Advertisment

ଏଣିକି ଗର୍ଭପାତ କରାଇପାରିବେ ଅବିବାହିତା ମହିଳା

ଅବିବାହିତାମାନେ ବି ଭୃଣ ହତ୍ୟା (ଗର୍ଭପାତ) କରିପାରିବେ। ଚିକିତ୍ସା ବିଶେଷଜ୍ଞମାନେ ଏଥିପାଇଁ ତାଙ୍କୁ ମନା କରିପାରିବେ ନାହିଁ। ଏ ପ୍ରସଙ୍ଗରେ ମାନ୍ୟବର କୋର୍ଟଙ୍କ ମତ ଦେଇଛନ୍ତି। ଜାଣନ୍ତୁ କୋର୍ଟ କ’ଣ କହିଛନ୍ତି…

author-image
Pramod Behera
ଅଦ୍ୟତନ ହୋଇଛି
An unmarried woman can have an abortion

An unmarried woman can have an abortion

ମାନ୍ୟବର ସୁପ୍ରିମକୋର୍ଟ ନିକଟରେ ଏକ ଐତିହାସିକ ରାୟ ଦେଇଛନ୍ତି । କୋର୍ଟଙ୍କ ରାୟ ଅନୁସାରେ ଏଣିକି ଅବିବାହିତା ମହିଳାଙ୍କୁ ଗର୍ଭପାତର ଅଧିକାର ମିଳିବ। ଅବିବାହିତାମାନେ ପ୍ରେଗ୍‌ନାନ୍ସିର ୨୦ ରୁ ୨୪ ସପ୍ତାହ ମଧ୍ୟରେ ଭୃଣ ହତ୍ୟା (ଗର୍ଭପାତ) କରିପାରିବେ ଓ ଚିକିତ୍ସା ବିଶେଷଜ୍ଞମାନେ ଏଥିପାଇଁ ତାଙ୍କୁ ମନା କରିପାରିବେ ନାହିଁ। ଏ ପ୍ରସଙ୍ଗରେ ମାନ୍ୟବର କୋର୍ଟଙ୍କ ମତ ହେଉଛି, ଏହି ନିଷ୍ପତ୍ତି ମହିଳା ସଶକ୍ତିକରଣ ଏବଂ ମହିଳାଙ୍କ ନିଜ ଶରୀର ଉପରେ ଅଧିକାର କ୍ଷେତ୍ରରେ ଏକ ମାଇଲ୍‌ଖୁଣ୍ଟ ସାବ୍ୟସ୍ତ ହୋଇପାରିବ।

Advertisment

ଯେତେବେଳେ ଆମେରିକାରେ ମହିଳାମାନଙ୍କୁ ଦିଆଯାଇଥିବା ଗର୍ଭପାତର ଅଧିକାରକୁ ସେ ଦେଶର ସୁପ୍ରିମ୍‌କୋର୍ଟ ରଦ୍ଦ କରିଦେଇଛନ୍ତି ସେତେବେଳେ ଭାରତର ସୁପ୍ରିମ୍‌କୋର୍ଟ ଭାରତୀୟ ମହିଳାମାନଙ୍କ ସପକ୍ଷରେ ଏଭଳି ରାୟ ଦେଇଛନ୍ତି। ଗର୍ଭପାତକୁ ନେଇ ସାରା ବିଶ୍ୱରେ ବ୍ୟାପକ ଚର୍ଚ୍ଚା ଚାଲିଥିବା ବେଳେ ଭାରତର ସୁପ୍ରିମ୍‌କୋର୍ଟ ଜୁଲାଇ ୨୧ ତାରିଖରେ ଅବିବାହିତଙ୍କୁ ଗର୍ଭପାତ କରାଇବାର ଅଧିକାର ଦେଇଛନ୍ତି। ସୁପ୍ରିମ୍‌କୋର୍ଟର ବିଚାରପତି ଡି. ଓ୍ୱାଇ ଚନ୍ଦ୍ରଚୁଡ, ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଏ.ଏସ୍. ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଜଣେ ଅବିବାହିତ ମହିଳାଙ୍କୁ ସୁରକ୍ଷିତ ଗର୍ଭପାତ ଅଧିକାରରୁ ବଞ୍ଚିତ କରିବାର ଅର୍ଥ ହେଉଛି ତାଙ୍କର ବ୍ୟକ୍ତିଗତ ସ୍ୱାଧୀନତା ଓ ସ୍ୱାୟତ୍ତତାର ଉଲଙ୍ଘନ।

