Advertisment

ଶୈବ ପୀଠରେ ଗଞ୍ଜେଇ ବ୍ୟାନ୍, ସରକାରଙ୍କ ନିଷ୍ପତ୍ତିକୁ ନେଇ ସେବାୟତଙ୍କ ଭିନ୍ନ ମତ

ନିର୍ଦ୍ଦେଶ ଅନୁପାଳନ ପାଇଁ ଜିଲ୍ଲାପାଳମାନଙ୍କୁ ସଂସ୍କୃତି ବିଭାଗର ଚିଠି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Shiva Temple, Cannabis Ban

ଶିବ ମନ୍ଦିରରେ ଗଂଜେଇ ମନା । ଆଉ ଚଳିବନି ଭୋଗ ନାଁରେ ବାହାନା । ରାଜ୍ୟର ସବୁ ଶୈବ ପୀଠରେ ଗଂଜେଇ ବ୍ୟାନ। ଅନନ୍ତ ବଳିଆ ଟ୍ରଷ୍ଟର ଅନୁରୋଧକୁ ଯଥାର୍ଥ ମନେ କରି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ଏହାର ଅନୁପାଳନ ପାଇଁ କଲେକ୍ଟର ଓ ଏସ୍‌ପି ମାନଙ୍କୁ ଚିଠି ଲେଖି ଅବଗତ କରିଛି ସଂସ୍କୃତି ବିଭାଗ। ତେବେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସେବାୟତଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି।

Advertisment

ଏଣିକି ସବୁ ଶୈବପୀଠରେ ନୈବେଦ୍ୟ ଆକାରରେ ଗଞ୍ଜେଇ ବନ୍ଦ ସାଙ୍ଗକୁ ଏହାର ବ୍ୟବହାର ନିଷେଧ ପାଇଁ ବି ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ଏନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ସବୁ ବିଭାଗ ପକ୍ଷରୁ ଜିଲ୍ଲାପାଳ-ଏସପିମାନଙ୍କୁ ଚିଠି ଲେଖାଯାଇ କଡ଼ା ପଦକ୍ଷେପ ନେବାକୁ କୁହାଯାଇଛି। ବିଭିନ୍ନ ଶିବ ମନ୍ଦିର ଓ ଏଥି ସହ ସଂପୃକ୍ତ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ଗଂଜେଇର ବହୁଳ ବ୍ୟବହାର ହେଉଥିବା ନେଇ କିଛି ଦିନ ତଳେ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ସଂସ୍କୃତି ବିଭାଗ ପାଖରେ ଅଭିଯୋଗ ହୋଇଥିଲା।

ଏମିତିକି ଶିବ ଭଗବାନ କେବେ ବି ଗଂଜେଇ ସେବନ କରନ୍ତିନି ଓ ସମୟକ୍ରମେ ଏହା ଅନ୍ଧବିଶ୍ୱାସରେ ପରିଣତ ହୋଇଥିବା ଟ୍ରଷ୍ଟ ଦର୍ଶାାଇଥିଲା। ଏହାଛଡା ଗଂଜେଇ ଓ ଭାଙ୍ଗ ସେବନ ଯୋଗୁଁ ଶୈବପୀଠ ଗୁଡ଼ିକର ଗାରିମା ନଷ୍ଟ ହେଉଥିବାରୁ ଏହାକୁ ସମ୍ପୂର୍ଣ୍ଣ ବ୍ୟାନ୍ ପାଇଁ ନିବେଦନ କରିଥିଲା ଟ୍ରଷ୍ଟ। ଯାହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ସଂସ୍କୃତି ମନ୍ତ୍ରୀ କହିଛନ୍ତି- ଖାଲି ଶୈବପୀଠ ନୁହେଁ, ସବୁ ଧର୍ମପୀଠରେ ନିଶାଦ୍ରବ୍ୟ ବ୍ୟବହାର ନହେଉ। ଏଥିପାଇଁ କଠୋର ପଦକ୍ଷେପର ଆବଶ୍ୟକତା ରହିଛି।

Advertisment

ସେପଟେ ସରକାରଙ୍କ ଆଜିର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଅନନ୍ତ ବଳିଆ ଟ୍ରଷ୍ଟ ମୁଖ୍ୟ ତଥା ଆଧାତ୍ମିକ ଗୁରୁ ପଦ୍ମଶ୍ରୀ ବାବା ବଳିଆ। କହିଛନ୍ତି ଶିବଙ୍କ ଭୋଗରେ ଭାଙ୍ଗ ପଡ଼େ, ହେଲେ ଗଂଜେଇ ପଡ଼େ ବୋଲି ମୁଁ ଜାଣିନି। ଗଂଜେଇ ସେବନ ଦ୍ୱାରା ମଣିଷ ରୋଗଗ୍ରସ୍ତ ହୁଏ, ଟାଣିବା ଅନୁଚିତ। ଏହାକୁ ସେବନ କରି ଯୁବପିଢ଼ି ରୋଗାକ୍ରାନ୍ତ ସହ ଅଳ୍ପାୟୁଷ ହେଉଛନ୍ତି। ଏବେ ପୁଅଙ୍କ ସହ ଝିଅମାନେ ବି ଗଂଜେଇ ଟାଣିଲେଣି।

