ଓଡ଼ିଶାରେ ପଶୁଛନ୍ତି ବାଂଲାଦେଶୀ । ରାଜ୍ୟରେ ସମୁଦାୟ ୩୭୩୮ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହୋଇଛନ୍ତି । ସର୍ବାଧିକ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୬୪୯, ଜଗତସିଂପୁର ଜିଲ୍ଲାରେ ୧୧୧୨, ମାଲକାନଗିରିରେ ୬୫୫, ଭଦ୍ରକରେ ୧୯୯, ନବରଙ୍ଗପୁରରେ ୧୦୬ ଓ ଭୁବନେଶ୍ୱରରେ୧୭ ଜଣ ବାଂଲା ଅନୁପ୍ରବେଶକାରୀ ଚିହ୍ନଟ ହୋଇଛନ୍ତି । ସରକାର ପ୍ରତି ଜିଲ୍ଲାରେ ତହସିଲ, ବ୍ଳକ ଏବଂ ପୋଲିସ୍ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି । ଓଡ଼ିଶାରେ ବେଆଇନ ଭାବେ ବସବାସ କରୁଥିବା ବାଂଲା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ସରକାର ପଦକ୍ଷେପ ନେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଗତ ୧୦ ବର୍ଷ ମଧ୍ୟରେ ୪୧ ଜଣ ବାଂଲାଦେଶୀ ନାଗରିକଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରୁଜୁ ହୋଇଛି । ବାଲେଶ୍ୱର ଜିଲ୍ଲାରେ ୫ ଜଣ ବାଂଲାଦେଶୀ ନାଗରିକ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି । ଉକ୍ତ ମାମଲା ଗୁଡିକ ବର୍ତ୍ତମାନ ଅଦାଲତରେ ବିଚାରାଧନ ଅଛି । ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଉତ୍ତର ରଖିଛନ୍ତି ।
ଅଧିକ ପଢ଼ନ୍ତୁ: ବାଂଲାଦେଶୀ ଅନୁପ୍ରବେଶକାରୀ ବଢ଼ାଇଲେଣି ସମସ୍ୟା, ସରକାର କହିଲେଣି....
ଅନୁପ୍ରବେଶକାରୀଙ୍କ ଉପରେ କଡା ନଜର ରଖିଛି ପୋଲିସ୍ । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଆଡ୍ଡା ସ୍ଥଳୀରେ ଚଢ଼ାଉ ହେବ । ଏ ନେଇ ସୂଚନା ଦେଇଛନ୍ତି STF ଡ଼ିଆଇଜି ପିନାକ ମିଶ୍ର। କିଏ, କେମିତି ଓ କେଉଁ ଉଦ୍ଦେଶ୍ୟରେ ସାରା ଓଡ଼ିଶାରେ ଡେରା ପକାଇଛନ୍ତି ସେ ନେଇ ଚାଲିଛି ଖୋଳତାଡ଼ । ଏ ନେଇ ଏକ ସ୍ପେଶାଲ ଟିମ ଗଠନ କରାଯାଇଛି । ତେବେ କଥା ହେଉଛି, ଅନୁପ୍ରବେଶକାରୀଙ୍କ ମାଷ୍ଟରମାଇଣ୍ଡ କିଏ ? କିଏ ସେମାନଙ୍କୁ ଓଡିଶା ଆଣୁଛି ? ଜାଲ ଡକ୍ୟୁମେଣ୍ଟ କିଏ ପ୍ରସ୍ତୁତ କରୁଛି ? ସେ ନେଇ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ । STF ସ୍କାନରରେ ରହିଛନ୍ତି ଶତାଧିକ ଦଲାଲ । ଗତକାଲି ଭୁବନେଶ୍ବର ରେଳଷ୍ଟେସନରୁ ୧୦ ବାଂଲାଦେଶୀ ଗିରଫ ହୋଇଥିଲେ। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ STF ।
ବିନା କୌଣସି ପାସପୋର୍ଟ ଓ ଭିସାରେ ଏମାନେ ଭାରତରେ ପ୍ରବେଶ କରିବା ସହ ଭୁବନେଶ୍ବର ରେଳଷ୍ଟେସନରେ ରହୁଥିଲେ। ଗିରଫ ବାଂଲାଦେଶୀ ଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଓ ଜଣେ ନାବାଳକ ରହିଥିଲେ । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୭ ଟି ମୋବାଇଲ, ବାଂଲାଦେଶ ଟଙ୍କା ସହ ଅନେକ ସମାଗ୍ରୀ ଜବତ କରାଯାଇଥିଲା। ସମସ୍ତ ଅଭିଯୁକ୍ତ ଆସାମ ଦେଇ ଭାରତକୁ ପ୍ରବେଶ କରିଥିଲେ । ମାର୍ଚ୍ଚ ୬ ତାରିଖରେ ଦିବ୍ରୁଗଡ଼- ଚେନ୍ନାଇ ଏକ୍ସପ୍ରେସରୁ ଧରିଥିଲା ଏସଟିଏଫ । ଏମାନେ ବିନା ଭିସା ଓ ପାସପୋର୍ଟରେ ଭାରତରେ ପ୍ରବେଶ କରିଥିଲେ । ଆସାମ ସୀମାରେ ଅନାୟସରେ ଏମାନେ ଭାରତରେ ପଶୁଛନ୍ତି । ଏହି ଅନୁପ୍ରବେଶକାରୀଙ୍କ ମଧ୍ୟରୁ ଅନେକ ଓଡ଼ିଶା ଚାଲି ଆସୁଛନ୍ତି । ଏହା ପରେ ବିଭିନ୍ନ ସ୍ଥାନକୁ ଟ୍ରେନରେ ଯାଇ ସେଠାରେ ରହି ଯାଉଛନ୍ତି । କିଛି ଦିନ ରହି କାମ କରିବା ପରେ ଜାଲ୍ ସାର୍ଟିଫିକେଟ୍ ବାହାର କରି ଦେଉଛନ୍ତି ବୋଲି ପୋଲିସ୍ କହିଛି ।
ଅଧିକ ପଢ଼ନ୍ତୁ: ବାଂଲାଦେଶକୁ ମାତ୍ କରିଦେବ ଭାରତର ଗୋଟିଏ ଚାଲ୍, ଛାଡ଼ିଯିବ ଚୀନ୍ ଓ ପାକିସ୍ତାନ ପ୍ରେମ
- Reported by:
- SOUMYA RANJAN SAHOO , CHANDAN PAIKRAY