ମଣିପୁରର ଜନୈକା ଯୁବତୀ ସହମତି ସମ୍ପର୍କର କାରଣରୁ ଗର୍ଭବତୀ ହୋଇଥିଲେ। କିନ୍ତୁ ତାଙ୍କ ପୁରୁଷ ବନ୍ଧୁ ଜଣକ ତାଙ୍କୁ ଧୋକା ଦେଇ ଛାଡ଼ି ଚାଲିଯାଇଥିଲେ। ଫଳତଃ ଯୁବତୀ ଜଣକ ଗର୍ଭପାତ କରିବା ପାଇଁ ଚାହୁଁ ନଥିଲେ।

Advertisment

ଏ ବାବଦରେ ସେ ଦିଲ୍ଲୀ ହାଇକୋର୍ଟ ଓ ପରେ ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ଇଜ୍‌ଲାସ୍‌ରେ ଏକ ମାମଲା ଦାଏର କରିଥିଲେ। ମାନ୍ୟବର କୋର୍ଟ ଯୁବତୀଙ୍କ ଆବେଦନକୁ ବିଚାର କରି ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସର ନିର୍ଦ୍ଦେଶକଙ୍କୁ ଏକ ଡାକ୍ତରୀ ବିଶେଷଜ୍ଞଙ୍କ କମିଟି ଗଠନ କରି ଯୁବତୀ ଜଣକ ସୁରକ୍ଷିତଭାବେ ଗର୍ଭପାତ କରାଇ ପାରିବେ କି ନାହିଁ ସେ ବାବଦରେ ରିପୋର୍ଟ ଦେବାକୁ ଆଦେଶ ଦେଇଥିଲେ। ଯୁବତୀ ଜଣକ ଅଦାଲତଙ୍କୁ ଦର୍ଶାଇଥିଲେ ଯେ ଜୁନ୍ ୨୦୨୨ ରେ ଯେତେବେଳେ ସେ ଗର୍ଭବତୀ ବୋଲି ଜାଣିଥିଲେ। ସେଇ ସମୟରେ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ, ଫଳତଃ ସେ ମାନସିକଭାବେ ଚାପଗ୍ରସ୍ତ ଅଛନ୍ତି।

ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେବା ପୂର୍ବରୁ ଯୁବତୀ ଜଣକ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ, କିନ୍ତୁ ଏମ୍‌ଟିପି(ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସି) ଆଇନ୍ ଅନୁସାରେ ଅବିବାହିତ ଯୁବତୀ ବା ମହିଳାଙ୍କୁ ଗର୍ଭପାତ କରେଇବାର ସୁଯୋଗ ନାହିଁ କହି ଦିଲ୍ଲୀ ହାଇକୋର୍ଟ ଏଥିପାଇଁ ଅନୁମତି ଦେଇ ନଥିଲେ। ପରେ ଯୁବତୀ ଜଣକ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ମାନ୍ୟବର କୋର୍ଟ ଏମ୍‌ଟିପି ଆଇନ୍‌ର ଧାରା ୩ର ବ୍ୟାପକ ତର୍ଜମା କରିବା ସହ ଯୁବତୀଙ୍କୁ ଗର୍ଭପାତ କରାଇବାର ଅନୁମତି ଦେଇଥିଲେ।