ତେଣେ ଶିବଙ୍କ ପାଖରେ ଗଂଜେଇକୁ ନୈବେଦ୍ୟ ଆକାରରେ ଲାଗି ପରଂପରାକୁ ନେଇ ବିଭିନ୍ନ ଶୈବ ପୀଠ ସେବକଙ୍କ ପାଖରୁ ଆସୁଛି ଭିନ୍ନ ଭିନ୍ନ ମତ। ଯେହେତୁ ମହାଦେବଙ୍କୁ ଭୋଲାବାବା କୁହାଯାଏ, ତେଣୁ ଅନେକ ସମୟରେ ଭକ୍ତମାନେ ମାନସିକ ରଖି ଠାକୁରଙ୍କୁ ଗଂଜେଇ ନୁହେଁ ଭାଙ୍ଗ ଅର୍ପଣ କରିଥାନ୍ତି ବୋଲି ଉଭୟ ଲିଙ୍ଗରାଜ ଓ ଲୋକନାଥ ପୀଠର ସେବକ ମତ ଦେଇଛନ୍ତି। ତେଣେ ଆରଡ଼ି ଆଖଣ୍ଡଳମଣୀ ପୀଠ ସେବାୟତ କହିଛନ୍ତି-ଆବାହମାନ କାଳରୁ ଏଠି ଠାକୁରଙ୍କ ଘର୍ଷଣ ଭୋଗ ଓ ମେଳାରେ ଅଳ୍ପ ପରିମାଣର ଗଂଜେଇ ଅର୍ପଣର ପଂରମ୍ପରା ରହିଛି। ଏବେ ସରକାର ଏହାକୁ ବନ୍ଦ କଲେ ଠାକୁରଙ୍କ ଭୋଗରେ ବ୍ୟାଘାତ ସୃଷ୍ଟି ହେବ।

ଶିବମନ୍ଦିର ପରିସର ହେଉ ବା ବୋଲବମ୍ ଯାତ୍ରା, ଠାକୁରଙ୍କ ନାଁରେ ଦ୍ୱାହି ଦେଇ ଦିନକୁ ଦିନ ଗଂଜେଇ ସେବନର ମାତ୍ରା ବଢ଼ି ଚାଲିଛି। ତାସହ ଆଜିର ଯୁବପିଢ଼ୀ ବି ଏ ନିଶା କବଳରେ ପଡ଼ି ପଥଭ୍ରଷ୍ଟ ହେଉଛି। ଦୈନିକ ଶହ ଶହ କିଲୋ ଗଂଜେଇ ଚୋରା ଚାଲାଣବେଳେ ଧରା ପଡ଼ୁଥିବାର ଖବର ମଧ୍ୟ ଆସିଛି। ତେଣୁ ଏଭଳି ସ୍ଥିତିରେ ଖାଲି ଗଂଜେଇ ନୁହେଁ ମଦ ଭଳି ନିଶାଦ୍ରବ୍ୟକୁ ସମ୍ପୂର୍ଣ୍ଣ ବ୍ୟାନ କରିବା ଦରକାର ବୋଲି ଦାବି କରିଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ।

ସେପଟେ ଶିବ ମନ୍ଦିରରେ ଗଂଜେଇ ନିଷେଧ ନେଇ ସଂସ୍କୃତି ବିଭାଗର ନିଷ୍ପତ୍ତିକୁ ଘୋର ନିନ୍ଦା କରିଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ। କହିଛନ୍ତି ଏହା ଓଡ଼ିଆ ବିରୋଧୀ ମନୋଭାବ। ଆଜିର ପ୍ରଶାସକମାନେ ଓଡ଼ିଆ ସଂସ୍କୃତି ବିଷୟରେ କିଛି ଜାଣନ୍ତିନି। ତୁରନ୍ତ ଏହି ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ତଥାଗତ। ସେପଟେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି- ଗଂଜେଇ ଓ ଭାଙ୍ଗ, ଫଳରସ ଭୋଗରେ ଯାଏ। ଏହା ବନ୍ଦ କରିବା ଠିକ୍ ହୋଇନି।

Advertisment
Advertisment