• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ପ୍ରତିବାଦ କରିଛି । ଶକ୍ତିମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ର କଂଗ୍ରେସର ସଦସ୍ୟ । ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ ।

ଏପରକି ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମବେଳେ ପୋଲିସ- କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ବି ହୋଇଛି । ଦଳ ଅଭିଯୋଗ କରିଛି ଯେ, ବିଦ୍ୟୁତ୍‌ କାଟ ପ୍ରସଙ୍ଗକୁ ନେଇ ଶକ୍ତି ମନ୍ତ୍ରୀ ଅବହେଳା ପ୍ରଦର୍ଶନ କରୁଛନ୍ତି । ଘଟଣାରେ ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଛାତ୍ର କଂଗ୍ରେସ ।

ରାଜ୍ୟର ବିଭିନ୍ନ ସ୍ଥାନରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଛି । ସେପଟେ ଲୋକଙ୍କ ଦୁର୍ଦ୍ଦଶାକୁ ଦୁଇଗୁଣ କରୁଛି କାଳବୈଶାଖୀ । ଅସରାଏ ବର୍ଷା ଆଉ ପବନରେ ଠପ୍‌ ହେଇଯାଉଛି ବିଜୁଳି ସେବା । ଯାହାକୁ ନେଇ ରାଜ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଗତକାଲି ଶକ୍ତିମନ୍ତ୍ରୀ ପାୱାର କଟ୍‌କୁ ସିଧାସଳଖ ମାନିଲେନି ସତ, ହେଲେ ସତ ଧରାଇ ଦେଇଥିବା କୁହାଯାଉଛି।

ମନ୍ତ୍ରୀ କହିଥିଲେ, ରାଜ୍ୟରେ ଭିତ୍ତିଭୂମିର ଅଭାବ ପାଇଁ ବିଜୁଳି ବିଭ୍ରାଟ ହେଉଛି । ତଥ୍ୟ କହୁଛି ବିଦ୍ୟୁତ୍‌ ଭିତ୍ତିଭୂମି ପାଇଁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ପ୍ରାୟ ୩୭ ହଜାର କୋଟିରୁ ଅଧିକ ଖର୍ଚ୍ଚ କରିଥିବା ବେଳେ, ଦୁର୍ବଳ ଭିତ୍ତିଭୂମି ପାଇଁ କିଏ ଦାୟୀ ତାକୁ ନେଇ ପ୍ରଶ୍ନ ଉଠିଛି । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଉତ୍ତରଦାୟୀ କରିଛନ୍ତି । ଅନ୍ୟପଟେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ବିଦ୍ୟୁତ୍‌ କାଟ୍‌ ପ୍ରସଙ୍ଗକୁ ନେଇ ଯୋରଦାର ପ୍ରତିବାଦ ଆରମ୍ଭ ହୋଇଛି।

  • Reported by:
  • SOUMYA RANJAN SAHOO