ମାନ୍ୟବର ସୁପ୍ରିମ୍‌କୋର୍ଟ ସ୍ପଷ୍ଟ ଭାବରେ କହିଥିଲେ ଯେ ଅବିବାହିତ ଯୁବତୀ / ମହିଳାଙ୍କ ଅବାଞ୍ଛିତ ଗର୍ଭକୁ ନଷ୍ଟ କରିବା ପାଇଁ ସେମାନଙ୍କୁ ସୁଯୋଗ ନ ଦେବାର ଅର୍ଥ ହେଉଛି ସେମାନଙ୍କ ସ୍ୱାଧୀନତା କ୍ଷୁର୍ଣ୍ଣ କରିବା। ସେମାନେ ଅତିବାହିତ ବୋଲି ସେମାନଙ୍କୁ ଏହି ଅଧିକାରରୁ ବଞ୍ଚିତ କରାଯାଇ ପାରିବ ନାହିଁ। ସୁପ୍ରିମ୍‌କୋର୍ଟଙ୍କ ଖଣ୍ଡପୀଠ କହିଥିଲେ ଯେ ବିବାହିତା ଓ ଅବିବାହିତାଙ୍କ ମଧ୍ୟରେ କୌଣସି ତଫାତ୍ ରଖାଯିବା ଉଚିତ ନୁହେଁ।

ସୂଚନାଯୋଗ୍ୟ ଯେ ଏମ୍‌ଟିପି ଆଇନର ଧାରା ୩ (୨) ପ୍ରସଙ୍ଗରେ ୨୦୨୧ ମସିହାରେ ସଂସଦରେ ଆଲୋଚନା ହୋଇଥିଲା ଓ ଆଇନ୍‌ରେ ଥିବା ସ୍ୱାମୀ (ପତି) ଶବ୍ଦକୁ ହଟାଯାଇ ପୁରୁଷବନ୍ଧୁ କରାଯିବା ପାଇଁ ଆଇନ୍ ପ୍ରଣୟନ କରାଯାଇଥିଲା। ସଂସଦରେ ଏହି ଆଇନ୍‌ରେ ‘ପତି’ ଶବ୍ଦ ବଦଳରେ ପୁରୁଷବନ୍ଧୁ କରାଯିବାକୁ ଆଧାର କରି ମାନ୍ୟବର କୋର୍ଟ ଅବିବାହିତା ମହିଳାଙ୍କୁ ଗର୍ଭପାତର ଅଧିକାର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦିଓ ମାନ୍ୟବର କୋର୍ଟ ଏମ୍‌ଟିପି ଆଇନ୍‌ରେ ଥିବା ତ୍ରୁଟିକୁ ଦୂର କରିଛନ୍ତି, ତଥାପି ପ୍ରଜଜନ ଅଧିକାର ସନ୍ଦର୍ଭରେ ଅନେକ କିଛି କରାଯିବା ପାଇଁ ବାକି ରହିଛି।

୧୯୭୧ ମସିହାରେ ଏମ୍‌ଟିପି ଆଇନ୍ ଆଇପିସିର ଧାରା ୩୧୨ ଓ ୩୧୩ ଅନୁସାରେ ପ୍ରଣୟନ କରାଯାଇଥିଲା ଓ ଗର୍ଭପାତକୁ ଏକ ଅପରାଧଭାବେ ଗଣନା କରାଯାଉଥିଲା। ମହିଳା ନିଜ ଇଚ୍ଛା ଅନୁସାରେ ଗର୍ଭପାତ କରାଇଲେ ମଧ୍ୟ ଏହା ଅପରାଧ ବୋଲି କୁହାଯାଉଥିଲା। ୨୦୨୧ ରେ ସଂସଦରେ ଆଇନ୍ ସଂଶୋଧନ ପରେ ମଧ୍ୟ ଏହା ଅପରାଧ ଶ୍ରେଣୀଭୁକ୍ତ ଥିଲା। ମହିଳା ଏମ୍‌ଟିପି ଆଇନର ପରିସର ମଧ୍ୟକୁ ଆସିଲେ କେବଳ ଗର୍ଭପାତର ସୁଯୋଗ ମିଳୁଥିଲା। ଏଣୁ ଦେଶରେ ଦୈନନ୍ଦିନ ବେଆଇନ୍ ଭାବେ ଲୁଚାଛପାରେ ହଜାର ହଜାର ଗର୍ଭପାତ କରାଯାଉଥିଲା।

