• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୋନିଆଙ୍କୁ ଇଡିର ଜେରାକୁ ବିରୋଧ କରିଛନ୍ତି ମିଳିତ ବିରୋଧୀ । ଏନେଇ କଂଗ୍ରେସ ସମେତ, ଡିଏମକେ, ସିପିଏମ, ସିପିଆଇ, ଆଇୟୁଏମଏଲ, ନ୍ୟାସନାଲ କନଫରେନ୍ସ, ଟିଆରଏସ, ଏମଡିଏମକେ, ଏନସିପି, ଭିସିକେ, ଆରଜେଡି ଓ ଆରଏସପି ଭଳି ୧୩ଟି ଦଳଙ୍କ ପକ୍ଷରୁ ଯୁଗ୍ମ ବିବୃତି ଜାରି କରାଯାଇଛି । ଯାଞ୍ଚ ଏଜେନ୍ସିଙ୍କୁ ବ୍ୟବହାର କରି ମୋଦି ସରକାର ବିରୋଧୀ ଦମନ ଅଭିଯାନ ଚଳାଇଥିବା ଏଥିରେ କୁହାଯାଇଛି । ଏସବୁ ଦଳର ବରିଷ୍ଠ ନେତାମାନେ ପାର୍ଲାମେଣ୍ଟ ପରିସରରେ ବୈଠକ କରିବା ସହ ସୋନିଆଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ କରାଯାଉଥିବା ଅଭିଯୋଗ କରିବା ସହ ତାର ନିନ୍ଦା କରିଛନ୍ତି ।

ସେହିପରି ଇଡିର ଡାକରା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଦେଶବ୍ୟାପି ଜାରି ରହିଛି ଆନ୍ଦୋଳନ। ଆଜି ଦିଲ୍ଲୀରେ କଂଗ୍ରେସ କର୍ମୀମାନେ ତୀବ୍ର ବିରୋଧ କରିଛନ୍ତି । କଂଗ୍ରେସ କର୍ମୀମାନେ ଶିବାଜୀ ବ୍ରିଜ୍‌ ରେଲୱେ ଷ୍ଟେସନରେ ଧାରଣା ଦେଇଛନ୍ତି। କଂଗ୍ରେସର ଧାରଣା ଯୋଗୁ ୩ଟି ଟ୍ରେନ୍‌ ବାତିଲ କରାଯାଇଛି। ସେହିପରି ବାଙ୍ଗାଲୁରରେ ଏକ କାରକୁ ଜାଳିଦେଇଛନ୍ତି କଂଗ୍ରେସ କର୍ମୀ। ତେବେ ବିରୋଧୀଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛି ଶାସକ ବିଜେପି ।

ସେପଟେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ୍ ପ୍ରତିବାଦରେ ଭୁବନେଶ୍ୱରରେ ବିକ୍ଷୋଭ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଓ କର୍ମୀ ଏକାଠି ହୋଇ ବିକ୍ଷୋଭ କରିଛନ୍ତି । ମାଷ୍ଟରକ୍ୟାଣ୍ଟିନ୍‌ ସ୍ଥିତ କଂଗ୍ରେସ ଭବନରୁ ବାହାରିଥିଲା ଶୋଭାଯାତ୍ରା । ରାଜମହଲ, ଏଜି, ଗଭର୍ଣ୍ଣର ହାଉସ୍ ଛକ ଦେଇ ଇଡି ଅଫିସ୍ ପର୍ଯ୍ୟନ୍ତ ଯିବାର ଥିଲା । ହେଲେ ଇଡି ଅଫିସ୍ ଯାଇପାରିଲା ନାହିଁ କଂଗ୍ରେସ । ରାଜମହଲ ଛକରେ ଅଟକାଇଲା ପୋଲିସ । ପୋଲିସ ସହ କଂଗ୍ରେସ କର୍ମୀଙ୍କର ଧସ୍ତାଧସ୍ତି ହୋଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତାଙ୍କୁ ପୋଲିସ ଉଠାଇ ନେଇଛି ।

ସୂଚନା ଅନୁସାରେ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଜୁନ୍ ୮ ତାରିଖରେ ହାଜର ଲାଗି ସୋନିଆଙ୍କୁ ପ୍ରଥମ ଇଡି ସମନ ଜାରି କରିଥିଲେ । ତେବେ କୋଭିଡରେ ପୀଡିତ ହେବା କାରଣରୁ ସେ ହାଜର ହୋଇପାରି ନଥିଲେ । ସେହିପରି ଜୁନ୍ ୨୩ରେ ହାଜର ହେବା ଲାଗି ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହୋଇଥିଲା । ତେବେ ବିଶ୍ରାମ ନେବା ଲାଗି ଡାକ୍ତର ପରାମର୍ଶ ଦେଇଥିବାରୁ ସେଥର ବି ହାଜର ହୋଇନଥିଲେ ସୋନିଆ । ତେଣୁ ଆଜି ହାଜର ହେବାକୁ ସୋନିଆଙ୍କୁ କହିଥିଲା ଇଡି ।