• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନ୍ୟାସନାଲ୍ ହେରାଲ୍ଡ ମାମଲାରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଇଡିର ଜେରା । ସମନ ପାଇ ଦିଲ୍ଲୀ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟାଳୟ ପହଞ୍ଚିଥିବା ସୋନିଆଙ୍କୁ ଇଡି ଅଧିକାରୀମାନେ ପାଖାପାଖି ୩ ଘଣ୍ଟା ଜେରା କରିଛନ୍ତି । ଆଉ ଏହାର ପ୍ରତିବାଦରେ ସତ୍ୟାଗ୍ରହକୁ ଓହ୍ଲାଇ କଂଗ୍ରେସ କର୍ମୀମାନେ ଦେଶବ୍ୟାପୀ ହଙ୍ଗାମା କରିଛନ୍ତି । ଦେଶର ପ୍ରାୟ ସବୁ ଇଡି ଅଫିସରେ ଦଳ ବିକ୍ଷୋଭ କରିଛି । ଅପରପକ୍ଷେ ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ବିଧାନସଭା ବି କଂପିଛି । ଆଜିର ଜେରା ସରିବା ପରେ ସୋନିଆଙ୍କୁ ପୁଣି ଆସନ୍ତା ୨୫ ତାରିଖରେ ଇଡିରେ ହାଜର ହେବାକୁ ସମନ୍ ହୋଇଛି।

ଗୋଟିଏ ପଟେ ସୋନିଆଙ୍କୁ ଜେରା ଚାଲିଥିଲା ତ ଏହାର ପ୍ରତିବାଦରେ ଦେଶବ୍ୟାପୀ ରାସ୍ତାକୁ ଓହ୍ଲାଇଥିଲା କଂଗ୍ରେସ । ଦିଲ୍ଲୀରୁ ଗୌହାଟୀ, ଚଣ୍ଡୀଗଡ଼ରୁ ଚେନ୍ନାଇ...ପାଟନାରୁ ନେଇ ବେଙ୍ଗାଳୁରୁ...ଶୋଭାଯାତ୍ରା, ବିକ୍ଷୋଭ, ପୋଡ଼ାଜଳା, ନାରାବାଜି । ସ୍ଥିତି ସମ୍ଭାଳିବାକୁ କେଉଁଠିଁ ଆନ୍ଦୋଳନକାରୀ-ପୋଲିସ୍ ଧସ୍ତାଧସ୍ତି ତ କେଉଁଠି ପାଣିମାଡ଼ । ଦିଲ୍ଲୀର କଂଗ୍ରେସ କର୍ମୀଙ୍କ ବିକ୍ଷୋଭକୁ ଦୃଷ୍ଟିରେ ଏଠି ଦଳୀୟ ମୁଖ୍ୟାଳୟ ସମେତ ଇଡି ଅଫିସ ଚାରିପାଖରେ କଡ଼ା ସୁରକ୍ଷା କରିଥିଲା ପୋଲିସ୍ ।

ତେବେ କଂଗ୍ରେସ କର୍ମୀ ବାରିକେଡ୍ ଭାଙ୍ଗି ଦଳୀୟ ଅଫିସରେ ପଶିବାକୁ ଉଦ୍ୟମ କରିବାକୁ ଠେଲାପେଲା ହୋଇଥିଲା ଫଳରେ ବରିଷ୍ଠ ନେତା ଶଶି ଥରୁରଙ୍କ ସମେତ ଅନ୍ୟ ନେତାଙ୍କୁ ପୋଲିସ ଅଟକ ରଖିଥିଲା । ସେହିପରି ଚଣ୍ଡିଗଡ଼ରେ ବ୍ୟାରିକେଡ ଡେଇଁ ଧସେଇ ପଶିବାକୁ ଉଦ୍ୟମ ବେଳେ ଆନ୍ଦୋଳନକାରୀଙ୍କ ଉପରେ ଓ୍ୱାଟର କ୍ୟାନନ୍ ମାଡ଼ କରିଛି ପୋଲିସ୍ ।

ସେହିପରି ଭୁବନଶ୍ୱରର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ କାର୍ଯ୍ୟାଳୟରୁ ଇଡି ଅଫିସ୍ ଅଭିମୁଖେ ଶୋଭାଯାତ୍ରା ଯିବା ବେଳେ ରାଜମହଲ ପାଖରେ ପୋଲିସ୍ ସହ ମୁହାଁମୁହିଁ ସୃଷ୍ଟି ହୋଇଥିଲା । କେବଳ ସେତିକି ନୁହେଁ ସୋନିଆଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ନେଇ ବିଧାନସଭାରେ ବି କଂପିଥିଲା । ଆଜି ଦିବସକୁ କଳା ଦିବସ କହି ଶୂନ୍ୟକାଳରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଦିନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି ।

ସେପଟେ ସୋନିଆଙ୍କୁ ଇଡିର ଜେରାକୁ ମିଳିତ ବିରୋଧୀଙ୍କ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ପାର୍ଲାମେଣ୍ଟ ହାଉସରେ କଂଗ୍ରେସ ସମେତ ଡିଏମକେ, ବାମମେଣ୍ଟ, ଟିଆରଏସ ଭଳି ୧୩ଟି ଦଳ ଏକାଠି ହୋଇ ମିଳିତ ବିବୃତି ଜାରି କରିଛନ୍ତି । ଯାଞ୍ଚ ଏଜେନ୍ସିଙ୍କୁ ବ୍ୟବହାର କରି ମୋଦି ସରକାର । ବିରୋଧୀ ଦମନ ଅଭିଯାନ ଚଳାଇଥିବା ଏଥିରେ କୁହାଯାଇଛି । ତେବେ ବିରୋଧୀଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛି ଶାସକ ବିଜେପି। ପୂର୍ବରୁ ଏହି ମାମଲାରେ ରାହୁଲ ଗାନ୍ଧିଙ୍କୁ ୫ ଦିନ ଧରି ଜେରା କରିଥିଲା ଇଡି ।