ବାଲେଶ୍ୱର ସହରର ଚିନ୍ତା ବଢାଇଛି ବେଆଇନ ବସ୍ ପାର୍କିଂ । ଓଟି ରୋଡ୍କୁ କବଜା କରି ରଖିଛନ୍ତି ବସ୍ ମାଲିକ । କୋଟି କୋଟି ଟଙ୍କା ବ୍ୟୟରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ହେଲା ପରେ ବି ସ୍ଥିତିରେ ସୁଧାର ଆସୁନି । ବେଆଇନ୍ ପାର୍କିଂ ଯୋଗୁଁ ଦୁର୍ଘଟଣା ବଢୁଛି । ସେପଟେ ବସ୍ ରଖିବାକୁ ଆବଶ୍ୟକ ଜାଗା ନଥିବା କହି ପ୍ରଶାସନକୁ ବସ୍ ମାଲିକ ସଂଘ ଘେରି ଥିବାବେଳେ ଉପଜିଲ୍ଲାପାଳ କହିଛନ୍ତି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ।
Also Read
ଇଏ ହେଉଛି ବାଲେଶ୍ୱର ସହରର ମୁଖଶାଳା କୁହାଯାଉଥିବା ଓଟି ରୋଡ୍ । ତାମୁଳିଆ ଓଭର ବ୍ରିଜଠୁ ଫାଣ୍ଡି ଛକ ପର୍ଯ୍ୟନ୍ତ ଲମ୍ବିଥିବା ଏ ରାସ୍ତା ବାଲେଶ୍ବର ସହରକୁ ପ୍ରମୁଖ ପ୍ରବେଶ ଦ୍ୱାର । ପୂର୍ବରୁ ରାସ୍ତାରେ ଅନେକ ଗାଡ଼ି ଠିଆ ହେଉଥିବାରୁ ଜାମ୍ ସ୍ଥିତି ସୃଷ୍ଟି ହେଉଥିଲା । ଏଣୁ ବସ୍ ପାର୍କିଂ ପାଇଁ ନିର୍ମାଣ ହେଲା ସହଦେବଖୁଣ୍ଟା ବସ ଟର୍ମିନାଲ୍ । ଉଠା ଦୋକାନୀଙ୍କୁ ଉଚ୍ଛେଦ କରି ରାସ୍ତା ପ୍ରଶସ୍ତ ବି କରାଗଲା । ତଥାପି ସ୍ଥିତି ଯଥା ପୂର୍ବଂ ତଥା ପରଂ ।
ଅଧିକ ପଢ଼ନ୍ତୁ:ନକଲି ପୋଲିସ ଅଫିସର ଓ କନଷ୍ଟେବଲ ଗିରଫ, ଜବତ ହେଲା ୨ ଲକ୍ଷରୁ ଅଧିକ ନକଲି ଟଙ୍କା
ଆଜି ବି ପୂର୍ବଭଳି ରାସ୍ତାରେ ଚାଲିଛି ବେଆଇନ୍ ପାର୍କିଂ । ବିଶେଷ କରି ବସ୍ ମାଲିକମାନେ ରାସ୍ତା ଉପରେ ହିଁ ପାର୍କିଂ କରୁଛନ୍ତି । ଯାହାଫଳରେ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।
ଏନେଇ ବସ୍ ମାଲିକ ଓ ଡ୍ରାଇଭରଙ୍କ କହିବା କଥା, ରେମୁଣା ଗଣେଶ୍ୱରପୁର ନିକଟରେ ନିର୍ମିତ ନୂଆ ବସଷ୍ଟାଣ୍ଡ କାର୍ଯ୍ୟକାରୀ ହୋଇପାରୁନି । ଦୀର୍ଘ ଦିନ ହେଲା ନିର୍ମାଣ ସରିଥିଲେ ବି ତାଲା ଖୋଲୁନି । ଏଣୁ ରାସ୍ତାକଡ଼ରେ ବେଆଇନ ପାର୍କିଂ ପାଇଁ ବାଧ୍ୟ ହେଉଛନ୍ତି ବସ୍ ମାଲିକ । ସହଦେବ ଖୁଣ୍ଟା ନୂଆ ବସଷ୍ଟାଣ୍ଡରେ ପାର୍କିଂ ପାଇଁ ଜାଗା ନିଅଣ୍ଟ ପଡୁଛି । ଏଣୁ ବାଧ୍ୟ ହୋଇ ବାହାରେ ବସ୍ ପାର୍କିଂ କରିବାକୁ ପଡୁଛି । ସେପଟେ ଉପଜିଲ୍ଲାପାଳ କହିଛନ୍ତି, ଖୁବଶୀଘ୍ର ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା ଚାଲିଛି ।