙ୍କ ସ୍ପଷ୍ଟ ନୀତି

ଭାରତ ସବୁବେଳେ ସ୍ୱତନ୍ତ୍ର ରଣନୀତି ଉପରେ ଗୁରୁତ୍ୱ ଦେଇ ଆସିଛି । ଜୟଶଙ୍କରଙ୍କର ବିଦେଶ  ନୀତି ମଧ୍ୟ ଏହା ଉପରେ ଆଧାରିତ  । ସେ ଆମେରିକା ଏବଂ ରୁଷ ଉଭୟ ଦେଶ ସହିତ ଏକ ସନ୍ତୁଳିତ ସମ୍ପର୍କ ରଖି ଆସିଛନ୍ତି । ସେହିପରି ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ମଧ୍ୟ କୌଣସି ଗୋଟିଏ ପକ୍ଷର ସମର୍ଥନ କରୁ ନଥିଲେ । ଜୟଶଙ୍କରଙ୍କ  ଏହି ସ୍ପଷ୍ଟ ଚିନ୍ତାଧାରା ଏବଂ ଦୂରଦୃଷ୍ଟି ଭାରତକୁ ବିଶ୍ୱ ଶକ୍ତି ଭାବେ ଛିଡା ହେବାରେ ସାହାଯ୍ୟ କରୁଛି । ସେ କେବଳ ଭାରତ-ଆମେରିକା ସମ୍ପର୍କକୁ ମଜବୁତ କରି ନାହାନ୍ତି ବରଂ ରୁଷ ସହ ଭାରତର ପୁରୁଣା ସମ୍ପର୍କକୁ ମଧ୍ୟ ମଜବୁତ କରି ରଖି ପାରିଛନ୍ତି ।

 ଆଜି ସାରା ବିଶ୍ୱ ଆମେରିକାର ପରିବର୍ତ୍ତିତ ବିଦେଶ ନୀତି, ଟ୍ରମ୍ପଙ୍କ ବିଚାରଧାରା ଏବଂ ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବକୁ ଅନୁଭବ କରୁଥିବାବେଳେ ଜୟଶଙ୍କରଙ୍କର ଏହି ଭବିଷ୍ୟବାଣୀ ଏବେ ଖୁବ ପ୍ରାସଙ୍ଗିକ ମନେ ହେଉଛି । 

Donald Trump Ministry Of Foreign Affairs United States Of America Ukraine Prez Ukraine Zelensky
Advertisment
Advertisment