• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯେଉଁ ବୟସରେ ବାପା ମାଆଙ୍କ ସାହାରା ହେବା କଥା, ଯେଉଁ ସମୟରେ ନିଜ ଗୋଡ଼ରେ ନିଜେ ଛିଡ଼ା ହେବା କଥା । ଏବେ ତାକୁ ଅନ୍ୟ ଉପରେ ଭରସା କରିବାକୁ ପଡ଼ୁଛି । ଗୁରୁଣ୍ଡି ଗୁରୁଣ୍ଡି ଚାଲୁଛି, ଟାଣି ଓଟାରି ହୋଇ ଜୀବନ ବିତାଇବାକୁ ପଡ଼ୁଛି । ଏସବୁ ଯେତିକି କଷ୍ଟଦାୟକ ତାଠୁ ଅଧିକ ଏସବୁକୁ ବୟାନ କରିବା ।

ଗଜପତି ନୂଆଗଡ଼ ବ୍ଲକ ପୁଟୁରୁପଡ଼ା ଗାଁର କୈଳାସ ରଇତା । ଘରେ ରୋଗିଣା ସ୍ତ୍ରୀ ଆଉ ୪ ପୁଅ । ପିଲାଙ୍କ ମଧ୍ୟରୁ ୩ ଜଣ ରୋଗିଣା ଓ ଦିବ୍ୟାଙ୍ଗ । ଦିନ ମଜୁରିଆ ଭାବେ କାମ କରୁଥିବା କୈଳାସ ଏ ମେଡିକାଲରୁ ସେ ମେଡିକାଲ୍‌ ଦୌଡ଼ିବା ପରେ ବି କୌଣସି ସୁଫଳ ମିଳିନି ।

ଘରେ ଆର୍ଥିକ ଅବସ୍ଥା ଏମିତି, କି ଦିନେ ଚୁଲି ଜଳିଲେ ଦି’ ଦିନ ଉପବାସ । ମୁଣ୍ଡ ଗୁଞ୍ଜିବାକୁ କିଛି ଖଣ୍ଡ ବାଉଁଶ ଉପରେ ଟଣା ହୋଇଛି କଳା ପଲିଥିନ୍ । ଏସବୁକୁ ଶୁଣିବା ପରେ ଯେ କେହି ବି କହିପାରିବ ଏମାନେ ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ କେତେ ଯୋଗ୍ୟ । ହେଲେ ଆମ ସରକାରୀ ବ୍ୟବସ୍ଥା ଓ ପ୍ରଶାସନ ଯେପରି ସବୁ ଦେଖି ଆଖି ବୁଜି ଦେଇଛି । ବାରମ୍ବାର ଜଣାଇବା ପରେ ବି କୌଣସି ସହାୟତା ନମିଳିବା ପରେ ଆଗେଇ ଆସିଛନ୍ତି ସ୍ଥାନୀୟ ତିବଦ୍ଦୀୟ ପରିବାର । ଏମାନଙ୍କ ପାଇଁ ତିଆରି କରିଛନ୍ତି ପକ୍କା ଘର ।

କୈଳାସ ଓ ତାଙ୍କ ପରିବାରର ଏପରି ଅବସ୍ଥା ଦେଖି ଏକାଠି ହୋଇଥିଲେ ଚନ୍ଦ୍ରଗିରି ଓ ଆଖପାଖ ଅଞ୍ଚଳର ତିବବ୍ବୀୟ ଶରଣାର୍ଥୀ । ପକ୍କା ଘରଟିଏ ତିଆରି କରିଦେବା ପରେ ବିଜୁଳି ସଂଯୋଗ ଠାରୁ ଆବଶ୍ୟକ ଘରକରଣା ଜିନିଷ ବି ଦେଇଛନ୍ତି । କ୍ଷୀର ପିଇବା ପାଇଁ ଗାଈଟିଏ ବି ଦେଇଛନ୍ତି । ଘର ଚଳାଇବା ପାଇଁ ଯାହା ଆବଶ୍ୟକ ସେସବୁ ଯୋଗାଇ ଦେଇଛନ୍ତି ।

ଏହି ଘଟଣା ଏବେ ସରକାରୀ ବ୍ୟବସ୍ଥା ସାମ୍ନାରେ ଅନେକ ପ୍ରଶ୍ନ ଛିଡ଼ା କରିଛି । ଦୀର୍ଘ ବର୍ଷ ଧରି ଝାଟି ମାଟି ଘରେ ରହୁଥିବା ପରିବାର ଉପରେ ପ୍ରଶାସନର ନଜର ପଡ଼ିଲାନି କେମିତି ? ବାରମ୍ବାର ଗୁହାରୀ ପରେ ବି କାହିଁକି ନିଦ ଭାଙ୍ଗିଲାନି ? ଆବାସ ଯୋଜନା ପ୍ରକୃତରେ କାହା ପାଇଁ ?