• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସନ୍ତା ରବିବାର ପାର୍ଲାମେଣ୍ଟର ନୂଆ ବିଲଡିଂ ସେଣ୍ଟ୍ରାଲ ଭିଷ୍ଟା ଉଦଘାଟନ ହେବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ବେଳେ, ବିରୋଧୀ ପୂରାଇଛନ୍ତି କେଁ । ରାଷ୍ଟ୍ରପତିଙ୍କୁ ଉଦଘାଟନ ପାଇଁ ନିମନ୍ତ୍ରଣ କରାଯାଇ ନଥିବାରୁ ବିରୋଧୀମାନେ ଏହି ଉତ୍ସବକୁ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି । ଏହାକୁ ନେଇ ବିରୋଧୀମାନଙ୍କୁ ସମାଲୋଚନା କରିଛି ବିଜେପି । ବେଦମନ୍ତ୍ର ଉଚ୍ଚାରଣ ସହ ଯଜ୍ଞ ଓ ପୂଜାପାଠ ପରେ ସେଣ୍ଟ୍ରାଲ ଭିଷ୍ଟାର ଆନୁଷ୍ଠାନିକ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।...

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିମନ୍ତ୍ରଣ କ୍ରମେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଉତ୍ସବରେ ରାଷ୍ଟ୍ରପତିଙ୍କୁ ମୁଖ୍ୟ ଅତିଥି କରାଯାଇ ନଥିବାରୁ କେଁ କାଢ଼ିଛନ୍ତି ବିରୋଧୀ । ରାଷ୍ଟ୍ରପତିଙ୍କୁ ନୂଆ ସଂସଦଭବନ ଉଦଘାଟନ ପାଇଁ ନିମନ୍ତ୍ରଣ କରାଯାଇ ନଥିବାରୁ ବିରୋଧୀ ଦଳ ଅସନ୍ତୋଷ ପ୍ରକାଶ କରିବା ସହିତ ଏହି ଉତ୍ସବକୁ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହାକୁ ନେଇ କଡା ସମାଲୋଚନା କରିଛନ୍ତି ।

ଅଧିକ ପଢ଼ନ୍ତୁ: ନୂତନ ସଂସଦ ଭବନରେ ଶୋଭା ପାଇବ ବ୍ରୋଞ୍ଜର ଅଶୋକ ସ୍ତମ୍ଭ

ନିର୍ବାଚନକୁ ନଜରରେ ରଖି ମୋଦି ସରକାର ଆଦିବାସୀ ସମ୍ପ୍ରଦାୟରୁ ଜଣଙ୍କୁ ରାଷ୍ଟ୍ରପତି କରିଥିବା ଜଣାପଡୁଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ନୂଆ ପାର୍ଲାମେଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ସେତେବେଳେ ନିମନ୍ତ୍ରଣ କରାଯାଇ ନଥିଲା । ଆଉ ଏବେ ନୂଆ ପାର୍ଲାମେଣ୍ଟ ବିଲଡିଂର ଉଦଘାଟନ ପାଇଁ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ହୋଇନାହିଁ । ସଂସଦ ହେଉଛି ଭାରତର ସର୍ବୋଚ୍ଚ ବ୍ୟବସ୍ଥାପିକା ଏବଂ ରାଷ୍ଟ୍ରପତି ହେଉଛନ୍ତି ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ।

ରାଷ୍ଟ୍ରପତି ଉଭୟ ସରକାର ଓ ବିରୋଧୀଙ୍କ ସହ ସାଧାରଣ ଲୋକଙ୍କ ପ୍ରତିନିଧିତ୍ୱ କରିଥାନ୍ତି । ସେ ହେଉଛନ୍ତି ଭାରତର ପ୍ରଥମ ନାଗରିକ। ତାଙ୍କ ଦ୍ୱାରା ନୂତନ ପାର୍ଲାମେଣ୍ଟ ବିଲଡିଂର ଉଦଘାଟନ ହେଲେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସାମ୍ବିଧାନିକ ଅଧିକାର ପ୍ରତିଫଳିତ ହେବ ବୋଲି ଖଡ଼ଗେ ଟ୍ୱିଟ୍ କରିଛନ୍ତି । ରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ପାର୍ଲାମେଣ୍ଟ ବିଲଡିଂର ଉଦଘାଟନ ହେବା ଉଚିତ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ମତ ରଖିଛନ୍ତି । ....