ଏକ ତଥ୍ୟ ଅନୁସାରେ ଆମ ଦେଶରେ ପ୍ରତିବର୍ଷ ପାଖାପାଖି ୬୪ ଲକ୍ଷ ଗର୍ଭପାତ କରାଯାଇଥାଏ। ଏପରିକି ଅସୁରକ୍ଷିତ ଏବଂ ବେଆଇନ୍ ଗର୍ଭପାତ କାରଣରୁ ଦୈନିକ ୧୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଥାଏ। ଏହା ଏକ ଚିନ୍ତାଜନକ ସ୍ଥିତି ନିଶ୍ଚୟ। କେନ୍ଦ୍ର ସରକାର ଏମ୍‌ଟିପି ଆଇନର ସଂଶୋଧନ କରିବା ପୂର୍ବରୁ ଏକ ପ୍ରେସ୍‌ନୋଟ୍‌ରେ କହିଥିଲେ ଯେ, ଗର୍ଭପାତ କରାଉଥିବା ମହିଳାଙ୍କ ସମ୍ମାନ, ସ୍ୱାୟତ୍ତତା, ଗୋପନୀୟତା ଓ ନ୍ୟାୟ ସୁରକ୍ଷିତ ରହିବ, କିନ୍ତୁ ଆଇନଟି ଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସରକାର ସଂଶୋଧନ କରିବା ବେଳେ ସୁପ୍ରିମ୍‌କୋର୍ଟଙ୍କ ୨୦୧୭ର ରାୟକୁ ମଧ୍ୟ ଅଣଦେଖା କରିଥିଲେ।

୨୦୧୭ରେ ସୁପ୍ରିମ୍‌କୋର୍ଟ ବ୍ୟକ୍ତିଗତ ଘଟଣାକୁ ମୌଳିକ ଅଧିକାର ବୋଲି ଗ୍ରହଣ କରି ପ୍ରାଇଭେସିରେ ବ୍ୟକ୍ତିଗତ ଆତ୍ମିୟତା, ପାରିବାରିକ ଜୀବନ, ବିବାହ, ପ୍ରଜଜନ, ଯୌନ ସମ୍ପର୍କକୁ ମୌଳିକ ଅଧିକାର ବୋଲି କହିବା ସହ ଏହାର ସଂରକ୍ଷଣ ଓ ସମ୍ମାନ ପ୍ରତି ଗୁରୁତ୍ୱ ଦେଇଥିଲେ। ପ୍ରାଇଭେସି ବ୍ୟକ୍ତିଗତ ସ୍ୱାୟତ୍ତତାର ସୁରକ୍ଷା କଥା କହିଥାଏ ଓ ବ୍ୟକ୍ତିକୁ ତା’ ଜୀବନର ଗୁରୁତ୍ୱପୂର୍ଣ୍ଣ ଦିଗ ବା କାର୍ଯ୍ୟକୁ ନିୟନ୍ତ୍ରିତ କରିବାର ମାନ୍ୟତା ଦେଇଥାଏ।

ସଂଶୋଧନରେ ମହିଳାଙ୍କ ପ୍ରଜଜନ ସ୍ୱତନ୍ତ୍ରତାର ଅଧିକାର ଡାକ୍ତରୀ ଆଇନ୍ ଅଧିନରେ ଆସୁଛି। କିନ୍ତୁ ବର୍ତ୍ତମାନର ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଏଥିରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏବେର କୋର୍ଟଙ୍କ ନିଷ୍ପତ୍ତି ଅନେକଙ୍କୁ ଅବୈଧ ଗର୍ଭଯନ୍ତ୍ରଣାରୁ ମୁକ୍ତି ଦେବ ନିଶ୍ଚୟ। କିନ୍ତୁ ଅନ୍ୟପକ୍ଷରେ ଅବିବାହିତାଙ୍କ ପାଇଁ ଆଇନର ପ୍ରତିବନ୍ଧକ ନ ରହିବା କାରଣରୁ ଗର୍ଭଧାରଣ ଏକ ସାମାନ୍ୟ ଘଟଣାରେ ପରିଣତ ହେବ ନିଶ୍ଚୟ।

ରାମଚନ୍ଦ୍ରପୁର, ରଣପୁର

ଦୂରଭାଷ : ୯୪୩୮୪୮୫୦୯୪

(ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Abortion Of Minor Girl Abortion Bill 2020
Advertisment
Advertisment