• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ଜୁଲାଇ ଶେଷ ସପ୍ତାହର ଘଟଣା; ରସୁଲଗଡ଼ଠାରେ ଥିବା ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲ୍‌ରେ ଟିଚର ଥିଲେ ସୁଧା। ରାସ୍ତାଘାଟର ସମସ୍ୟା ଓ ସୁବିଧା ଦେଖି ସ୍କୁଲ୍‌ ପାଖାପାଖି ଘର ଭଡାରେ ନେଇଥିଲେ। ଘରେ ଛଅ ମାସର ଛୋଟ ଛୁଆର ଦେହ ଖରାପ ଥିବାରୁ ସୁଧାଙ୍କର ଜମାରୁ ସ୍କୁଲ୍‌ ଯିବାକୁ ଇଛା ନଥିଲା।

ଏଥିପାଇଁ ଦୁଇ ଦିନ ଛୁଟି ମଧ୍ୟ ନେଇଥିଲେ। ହେଲେ ସ୍କୁଲ୍‌ରେ ଜରୁରୀ କାମ ପଡିଛି ବୋଲି ବାରମ୍ବାର ଫୋନ୍ ଆସୁଛି; ଯିବାକୁ ବାଧ୍ୟ। ପାଣ୍ଡାମିକ୍ ପରେ ପରେ ବଡ କଷ୍ଟରେ ଚାକିରିଟେ ମିଳିଛି। କାଳେ ସ୍କୁଲବାଲା ବିଗିଡିଗଲେ ରୋଜଗାର ଚାଲିଯିବ? ଇଚ୍ଛା ନଥିଲେ ବି ଗୌରୀ (ସୁଧାଘରେ କାମକରେ)କୁ ଛୁଆ ଦାୟିତ୍ୱ ଦେଇ ସୁଧା ସ୍କୁଲ୍‌କୁ ଗଲେ। ଯିବାର ଘଂଟାଏ ନ ପୂରୁଣୁ ସୁଧାପାଖକୁ ଗୌରୀର ଫୋନ୍ ଆସିଲା- ‘ଛୁଆର ଖଇଫୁଟା ଜର, ତୁହାକୁ ତୁହା କାନ୍ଦୁଛି। ଯେତେ ଯାହା କଲେ ବି କାନ୍ଦ ବନ୍ଦ ହେଉନି।’

ପ୍ରିନ୍ସିପାଲ୍‌ଙ୍କୁ ଘଟଣା ବିଷୟରେ କହି ଘରକୁ ଯିବାକୁ ସୁଧା ଅନୁରୋଧ କଲେ। ସ୍ୱାମୀ ମଧ୍ୟ ଅଫିସ୍‌ କାମ ଅଧା ପକାଇ ସୁଧାକୁ ସ୍କୁଲ୍‌ରୁ ଘରକୁ ନେଇଗଲେ। କିନ୍ତୁ ସୁଧା ଘରେ ପହଞ୍ଚି ପାରିଲେ ନାହିଁ! ଘର ବଦଳରେ ସେ ପହଞ୍ଚିଥିଲେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ। ରସୁଲଗଡ ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ ସୁଧା। ସ୍ୱାମୀଙ୍କର ସାଧାରଣ ଖଣ୍ଡିଆ ଖାବରା ହୋଇଥିଲା। ହେଲେ ହସ୍ପିଟାଲରେ ସୁଧା ଶେଷ ନିଶ୍ୱାସ ତ୍ୟାଗକଲେ। ଛଅ ମାସର ଶିଶୁ ମା’ ଡାକ ଶିଖିବା ଆଗରୁ ମା’ଛେଉଣ୍ଡ ହୋଇଗଲା।

କେବଳ ସୁଧା କିମ୍ବା ଏଇ ଗୋଟିଏ ଘଟଣା ନୁହେଁ! ବିଗତ ୫ ବର୍ଷ ମଧ୍ୟରେ ଓଡିଶାରେ ୫୪,୦୦୦ ସଡକ ଦୁର୍ଘଟଣାରେ ୨୫,୦୦୦ ଲୋକ ପ୍ରାଣ ହରାଇସାରିଲେଣି। ଗଲା ମାସ ଆର୍ଥାତ ଜୁଲାଇ ୨୯ରେ ଓଡିଶା ବିଧାନସଭାରେ ଖୋଦ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ଉତ୍ତର ରଖିଛନ୍ତି।