ଅଧିକ ପଢ଼ନ୍ତୁ: ୨୧ ବର୍ଷ ପରେ ବି ତାଜା ଅଛି ସଂସଦ ଭବନ ଆକ୍ରମଣର କ୍ଷତ : ପ୍ରାଣବଳୀ ଦେଇଥିଲେ ୯ ସୁଯୋଗ୍ୟ ସୂତ

କଂଗ୍ରେସ ସମାଲୋଚନାର କଡା ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ । କଂଗ୍ରେସର କେତେକ ନେତା ପୂର୍ବରୁ ନୂତନ ବିଲଡିଂର ଆବଶ୍ୟକତା ପାଇଁ ଦାବି କରୁଥିବା ବେଳେ ଏହାକୁ କାର୍ଯ୍ୟକାରୀ କରାଇପାରିନଥିଲେ। ଏବେ ତାହାର ଉଦଘାଟନକୁ ନେଇ ସେମାନେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ୨୦୨୦ ମସିହାରେ ବିରୋଧୀ ମାନେ ଏକାଠି ହୋଇ ଏପରି ବ୍ୟବବହୁଳ ପ୍ରକଳ୍ପକୁ ବିରୋଧ କରିଥିଲେ । ନୂଆ ପାର୍ଲାମେଣ୍ଟ ବିଲଡିଂ ଭାରତର ପ୍ରଗତି ଓ ସମୃଦ୍ଧିର ପ୍ରତୀକ ହୋଇଥିଲେ ମଧ୍ୟ ବିରୋଧୀମାନେ ଏଥିରେ ସହମତ ହୋଇପାରୁନାହାନ୍ତି ।

୧୯୭୫ ମସିହାରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧି ପାର୍ଲାମେଣ୍ଟ ଆନେକ୍ସ ଓ ପରବର୍ତ୍ତୀ ପର୍ଯ୍ୟାୟରେ ୧୯୮୭ରେ ରାଜୀବ ଗାନ୍ଧି ପାର୍ଲାମେଣ୍ଟ ଲାଇବ୍ରେରୀର ଶିଳାନ୍ୟାସ କରିଥିଲେ ବୋଲି ହରଦୀପ ସିଂ ଟ୍ୱିଟ କରିଛନ୍ତି ।

ଏହି ତ୍ରିଭୁଜାକାର ସଂସଦ ଭବନର ୨୦୨୦ ଡିସେମ୍ବର ୧୦ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୨୧ ଜାନୁୟାରୀ ୧୫ ତାରିଖରୁ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା। ୬୪ ହଜାର ୫ଶହ ବର୍ଗ ମିଟର ଅଞ୍ଚଳରେ ନିର୍ମିତ ଏହି ଭବ୍ୟ ପାର୍ଲାମେଣ୍ଟରେ ରହିଛି ୪ଟି ମହଲା। ଯେଉଁଥିରେ ଏକାସଙ୍ଗେ ୧୨ ଶହ ୨୪ ଜଣ ସାଂସଦ ଏକାଠି ହୋଇପାରିବେ। ସବୁଠୁ ବଡ଼ ବିଶେଷତ୍ୱ ହେଉଛି, ଏହାର ସମ୍ବିଧାନ କକ୍ଷ। ଯେଉଁଠି ବିଭିନ୍ନ ସନ୍ଦର୍ଭ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ମହାପୁରୁଷ ମାନଙ୍କ ଫଟୋ ଚିତ୍ର ଗୁଡ଼ିକ ଏହି ସେଣ୍ଟ୍ରାଲ ଭିଷ୍ଟାରେ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥିଭାବେ ଯୋଗଦେଇ ସେଣ୍ଟ୍ରାଲ ଭିଷ୍ଟାର ଲୋକାର୍ପଣ କରିବେ ।