Advertisment

ଚଷମା ଠାରୁ ଦୂରେଇ ରୁହନ୍ତୁ, କରନ୍ତୁ ଏହି ୮ଟି ଯୋଗାଭ୍ୟାସ; ରହିବ ନାହିଁ ଆଖି ରୋଗ

ଦୃଷ୍ଟି ଶକ୍ତି ଖରାପ ହେବାର ମୁଖ୍ୟ କାରଣ ହେଉଛି ଆଧୁନିକ ଜୀବନଶୈଳୀ। ମନୁଷ୍ୟକୃତ ଆଲୋକ, ଅଧିକ ସମୟ ଧରି ଟିଭି ଓ ମୋବାଇଲ୍ ଦେଖିବା, ଅସନ୍ତୁଳିତ ଖାଦ୍ୟ ଖାଇବା, କମ୍ପ୍ୟୁଟର ଆଗରେ ଅଧିକ ସମୟ ବସି କାମ କରିବା, ଅଧିକ ସମୟ ଧରି ପାଠ ପଢିବା ଦ୍ୱାରା ଆଖିର ମାଂସପେଶୀ ଦୁର୍ବଳ ହୋଇଯାଏ। ଫଳରେ ଆଖି ସମସ୍ୟା ଦେଖାଦିଏ। କ’ଣ କଲେ ଏଥିରୁ ମୁକ୍ତି ମିଳିବ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Do yoga Practice and avoid eye problem

Do yoga Practice and avoid eye problem

ଆଜିକାଲି ପ୍ରାୟ ପିଲା ଠାରୁ ବଡ ପର୍ଯ୍ୟନ୍ତ ଆଖି ସମସ୍ୟାରେ ପୀଡିତ। ଅନେକ ଲୋକ ଦୃଷ୍ଟି ଶକ୍ତିର ଉନ୍ନତି ପାଇଁ ଚଷମା ବା କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତି। ଦେଖିବାକୁ ଗଲେ ଏଭଳି କରିବା ଦ୍ୱାରା ତ ଦୃଷ୍ଟି ଶକ୍ତିର କୌଣସି ଉନ୍ନତି ଆସେ ନାହିଁ ବରଂ ବାରମ୍ବାର ସମସ୍ୟା ସୃଷ୍ଟି ହୋଇ ଆଖି ଆହୁରି ଖରାପ ହୁଏ। ଫଳରେ ପରେ ବେଶି ପାୱାର ଚଷମା ବ୍ୟବହାର କରିବାକୁ ପଡେ।

Advertisment

କାହିଁକି ଖରାପ ହୁଏ ଦୃଷ୍ଟି ଶକ୍ତି:

ଦୃଷ୍ଟି ଶକ୍ତି ଖରାପ ହେବାର ମୁଖ୍ୟ କାରଣ ହେଉଛି ଆଧୁନିକ ଜୀବନଶୈଳୀ। ମନୁଷ୍ୟକୃତ ଆଲୋକ, ଅଧିକ ସମୟ ଧରି ଟିଭି ଓ ମୋବାଇଲ୍ ଦେଖିବା, ଅସନ୍ତୁଳିତ ଖାଦ୍ୟ ଖାଇବା, କମ୍ପ୍ୟୁଟର ଆଗରେ ଅଧିକ ସମୟ ବସି କାମ କରିବା, ଅଧିକ ସମୟ ଧରି ପାଠ ପଢିବା ଦ୍ୱାରା ଆଖିର ମାଂସପେଶୀ ଦୁର୍ବଳ ହୋଇଯାଏ। ଫଳରେ ଆଖି ସମସ୍ୟା ଦେଖାଦିଏ। ଏହା ଛଡା ମାନସିକ ଓ ଭାବାନାତ୍ମକ ଚାପ ସୃଷ୍ଟି ହେବା, ଶରୀର ବିଷାକ୍ତ ହୋଇଯିବା ଓ ବୃଦ୍ଧ ବୟସ ମଧ୍ୟ ଏହାର କାରଣ ହୋଇଥାଏ।

ସାଧାରଣ ପଦକ୍ଷେପ:

ମଣିଷର ଖାଦ୍ୟ ଯଦି ଠିକ୍ ନହେବ ତେବେ ଖାଲି ଆଖି କ’ଣ ସାରା ଶରୀର ଉପରେ ହିଁ ପ୍ରଭାବ ପଡିବ। ତେଣୁ ସବୁବେଳେ ସରଳ ଓ ସୁଷମ ଖାଦ୍ୟ ଖାଇବା ଜରୁରୀ। ଏହା ଦ୍ୱାରା ଦୁର୍ବଳ ଦୃଷ୍ଟି ଶକ୍ତିରେ ପରିବର୍ତ୍ତନ ଆସିଥାଏ। ଏନେଇ ଗରିଷ୍ଠ ଖାଦ୍ୟ, ହଜମ ନ ହେଉଥିବା ତେଳିଆ ମସଲାଯୁକ୍ତ ଖାଦ୍ୟ, ଡବାରେ ଆଗରୁ ସାଇତା ଥିବା ଆଦି ଖାଦ୍ୟକୁ ପ୍ରଥମେ ଛାଡିବାକୁ ପଡିବ। ନିରାମିଷ ଖାଦ୍ୟ ଆଖି ପାଇଁ ବହୁତ ଭଲ। ଆମିଷ ଖାଦ୍ୟ ହିଁ ଶରୀର ଅନେକ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଏହାକୁ ଧିରେ ଧିରେ ଛାଡିବା ମଧ୍ୟ ଦରକାର।

Advertisment

ଅଧିକ ସମୟ ପାଠ ପଢୁଥିଲେ କ’ଣ କରିବେ:

ଯଦି ଅଧିକ ସମୟ ପାଠ ପଢିବାକୁ ହୁଏ ତେବେ ଏକକାଳୀନ ଘଣ୍ଟା ଘଣ୍ଟା ନ ବସି ମଝିରେ ମଝିରେ ମନ ଓ ଆଖିକୁ ବିଶ୍ରାମ ଦେବା ଆବଶ୍ୟକ। ମନ ଭାରାକ୍ରାନ୍ତ ରହିଲେ ଅଳ୍ପ ସମୟ ପଢାରେ ବି ଆଖି କ୍ଳାନ୍ତ ହୋଇଯାଏ। ପାଠ ପଢିବା ପୂର୍ବରୁ ଆଖିରେ ଯଦି ମାନସିକ କିମ୍ବା ମାଂସପେଶୀୟ ଚାପ ଥାଏ ତେବେ କିଛି ସମୟ ଶଶକାସନ କରିଲେ ମନ ଶାନ୍ତ ହୋଇଯାଏ ଓ ଆଖିକୁ ଆରାମ ମିଳେ।

ଚଷମା ବ୍ୟବହାର କମେଇବା:

ଯେତେ ସମ୍ଭବ ଚଷମା ବ୍ୟବହାର କରିବା କମେଇଦେବା ଉଚିତ। ନିହାତି ଦରକାର ନହେବା ପର୍ଯ୍ୟନ୍ତ ଚଷମା ବ୍ୟବହାରରୁ ଦୂରେଇ ରହିଲେ ଭଲ। ବିଶ୍ରାମ ବେଳେ କଦାପି ପିନ୍ଧିବା ଉଚିତ ନୁହେଁ। ଚଷମା ବ୍ୟବହାର କମିଗଲେ ଆଖି ନିଜ ଶକ୍ତିକୁ ସଜାଡି ସାଧାରଣ ଭାବେ କାର୍ଯ୍ୟ କରିବାକୁ ଚେଷ୍ଟା କରିବ।

ଖାଲି ପାଦରେ ଚାଲିବା – ସୂର୍ଯ୍ୟ ଦର୍ଶନ କରିବା:

ମାନସ ଶରୀରର ମସ୍ତିଷ୍କର ଦୃଷ୍ଟି କେନ୍ଦ୍ର ସହ ଗୋଇଠିର ସଂଯୋଗ ଥାଏ। ତେଣୁ ସୂର୍ଯ୍ୟୋଦୟ ଓ ଅସ୍ତ ସମୟରେ ଘାସ, ବାଲି କିମ୍ବା ମାଟି ଉପରେ ଖାଲି ପାଦରେ ଚାଲିଲେ ଏହାର ସୁପ୍ରଭାବ ଆଖି ଉପରେ ପଡିଥାଏ ଏହା ଦ୍ୱାରା ଆଖିକୁ ବିଶ୍ରାମ ମିଳେ ଏହା ଛଡା ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ ଦିଗ୍‌ବଳୟର ୧୫ ଡିଗ୍ରୀ ଉପର ପର୍ଯ୍ୟନ୍ତ ଥିବାବେଳେ ସୂର୍ଯ୍ୟ ଦର୍ଶନ ଅତ୍ୟନ୍ତ ଉପକାରୀ। କିଛି ସମୟ ସୂର୍ଯ୍ୟକୁ ଚାହିଁ ରହିବା ପରେ ଆଖି ବନ୍ଦ କର ଓ ଆଖି ଭିତରେ ଦିଶୁଥିବା ପ୍ରତିଛବିକୁ ଦେଖିବାକୁ ଚେଷ୍ଟା କର।

ଯୋଗ କଲେ କ’ଣ ହେବ:

ଗ୍ଲୁକୋମା, ଟ୍ରାକୋମା ଓ ମୋତିଆବିନ୍ଦୁ ପରି କେତେକ ଆଖି ରୋଗକୁ ଛାଡିଦେଲେ ଅଧିକାଂଶ ଆଖିଦୋଷ ମାଂସପେଶୀର ଦୁର୍ବଳତା ଯୋଗୁଁ ହୋଇଥାଏ। ଆଖି ମାଂସପେଶୀର ଦୁର୍ବଳତାକୁ ଦୂର କରିବା ପାଇଁ କେତେଗୁଡିଏ ସରଳ ଯୋଗାଭ୍ୟାସ କରାଯାଇପାରେ। ଯଦି ଜଣେ ବ୍ୟକ୍ତି ଏହାକୁ ସବୁଦିନ କରିପାରେ ତେବେ ସମୀପଦୃଷ୍ଟି, ଦୂରଦୃଷ୍ଟି, ଚାଳିଶା ଓ ଟେରା ଆଦି ଆଖି ଦୋଷ ଭଲ ହୋଇଯିବ।

କେଉଁ କେଉଁ ଯୋଗାଭ୍ୟାସ କରିବେ:

ପ୍ରସ୍ତୁତି-

ଯୋଗାଭ୍ୟାସ କରିବା ପୂର୍ବରୁ ଆଖିରେ କେତେ ଥର ଥଣ୍ଡା ପାଣି ମାରି ଧୋଇଦିଅନ୍ତୁ। ଏପରି ୧୦ ଥର କରି ଦିଅନ୍ତୁ। ଏହା ଦ୍ୱାରା ଆଖିକୁ ରକ୍ତ ସଂଚାଳନ ବଢିଯାଏ ଓ ଆଖିର ଦୁର୍ବଳତା ଚାଲିଯାଏ। ଅଭ୍ୟାସ ସମୟରେ ସବୁଠାରୁ ବଡ କଥା ହେଉଛି ମନ ଓ ଶରୀର ଯେପରି ସ୍ଥିର ରହିବ। ଅଧିକ ଜୋର୍ ଦେଇ ବା କଷ୍ଟ ଅଭ୍ୟାସ କରାଯିବ ନାହିଁ।

୧ମ:

ପାମିଂ । ଆଖି ବନ୍ଦ କରି ଶାନ୍ତ ହୋଇ ବସିବା ପରେ ଦୁଇ ହାତକୁ ଘସି ଗରମ କରିବା ପରେ ଆଖିରେ ଦବାନ୍ତୁ। ଏପରି ୩ରୁ ୫ଥର କରନ୍ତୁ।

୨ୟ:

ଆଖି ମିଟିମିଟି। ଥରକରେ ୧୦ ଥର ଶୀଘ୍ର ଶୀଘ୍ର ଆଖି ମିଟିମିଟି କର। ଏହାପରେ ଆଖି ବନ୍ଦ କରି ୨୦ ସେକେଣ୍ଡ୍ ଆଖିକୁ ବିଶ୍ରାମ ଦିଅ। ଏପରି ୫ ଥର କର।

୩ୟ:

କାନ୍ଧ ସମାନରେ ଦୁଇ ହାତକୁ ମେଲେଇ ରଖ। ଶ୍ୱାସର ସହିତ ଦୁଇ ପାର୍ଶ୍ୱକୁ କିଛି କିଛି ସମୟ ଚାହିଁ ରୁହ। ୧୦ ରୁ ୨୦ ଥର କର।

୪ର୍ଥ:

ସେହିପରି ସାମ୍ନା ଓ କଡକୁ ମଧ୍ୟ ଅଭ୍ୟାସ କର। ଏହାକୁ ମଧ୍ୟ ୧୦ ରୁ ୨୦ ଥର କର।

୫ମ:

ଦୁଇ ହାତକୁ ସାମ୍ନାରେ ଉପର ତଳ କରି ରଖିବା ସହ ଆଖିରେ ଉପର ତଳ କରି ଦେଖିବା।

୬ଷ୍ଠ:

ଗୋଟିଏ ହାତକୁ ତଳୁ ଉପରକୁ ଘୂରାଇବା ସହ ଆଖିକୁ ଘୂରାଇବା। ଗୋଟିଏ ହାତରେ ୫ ଥର ଓ ଅନ୍ୟ ହାତରେ ୫ ଥର କରିବା।

୭ମ:

ନାସିକାଗ୍ର ଦୃଷ୍ଟି। ହାତ ବୁଢା ଆଙ୍ଗୁଠି ଟିପକୁ ନାକ ଅଗରେ ଛୁଆଁଇ ଆଗକୁ ନେବା। ଦୃଷ୍ଟିଶକ୍ତି ମଧ୍ୟ ଆଙ୍ଗୁଠି ସହ ଯିବ। ଗୋଟିଏ ଗୋଟିଏ ହାତରେ ୫ ଥର ଲେଖାଏଁ କରିବା।

୮ମ:

ତ୍ରାଟକ କ୍ରିୟା। ଗୋଟିଏ ନିର୍ଦ୍ଧିଷ୍ଟ ଜିନିଷକୁ ଏକ ଲୟରେ କିଛି ସମୟ ଚାହିଁବା। ଆଖିରୁ ଲୁହ ଆସିଗଲେ ଆଖି ବନ୍ଦ କରି ଭିତରେ ସେହି ଜିନିଷକୁ ଦେଖିବାକୁ ଚେଷ୍ଟା କରିବା। ୧୦ ରୁ ୨୦ ଥର ଏଭଳି କଲା କରେ ବିଶ୍ରାମ ନେଇ ପାମିଂ କରିବା।

କେଉଁମାନେ କରିବେ ନାହିଁ:

ଯେଉଁମାନଙ୍କର ଗ୍ଲୁକୋମା, ଟ୍ରାକୋମା, ମୋତିଆବିନ୍ଦୁ, ଦୃଷ୍ଟିପଟଳ ସ୍ଖଳନ, ସ୍ୱଚ୍ଛପଟଳ ପ୍ରଦାହ, ନେତ୍ରାବରଣ ପ୍ରଦାହ ଆଦି ବଡ ବଡ ସମସ୍ୟା ଥିବ ସେମାନେ ଡାକ୍ତରଙ୍କ ପରାମର୍ଶ ନେଇ କରିବେ।

ଭୁବନେଶ୍ୱର, ବଡଗଡ ବ୍ରିଟ୍ କଲୋନୀ, ଦୂରଭାଷ: ୭୦୦୮୧୦୫୭୩୦

Article
Advertisment
Advertisment