୨୦୧୭ରୁ ୨୦୨୧ ମଧ୍ୟରେ ୨୫ହଜାର ୨ଶହ ୫୨ ଜଣଙ୍କର ଜୀବନ ଯାଇଥିବା ମନ୍ତ୍ରୀ କହିଛନ୍ତି। ଏହି ୨୫ହଜାର ମଧ୍ୟରେ ସୁଧା ଭଳି କେହି କଅଁଳା ଛୁଆର ମାଆ ଥାଇପାରନ୍ତି। କାହାର ବାପା, କାହା ଶଙ୍ଖା-ସିନ୍ଦୂର, କେହି ବୃଦ୍ଧ-ବୃଦ୍ଧାଙ୍କ ଆଶାରବାଡି ମଧ୍ୟ ମୃତ୍ୟୁ ପରିସଂଖ୍ୟାନ ମଧ୍ୟରେ ଥାଇପାରନ୍ତି।

କେବଳ ସେତିକି ନୁହେଁ; ସରକାରୀ ପରିସଂଖ୍ୟାନ ଅନୁଯାୟୀ, ୨୦୨୨ର ପ୍ରଥମ ୫ ମାସ(ଜାନୁଆରୀରୁ ମେ) ମଧ୍ୟରେ ରାଜ୍ୟରେ ସଡକ ଦୁର୍ଘଟଣାରେ ୨,୩୫୭ ଜଣ ପ୍ରାଣ ହରାଇଛନ୍ତି। ଗତ ବର୍ଷ ଏହି ସମୟ ମଧ୍ୟରେ ୨,୨୦୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଅର୍ଥାତ ଚଳିତ ବର୍ଷ ସଡକ ଦୁର୍ଘଟଣାରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭% ବଢିଛି। ଦ୍ୱାଦଶ ଶତାବ୍ଦୀରେ ଜୀବନର ଗତିପଥ ଏତେ ଦ୍ରୁତ ହୋଇଯିବ ଯେ, ଜଣେ ଅନ୍ୟଠାରୁ ଆଗକୁ ଯିବାର ପ୍ରତିଯୋଗୀତାରେ ଲାଗିପଡିଛନ୍ତି। ଯାହାର ପରିଣାମ ହେଉଛି ମୃତ୍ୟୁ।

ସ୍ୱାଧୀନତାର ୭୫ ବର୍ଷ ପରେ ରାସ୍ତାରେ ଚାଲିବାର ଅଧିକାର ଲୋକେ ଯେମିତି ହରାଇ ସାରିଛନ୍ତି। ଶୂନସାନ ରାସ୍ତାରେ ମୃତ୍ୟୁର ଭୟ, ଭିଡ ରାସ୍ତାରେ ଜୀବନ ଜାମ୍! ଗାଁ’ଠାରୁ ସହର-ସଦର ସବୁଠି ସଡକ ପ୍ରମୁଖ ସମସ୍ୟା ଭିତରେ ପରିଗଣିତ। ବିକାଶ ପାଖରେ ପହଞ୍ଚିବାର ରାସ୍ତାଗୁଡିକ ଦିନକୁ ଦିନ ଅତି ଜଟିଳ ଓ ପ୍ରାଣଘାତି ପାଲଟିଛି। ସରକାର ଟ୍ରାଫିକ୍ ଓ ସଡକରେ ଯାତ୍ରା ସମ୍ପର୍କୀତ ସଚେତନତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

ହେଲ୍‌ମେଟ୍‌, ସିଟ୍‌ବେଲ୍ଟ, କଳାକାଚ ଆଦି ଆଇନ ଉଲଙ୍ଘନ ବାବଦକୁ ଯାତ୍ରୀଙ୍କଠାରୁ ଅଜସ୍ର ଟଙ୍କା ଆଦାୟ କରାଯାଉଛି। ସରକାର ଏକ ସୁସ୍ଥ, ଯାତ୍ରା ଉପଯୋଗୀ ସଡକ ପ୍ରଦାନ କରିବାରେ ଅସଫଳତାକୁ ଲୁଚାଇବାକୁ ଯାଇ ଟ୍ରାଫିକ୍‌ ସମସ୍ୟା ଓ ଦୁର୍ଘଟଣାର କାରଣ ପଛରେ ଏକମାତ୍ର ଯାତ୍ରୀଙ୍କ ଆଡକୁ ଅଙ୍ଗୁଳି ଆକ୍ଷେପ କଲା ଭଳି ସ୍ଥିତି ସୃଷ୍ଟି କରୁଛନ୍ତି।

