Advertisment

Water Pollution: ଓଡ଼ିଶାର ଯମୁନା ଜୀରା ନଦୀ ଏବେ ଦୂଷିତ, NGTର ନିର୍ଦ୍ଦେଶକୁ ଅଣଦେଖା

ବରଗଡ଼ର ଜୀରା ନଦୀରେ ଜଳ ପ୍ରଦୂଷଣ ଚିନ୍ତାର କାରଣ ହୋଇଛି। NGTର ଆଦେଶକୁ ଅବହେଳା କରାଯିବା ସହ ଅନିୟମିତ ବର୍ଜ୍ୟବସ୍ତୁ ପରିଚାଳନା, ଡ୍ରେନ ପାଣି ଓ କେମିକାଲ ଏହାର କାରଣ ବୋଲି କୁହାଯାଉଛି। ସମସ୍ତ ବରଗଡ଼ବାସୀ ଏହି ଘଟଣା ପ୍ରତି ଗଭୀର ଚିନ୍ତାବ୍ୟକ୍ତ କରୁଛନ୍ତି।

author-image
Prasan Subudhi
ଅଦ୍ୟତନ ହୋଇଛି
ପ୍ରଦୂଷିତ ଜୀରା ନଦୀ

ପ୍ରଦୂଷିତ ଜୀରା ନଦୀ

ଧୀରେ ଧୀରେ ଅସ୍ତିତ୍ବ ହରାଇବାକୁ ବସିଲାଣି ଓଡ଼ିଶାର ଯମୁନା କୁହାଯାଉଥିବା ବରଗଡ଼ର ଜୀରା ନଦୀ l ମାଫିଆଙ୍କ ଜବରଦଖଲ ସହ ପୌରପରିଷଦର ସାଙ୍ଘାତିକ ଅବହେଳା, ନଦୀକୁ ମୃତାବସ୍ଥାକୁ ନେଇଛି । ବରଗଡ଼ବାସୀଙ୍କ ଜୀବନଧାରା ଉପରେ ଲାଗିଛି ଶକ୍ତ ପ୍ରହାର l ଗୋଟିଏ ପଟେ NGT ନିର୍ଦ୍ଦେଶକୁ ଅଣଦେଖା ଅନ୍ୟପଟେ ଆନ୍ଦୋଳନର ଜୋରଦାର ପ୍ରସ୍ତୁତି ଆଗକୁ ସାଂଘାତିକ ପରିସ୍ଥିତି ସୃଷ୍ଟି କରିବ ବୋଲି କୁହାଯାଉଛି।

Advertisment

ଜୀରା ମାନେ ଜୀବନଧାରା l ଇଏ କେବଳ ନଦୀଟିଏ ନୁହେଁ ବରଗଡ଼ର ପରିଚୟ। ହେଲେ ଏହି ପରିଚୟକୁ ପୋଛିଦେବାକୁ ହୋଇଥିଲା ସାଂଘାତିକ ଷଡ଼ଯନ୍ତ୍ର। 24 ବର୍ଷରେ ଜିରାକୁ କଲବଲ କରି କେମିତି କରାଯାଇଛି ହତ୍ୟା। NGTର ରିପୋର୍ଟକୁ ଦେଖିଲେ ସବୁ କଥା ବୁଝାପଡ଼ିଯିବ।ବରଗଡ଼ରେ ବର୍ଜ୍ୟବସ୍ତୁ ପରିଚାଳନାରେ ଅନିୟମିତତା ନେଇ 2023 ମାର୍ଚ୍ଚରେ NGTର କରିଥିଲେ ଶୁଣାଣି। ପୌରପରିଷଦକୁ 1 କୋଟି 84 ଲକ୍ଷ ଟଙ୍କାର ଫାଇନ କରିଥିଲେ।

ଏହି ଟଙ୍କାକୁ 31 ଡିସେମ୍ବର 2023 ସୁଦ୍ଧା ରାଜ୍ୟ ସରକାରଙ୍କୁ ESCROW ଆକାଉଣ୍ଟରେ ଡିପୋଜିଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ NGT। ଏହି ଟଙ୍କାକୁ ବରଗଡ଼ ମ୍ୟୁନିସିପାଲିଟିରେ ବର୍ଜ୍ୟବସ୍ତୁ ପରିଚାଳନାରେ ବ୍ୟବହାର କରିବାକୁ କୁହାଯାଇଥିଲା। ଏହାସହ ଜୀରାନଦୀକୁ ଯାଉଥିବା ଡ୍ରେନ ପାଣି ଟ୍ରିଟମେଣ୍ଟ ପାଇଁ 5ଟି STP ବା ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ NGT ନିର୍ଦେଶ ଦେଇଥିଲେ। ଏହାସହ ଜୀରା ନଦୀପଠାରେ ଥିବା MCCକୁ ସ୍ଥାନାନ୍ତର କରିବାକୁ ରିପୋର୍ଟରେ ଉଲ୍ଲେଖ ଥିଲା। ହେଲେ ଏହି ସବୁ ନିର୍ଦ୍ଦେଶକୁ ଅଣଦେଖା କରିଥିଲେ ତତ୍କାଳୀନ ସରକାର ଓ ଜିଲ୍ଲା ପ୍ରଶାସନ।

Advertisment

ଏଭଳି ପରିସ୍ଥିତିରେ ଜିରା ନଦୀର ଅବସ୍ଥା କହିଲେ ନସରେ। ବର୍ଜ୍ୟବସ୍ତୁ ପରିଚାଳନାରେ ଅନିୟମିତତା ଫଳରେ ପୂତିଗନ୍ଧମୟ ହେଲାଣି ବରଗଡ଼ର ଯମୁନା। ସହରର ଡ୍ରେନ ପାଣି ଜିରା ନଦୀକୁ ଯାଉଥିବା ବେଳେ ନିଜେ ପୌରପରିଷଦ ଜିରା ନଦୀରେ ପକାଉଛି ବର୍ଜ୍ୟବସ୍ତୁ। ଅନ୍ୟପଟେ ବରଗଡ଼ର ଆଉ ଏକ ଜୀବନ ରେଖା ଦନ୍ତା ନଦୀରେ ମଧ୍ୟ କେମିକାଲ୍ ପାଣି ମିଶି ପ୍ରଦୂଷିତ ହେବାରେ ଲାଗିଛି । ପୂର୍ବ ସରକାର ଏହି ଦୁଇ ଜଳଶୟକୁ ବଞ୍ଚାଇବା ବଦଳରେ ହତ୍ୟା କରିଦେଲେ। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସହରବାସୀ ଓ ଆଇନଜୀବୀ ।

ଏବେ ବରଗଡ଼ରେ ଆରମ୍ଭ ହେବାକୁ ଯାଇଛି ଜୀରା ବଞ୍ଚାଓ ଅଭିଯାନ। ଏନେଇ ପ୍ରସ୍ତୁତି ବୈଠକ ମଧ୍ୟ ସରିଛି। ଦଳମତ ନିର୍ବିଶେଷରେ ଜୀରା ପାଇଁ ପୂରା ବରଗଡ଼କୁ ଏକ ହେବାପାଇଁ ଆହ୍ବାନ ଦିଆଯାଇଛି।

(ରିପୋର୍ଟ- ଧର୍ମଦତ୍ତ, ବରଗଡ଼)

Water Crisis Pollution Control Board National Green Tribunal Pollution In India Baragarh
Advertisment
Advertisment