• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଜାରରେ ପିଆଜ ଦର ୬୦, ହେଲେ ନାଫେଡରେ ୨୫ । ଅଟା ୪୦ ଟଙ୍କା ଉପରେ ଥିବା ବେଳେ ୨୭ଟଙ୍କା ୫୦ ପଇସାରେ ଯୋଗାଇ ଦେବେ କେନ୍ଦ୍ର ସରକାର । ହେଲେ କୁଆଡ଼େ ଗଲା ଓଡ଼ିଶାରେ ପ୍ରାଇସ୍ ଷ୍ଟାବିଲାଇଜେସନ ଫଣ୍ଡ ? ଖାଉଟିଙ୍କୁ କେମିତି ମିଳିବ ଆଶ୍ୱସ୍ତି ? କେନ୍ଦ୍ର ଉପରେ ଦୋଷ ଲଦି ଦାୟିତ୍ୱ ଖସାଉଛି କି ବିଜେଡି ସରକାର ?

ପ୍ରତି ବର୍ଷ କେତେକ ଖାଦ୍ୟ ପଦାର୍ଥର ମୂଲ୍ୟ ହଠାତ ଅହେତୁକ ବଢ଼ିଯାଏ । ନୂଆ ଶସ୍ୟ ଅମଳରେ ବିଳମ୍ବ ହେଉ କି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଫସଲହାନୀ, ସାମୟିକ ନିଅଣ୍ଟିଆ ସ୍ଥିତିର ମୁକାବିଲା ଲାଗି ୨୦୧୪-୧୫ ଆର୍ଥିକ ବର୍ଷରେ ପ୍ରାଇସ୍ ଷ୍ଟାବିଲାଇଜେସନ୍ ଫଣ୍ଡ ଗଢ଼ିଥିଲେ କେନ୍ଦ୍ର ସରକାର । ରାଜ୍ୟସଭାରେ ଗତ ଅଗଷ୍ଟ ୧୧ରେ କେନ୍ଦ୍ର ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଦେଇଥିବା ତଥ୍ୟ ଅନୁଯାୟୀ, ଗଲା ୮ ବର୍ଷରେ ପ୍ରାଇସ୍ ଷ୍ଟାବିଲାଇଜେସନ୍ ଫଣ୍ଡକୁ ମିଳିଛି ୨୭ ହଜାର ୪୮୯ କୋଟି ଟଙ୍କା । ଏଥିରେ ପିଆଜ, ଅଟା, ଡାଲି, ଖାଇବା ତେଲ ଭଳି ୨୨ଟି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର ନିୟନ୍ତ୍ରଣ ଲାଗି ଉଦ୍ୟମ କରାଯାଇଛି ।

ଅନ୍ୟପକ୍ଷରେ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ବି ନିଜସ୍ୱ ପିଏସଏଫ୍ ଫଣ୍ଡ ଗଢ଼ିବା ଲାଗି ଆର୍ଥିକ ସହାୟତା ଦେଉଛି । ଏ ବାବଦକୁ ଏଯାଏଁ ଓଡ଼ିଶା ୭୫ କୋଟି ଟଙ୍କା ପାଇଛି । ସେହିପରି ଗତ ବଜେଟରେ ରାଜ୍ୟ ସରକାର ପ୍ରାଇସ ଷ୍ଟାବିଲାଇଜେସନ୍ ଫଣ୍ଡ ପାଇଁ ୧୦୦ କୋଟିର ବ୍ୟବସ୍ଥା କରିଥିଲେ । ଏହାସତ୍ତ୍ୱେ ଦର ନିୟନ୍ତ୍ରଣ ଲାଗି ଏହି ଅର୍ଥ ଖର୍ଚ୍ଚ କରୁନାହାନ୍ତି । ଯାହାକୁ ନେଇ ଖାଉଟି ଓ ବ୍ୟବସାୟୀ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

୨୨ଟି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ବଜାର ଦର ଉପରେ କେନ୍ଦ୍ର ସରକାର ନଜର ରଖିଥାନ୍ତି । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି କୌଣସି ଉଦ୍ୟମ ଆରମ୍ଭ ହୋଇନାହିଁ । ତେଣୁ ପିଏସ୍ଏଫ ଟଙ୍କା ଗଲା କୁଆଡେ ତାକୁ ନେଇ ଉଠିଛି ପ୍ରଶ୍ନ । କେନ୍ଦ୍ର ସହିତ ରାଜ୍ୟ ସରକାର ଦର ନିୟନ୍ତ୍ରଣ ପଦକ୍ଷେପ ନେଲେ ସାଧାରଣ ଲୋକ ଉପକୃତ ହୁଅନ୍ତେ । ତେବେ ନିଜ କର୍ତ୍ତବ୍ୟ ଭୁଲି ରାଜ୍ୟ ସରକାର କେବଳ କେନ୍ଦ୍ର ମୁଣ୍ଡରେ ଦୋଷ ଲଦୁଥିବା ଚର୍ଚ୍ଚା ହେଉଛି ।