୫ ଦିନ ତଳେ ଅର୍ଥାତ ଅଗଷ୍ଟ ୧୦ ତାରିଖରେ ରାଜଧାନୀର ଟ୍ରାଫିକ୍‌ ସମସ୍ୟାକୁ ନେଇ ଏକ ଖବର ରାଜ୍ୟର ପ୍ରମୁଖ ଖବରକାଗଜରେ ପ୍ରକାଶ ପାଇଲା। ‘ଭୁବନେଶ୍ୱର ଟ୍ରାଫିକ ସମସ୍ୟା ବୁଲି ଦେଖିଲେ ୫-ଟି ସଚିବ’ ଶୀର୍ଷକରେ ଥିବା ଲେଖାଟି ପଢି ସାଧାରଣରେ କିଛି ପ୍ରତିକ୍ରିୟା ସାମ୍ନାକୁ ଆସିଲା।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବୁଧବାର ବଡି ଭୋରୁ ୫-ଟି ସଚିବ ଓ ପୁଲିସ କମିଶନର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ରାଜଧାନୀର କିଛି ଛକମାନ ବୁଲି ଦେଖିଲେ। ରସୁଲଗଡ, ରବି ଟକିଜ୍ ଛକ, କଳ୍ପନା ଛକ, ଶିଶୁଭବନ ଛକ ଓ ଆଇଗିଣିଆ ଅଣ୍ଡର ପାସ୍‌ ବୁଲି ଦେଖିଥିବା କୁହାଯାଇଛ। ତେବେ ବିଗତ ୧୦ ବର୍ଷ ହେଲା ଘଣ୍ଟା ଘଣ୍ଟା ଧରି ଗାଡିଗୁଡିକର ଲମ୍ବା ଲାଇନ୍‌ ଲାଗୁଥିବା ଆଚାର୍ଯ୍ୟବିହାର-ଜୟଦେବବିହାର-ପଟିଆ ରାସ୍ତା ସମ୍ପର୍କରେ କିଛି ସୂଚନା ନ ଥିଲା।

ସେହିଭଳି ଭୂତଳ ବିଦ୍ୟୁତ କେବଲିଂ ଓ ସ୍ୱରେଜ୍‌ ପାଇଁ ରାସ୍ତା ଖୋଲା ହୋଇ ବର୍ଷ ବର୍ଷ ଧରି ପଡିରହିବା ଫଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଥିବା ଏବଂ ବର୍ଷାଦିନେ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଖବର ବହୁବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ସେ ବିଷୟରେ ଆଲୋଚନା ହୋଇଛି କି ନାହିଁ ତା’ର ଖବର ମଧ୍ୟ ନାହିଁ। କିନ୍ତୁ କିଛି ଲୋକ ଆଶ୍ୱସ୍ତି ଲାଭ କରି କହିଲେ ଯେ, ଯାହା ହେଉ ଏତେ ଦିନକ ପରେ ସରକାର ରାଜଧାନୀବାସୀଙ୍କ ପ୍ରକୃତ ଦୁଃଖ ବୁଝିଲେ! ଏଥର ସମସ୍ୟାରୁ ନିସ୍ତାର ମିଳିବ। ଆଉ କିଛି ସମାଲୋଚନା ମାଧ୍ୟମରେ କହିଲେ, ‘ନିରୋଳାରେ ନୁହେଁ, ଭିଡରେ ଆସ’!

ସେମାନଙ୍କ କହିବାନୁସାରେ, ଅନୁଧ୍ୟାନକାରୀ ଟିମ୍ ସକାଳ ଭୋରୁ ଯାଇ ଟ୍ରାଫିକ୍‌ ସମସ୍ୟା ସ୍ଥିତି ପରଖିଛନ୍ତି। ଯେତେବେଳେ କି ରାସ୍ତା ପ୍ରାୟ ଫାଙ୍କା ଥାଏ। ଯଦି ସଠିକ ସମୀକ୍ଷା କରିବାର ଅଛି ତେବେ ସରକାର ରାସ୍ତା ଭିଡ ଥିବା ସମୟରେ ଟ୍ରାଫିକ୍‌ ସମସ୍ୟାର ସ୍ଥିତି ପରଖିବା ଆବଶ୍ୟକ।

(ବି.ଦ୍ର : ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଭୁବନେଶ୍ୱର, ନାଲ୍‌କୋ ଛକ

ମୋ: ୯୮୬୧୨୪୦୨୨୮