• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚଳିତ ମାସ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ କାର୍ଯ୍ୟକ୍ରମ ରହିଛି । ଆଉ ଏହି ଅବସରରେ ମୋଦିଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆମେରିକାରେ ଏକ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ‘ଥାଳି’ର ବ୍ୟବସ୍ଥା ହୋଇଛି । ଯାହାର ନାଁ ‘ମୋଦି ଜୀ ଥାଳି’ ରଖାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ପହଞ୍ଚିବା ପୂର୍ବରୁ ନ୍ୟୁ ଜର୍ସିର ଏକ ରେଷ୍ଟୁରାଣ୍ଟ ‘ମୋଦି ଜୀ ଥାଳି’କୁ ପ୍ରସ୍ତୁତି କରିଛି । ରେଷ୍ଟୁରାଣ୍ଟର ସେଫ୍‌ ଶ୍ରୀପଦ୍ କୁଲକର୍ଣ୍ଣି ଏହି ଥାଳିକୁ ପ୍ରସ୍ତୁତ କରିଛନ୍ତି । ଥାଳିରେ ଖେଚୁଡ଼ି, ରସଗୋଲା, ସୋରିଷ ସାଗ, କାଶ୍ମୀର ଦମ୍ ଆଳୁ, ଇଡଲି, ଧୋକଲା, ଚଣା ଏବଂ ପାମ୍ପଡ଼ ରହିଛି ।

‘ମୋଦି ଜୀ ଥାଳି’କୁ ନେଇ ସେଫ୍‌ କୁଲକର୍ଣ୍ଣି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଭାରତୀୟ ଖାଦ୍ୟର ଚାହିଦା ଅନୁଯାୟୀ ଥାଳିକୁ ପ୍ରସ୍ତୁତ କରାଯାଇଛି । ଏହାକୁ ନେଇ ରେଷ୍ଟୁରାଣ୍ଟ ମାଲିକ ମଧ୍ୟ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ଖୁବ୍‌ ଶୀଘ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଉଦ୍ଦେଶ୍ୟରେ ଏକ ଥାଳି ପ୍ରସ୍ତୁତ କରାଯିବ ।

ଏହି ସ୍ୱତନ୍ତ୍ର ଥାଳିକୁ ଲଞ୍ଚ କରିବାକୁ ଯୋଜନା ରଖାଯାଇଛି । ସେ ଆହୁରି କହିଛନ୍ତି ‘ମୋଦି ଜୀ ଥାଳି’କୁ ନେଇ ମୁଁ ସକାରାତ୍ମକ ରହିଛି । ଏହା ଲୋକପ୍ରିୟତା ହାସଲ କରିବାକୁ ଯାଉଛି । ଏହି ଥାଳି ଲୋକପ୍ରିୟତା ହାସଲ କଲେ ଜୟଶଙ୍କର ଥାଳି ଲଞ୍ଚ କରାଯିବ ।

ଆମେ ଏଠାରେ କହି ରଖିବାକୁ ଚାହିଁବୁ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ଥାଳି ଅର୍ପଣ କରାଯାଇଥିଲା । ଗତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ତାଙ୍କ ଜନ୍ମଦିନ ପୂର୍ବରୁ ଦିଲ୍ଲୀର ଏକ ରେଷ୍ଟୁରାଣ୍ଟ ‘୫୬-ଇଞ୍ଚ ମୋଦି ଜୀ’ ଥାଳି ନାମକ ଏକ ଥାଳିକୁ ଲଞ୍ଚ କରିଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି । ଜୁନ୍‌ ୨୧ରୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଆରମ୍ଭ ହେଉଛି । ମୋଦିଙ୍କ ୪ ଦିନିଆ ଆମେରିକା ଗସ୍ତ କାର୍ଯ୍ୟକ୍ରମ ରହିଥିବାବେଳେ ଅନେକ କିଛି ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି ।