ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଲେ ଦ୍ରୌପଦୀ ମୁର୍ମୁ। ଭାରତର ପଞ୍ଚଦଶ ରାଷ୍ଚ୍ରପତି ହେଲେ ଦ୍ରୌପଦୀ ମୁର୍ମୁ। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ମିଳିତ ବିପକ୍ଷ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ପରାସ୍ତ କରି ଦେଶର ସର୍ବୋଚ୍ଚ ସ୍ଥାନ ଗ୍ରହଣ କରିବେ । ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇଥିବାରୁ ସେ ବିଜୟୀ ହୋଇଛନ୍ତି । ୩ୟ ପର୍ଯ୍ୟାୟ ଶେଷ ସୁଦ୍ଧା ଦ୍ରୌପଦୀଙ୍କୁ ୫, ୭୭, ୭୭୭ ଭୋଟ ମିଳିଥିବା ବେଳେ ଯଶଓ୍ୱନ୍ତ ସିହ୍ନାଙ୍କୁ ୨, ୬୧, ୦୬୨ ଭୋଟ ମିଳିଛି ।
ଦ୍ରୌପଦୀଙ୍କ ବିଜୟ ପରେ ଓଡ଼ିଶାରେ ସେଲିବ୍ରେସନ ମାହୋଲ ଆରମ୍ଭ ହୋଇଯାଇଛି। ଗାଁ ମାଟିର ଝିଅ ଦେଶର ରାଷ୍ଟ୍ରପତି ନିର୍ବାଚନରେ ଜିତିଲେ। ଏଥିପାଇଁ ଦ୍ରୌପଦୀଙ୍କ ପୈତୃକ ଓ ଶାଶୁଘର ଗାଁରେ ଉତ୍ସବର ମାହୋଲ । ଲଡୁ ଖୁଆଇ ଖୁସି ବାଣ୍ଟୁଛନ୍ତି ଗାଁଲୋକେ । ମଙ୍ଗଳବାର ସନ୍ଧ୍ୟାରେ ଦେଶର ୩୦ଟି ମତଦାନ କେନ୍ଦ୍ରରୁ ବାଲଟ୍ ବକ୍ସ ସଂସଦ ଭବନରେ ପହଞ୍ଚିଥିଲା । କଡ଼ା ସୁରକ୍ଷାରେ ଆଜି ସକାଳ ୧୧ଟାରେ ପାର୍ଲାମେଣ୍ଟ ହାଉସର ପ୍ରଥମ ମହଲାରେ ଥିବା ୬୩ ନମ୍ବର ରୁମ୍ରେ ଭୋଟ ଗଣତି ହୋଇଥିଲା। ଭୋଟ ଗଣତି ବେଳେ ନିଜେ ପ୍ରାର୍ଥୀ ଓ ତାଙ୍କ ଦ୍ୱାରା ମନୋନୀତ ଜଣେ ପ୍ରତିନିଧି ଉପସ୍ଥିତ ରହିଥିଲେ।
ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଯଶୋବନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ମିଳିଥିଲା । ପ୍ରଥମ ରାଉଣ୍ଡରେ କେବଳ ସାଂସଦ ମାନଙ୍କ ଭୋଟ୍ ଗଣତି ହୋଇଥିଲା । ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଥିବା ଭୋଟ୍ର ମୂଲ୍ୟ ୩ ଲକ୍ଷ ୭୮ ହଜାର ହୋଇଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ମିଳିଥିବା ଭୋଟ୍ର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ ରହିଥିଲା ।
NDAର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ଦ୍ରୌପଦୀ ମୁର୍ମୁ । ଝାଡ଼ଖଣ୍ଡର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ଥିଲେ ଦ୍ରୌପଦୀ । ଓଡ଼ିଶା ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାୟିକା ଥିଲେ ଦ୍ରୌପଦୀ ।
ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ୨୦ ଜୁନ ୧୯୫୮ । ସେ ଜଣେ ବିଶିଷ୍ଟ ରାଜନୀତିଜ୍ଞ । ୨୦୧୫ ରୁ ୨୦୨୧ ମଧ୍ୟରେ ଝାଡ଼ଖଣ୍ଡର ରାଜ୍ୟପାଳ ରହିସାରିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରଥମେ ୨୦୦୦ ଓ ପରେ ୨୦୦୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ମେଣ୍ଟ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ଓଡ଼ିଶା ସରକାର ଅଧିନରେ ଜଳସେଚନ ଓ ବିଦ୍ୟୁତ ବିଭାଗରେ କନିଷ୍ଠ ସହାୟକ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ଏହାପରେ ରାଇରଙ୍ଗପୁରଠାରେ ଥିବା ଅରବିନ୍ଦ ଇଂଟିଗ୍ରାଲ ଏଜୁକେସନରେ ଶିକ୍ଷକତା କରିଛନ୍ତି ।