• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୁଳା ପୁଳା ସମସ୍ୟା ଭିତରେ ଆଗକୁ ହେବାକୁ ଯାଉଛି ଖୋର୍ଦ୍ଧା ପୌରପରିଷଦ ନିର୍ବାଚନ । ରାଜ୍ୟରେ କ୍ୟାବିନ ସହର ଭାବେ ପରିଚିତ ଖୋର୍ଦ୍ଧା ପୌରାଞ୍ଚଳରେ ବିଭିନ୍ନ ସମସ୍ୟା ଲାଗି ରହିଛି । ଲୋକଙ୍କ ଅଭିଯୋଗ ରାସ୍ତାଠାରୁ ଆରମ୍ଭ କରି ଡ୍ରେନ, ଟ୍ରାଫିକ୍, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ, ପରିମଳ ସବୁକିଛି ଅବ୍ୟବସ୍ଥିତ । ଅଭିଯୋଗର ଲମ୍ବାଫଦ୍ଦ ଭିତରେ ୨୨ଟି ୱାର୍ଡ ବିଶିଷ୍ଟ ଖୋର୍ଦ୍ଦା ପୌର ପରିଷଦ ପାଇଁ କାହାକୁ ଅଧ୍ୟକ୍ଷ ବାଛିବେ ତାହା ଏବେ ବଡ ପ୍ରଶ୍ନ ପାଲଟିଛି ।

ସହରବାସୀଙ୍କ ଅସନ୍ତୋଷ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଚଳିତବର୍ଷର ଖୋର୍ଦ୍ଧା ପୌର ପରିଷଦ ନିର୍ବାଚନ । ଭୌଗଳିକ ଦୃଷ୍ଟି କୋଣରୁ ଏହା ସବୁ ଦୃଷ୍ଟିରୁ ଉନ୍ନତ ହେବା କଥା । କାରଣ ଖୋର୍ଦ୍ଧା ଜିଲ୍ଲାର ଏହା ସଦର ମହକୁମା । ଖୋର୍ଦ୍ଧା ପୌରାଞ୍ଚଳ ଭିତରେ ରହିଛି ଶିଳ୍ପାଞ୍ଚଳ ସହ ଐତିହାସିକ ବରୁଣେଇ ପୀଠ । ସହର ଭିତର ଦେଇ ୫ଟି ଜିଲ୍ଲାକୁ ରହିଛି ସଂଯୋଗ ପଥ, ହେଲେ ସହରରେ ବିଗିଡି ଯାଇଛି ଟ୍ରାଫିକ ସମସ୍ୟା ।

ସହରରେ ଭେଡିଂ ଜୋନ୍ ନଥିବାରୁ ଏଣେତେଣେ ଉଠା ଦୋକାନୀ ବସୁଥିବାରୁ ଅଣନିଶ୍ୱାସୀ ସହରର ରାସ୍ତାଘାଟ । ତାସାଙ୍ଗକୁ ରାସ୍ତା ଉପରେ ଗୋରୁ ଗାଇଙ୍କ ଅବାଧ ବିଚରଣ । ଡମ୍ପିଂୟାର୍ଡ ନଥିବାରୁ ସହର ଭିତରେ ଏଣେ ତେଣେ ପଡିରହୁଛି କୁଢ କୁଢ ଆବର୍ଜନା । ଖୋଲା ମେଲା ଡ୍ରେନ ଯୋଗୁ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା । ଏପରିକି ସହର ଭିତରେ ଦୁଇ ଦୁଇଟି ଶୌଚାଳୟ ବନ୍ଦ ଯୋଗୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ବ୍ୟବସାୟୀ ଏବଂ ସାଧାରଣ ଜନତା ।

ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏଠି କେବଳ ଫଳକ ସର୍ବସ୍ୱ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ମୁକ୍ତା ଯୋଜନା ହେଉ କିମ୍ବା ସ୍ୱଚ୍ଛ ସର୍ବେକ୍ଷଣ ଯୋଜନା ସବୁ କିଛି ଅଧପନ୍ତରିଆ । ସହରର ସବୁଠାରୁ ବଡ ସମସ୍ୟା କ୍ୟାବିନ ବ୍ୟବସାୟୀଙ୍କୁ ଥଇଥାନ । ଏଥିପାଇଁ ସ୍ଥାନ ନିରୁପଣ ହୋଇ ୨୩ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ କାମ ଆଗେଇ ପାରି ନାହିଁ । ତେବେ ଏସବୁ ଭିତରେ ଅନୁଷ୍ଠିତ ହେବ ପୌରନିର୍ବାଚନ । ଖୋର୍ଦ୍ଧା ସହରର ୨୨ଟି ୱାର୍ଡର ୩୭ ହଜାର ୫୪୧ଭୋଟର ଚଳିତ ନିର୍ବାଚନରେ ବାଛିବେ ନୂଆ ପ୍ରତିନିଧି । ଆଉ ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଚାଲିଥିବା କହିଛନ୍ତି ଖୋର୍ଦ୍ଦା ଉପଜିଲ୍ଲାପାଳ ଶିବାଜୀ ଇସଲୱାର