ପୁଣି ଦୁନିଆର ଆଖି ଝଲସାଇ ଦେଲା ଓଡ଼ିଶାର ଗୁପ୍ତ ପର୍ଯ୍ୟଟନ ସଂପଦ । ସାରାଦେଶକୁ ବିଭୋର କଲା ସୁନ୍ଦରଗଡ଼ର କାହ୍ନାକୁଣ୍ଡ । ଯାହାକୁ ଦେଖି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ବି ଆନନ୍ଦରେ ଗଦଗଦ୍ । ସୋସିଆଲ୍ ମିଡିଆ ଏକ୍ସରେ ତାଙ୍କର ରି-ଟୁଇଟ୍ ପରେ କାହ୍ନାକୁଣ୍ଡକୁ ନେଇ ଦେଶବ୍ୟାପୀ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଏହାକୁ ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସାମିଲ ପାଇଁ ରାଜ୍ୟ ସରକାର ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ଆସନ୍ତୁ ଜାଣିବା କାହ୍ନକୁଣ୍ଡର ବିସ୍ମୟ କାହାଣୀ.....
ଅଦ୍ଭୁତ ବିସ୍ମୟ, ଅଜବ ଆଶ୍ଚର୍ଯ୍ୟ । ଯିଏ ଦେଖୁଛି ତାର ପଲକ ପଡ଼ୁନି ଏବଂ ଆଖି ଲେଉଟେଇ ହେଉନି । ସତେ କି ସୌନ୍ଦର୍ଯ୍ୟର ସରଗ ପୁରୀଟିଏ । ପ୍ରକୃତିର ରୋମାଞ୍ଚଭରା ରହସ୍ୟଟିଏ । ନୀଳ ଆକାଶ ତଳେ ବିସ୍ତୀର୍ଣ୍ଣ ପଣତ ପାରି ଦେଇଛି ଆବଡ଼ା ଖାବଡ଼ା ପଥର । ତାରି ମଝିରେ ପଥରର ଛାତି ଚିରି କୁଳୁକୁଳୁ ବହିଯାଇଛି ନୀଳ ଇବ୍ ନଈ । ଅଙ୍କାବଙ୍କା, ଖାଲଢିପ କିଛି ବି ମାନୁନି । ଆମେରିକାର ଆରିଜୋନାର ଗ୍ରାଣ୍ଡ କାନିୟନ ଭଳି ଦିଶୁଥିବା ପ୍ରକୃତିର ମାଷ୍ଟରପିସ୍ ଟି ଓଡ଼ିଶାର ସୁନ୍ଦରଗଡ଼ରେ ଅବସ୍ଥିତ । ବାଲିଶଙ୍କରା ବ୍ଲକ ଘୋଘର ଗାଁ ନିକଟରେ ଥିବା ଚମତ୍କାର ଟୁରିଜିମ୍ ପ୍ଲେସ୍ କାହ୍ନା କୁଣ୍ଡ। ଓଡ଼ିଶାର ଗ୍ରାଣ୍ଡ କାନିୟନ ।
Also Read
ଯାହାର ଚମତ୍କାରୀ ସୁନ୍ଦରପଣରେ ସୋସିଆଲ୍ ମିଡିଆରୁ ଦେଖି, ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ବିଭୋର ହେବା ପରେ ଏବେ ଯେମିତି ବିଭୋର ସାରା ଦେଶ । ଏକ୍ସରେ ଆରୟାଂଶ ନାମକ ଜଣେ ବ୍ଲଗରଙ୍କ ପୋଷ୍ଟ ଦେଖି ଚକିତ ହେବା ସହ କାହ୍ନାକୁଣ୍ଡକୁ ବିଶ୍ବ ପର୍ଯ୍ୟଟନର ହଟସ୍ପଟ୍ କରିବାକୁ କଣ କରିବାକୁ ହେବ ସେନେଇ ପ୍ରଶ୍ନ ବି କରିଥିଲେ । ଏହାପରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତତ୍ପରତା ପ୍ରକାଶ କରିବା ସହ ଆନନ୍ଦ ମହିନ୍ଦ୍ରାଙ୍କୁ ରିପ୍ଲାଏ ବି ଦେଇଥିଲା ।
ଅଧିକ ପଢ଼ନ୍ତୁ: ଆଖିରୁ ଅନବରତ ବୋହି ଚାଲୁଛି ଲୁହ... ଛାତିକୁ କୋରି ପକାଉଛି କୋହ...
ଆଉ ପରେ ପରେ ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ବି କହିଥିଲେ କାହ୍ନାକୁଣ୍ଡର ତ୍ବରିତ ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ସୋସିଆଲ୍ ମିଡିିଆରେ ଭାଇରାଲ୍ ପରେ କାହ୍ନାକୁଣ୍ଡକୁ ନେଇ ଜାତୀୟ ସ୍ତରରେ ବି ଜୋରଦାର ଚର୍ଚ୍ଚା । ବିଭିନ୍ନ ଗଣମାଧ୍ୟମ ଶିରୋନାମାରେ ସ୍ଥାନ ପାଇଛି କାହ୍ନାକୁଣ୍ଡ ।
କିଏ ଏହାକୁ ଓଡ଼ିଶାର ହିଡେନ୍ ଜେମ୍ କହୁଛି ତ ଆଉ କିଏ କହୁଛି ଗ୍ରାଣ୍ଡ କାନିୟନ । ତିନି କିଲୋମିଟର ଯାଏଁ ବଛେଇ ହୋଇଥିବା ବନ୍ଦୁର ପଥର ଶଯ୍ୟା ସମସ୍ତଙ୍କ ମନ ଜିଣୁଛି । ଏହାରି ଭିତରେ ଥିବା ଭୀମ କୁଣ୍ଡ, ଭୀମ ପାଦ, ସାତ ବଖରି ଆଉ ଏକାଧିକ ଗୁମ୍ଫା ବି ଆହୁରି ଆକର୍ଷକ । କାହ୍ନାକୁଣ୍ଡକୁ ସ୍ଥାନୀୟ ଅଂଚଳରେ କନାକୁଣ୍ଡ ବୋଲି କୁହାଯାଇଥାଏ । ଯାହାକୁ ନେଇ ରହିଛି ଅନେକ ଲୋକକଥା ।
ଏଠାରେ ପଥର ଶଯ୍ୟା ଦେବୀ, ଦେବତାଙ୍କ ବାସସ୍ଥଳୀ ସହିତ ପଥର ଖୋଲ ମଧ୍ୟରେ ଶିବ ଲିଙ୍ଗ ଆକୃତି ରହିଥିବା ବିଶ୍ବାସ କରାଯାଏ । ଏହାର ନାମକରଣକୁ ନେଇ ବି ଶୁଣିବାକୁ ମିଲିଥାଏ ରୋଚକ କାହାଣୀ । ଓଡ଼ିଶା ମାଟିରେ ବହୁଥିବା ଏ ଶ୍ରେଷ୍ଠ ଗୁପ୍ତ ପର୍ଯ୍ୟଟନ ସଂପଦ ଏବେ ଦୁନିଆ ଆଖିରେ ପଡ଼ିଯିବା ପରେ, ଓଡ଼ିଶା ଯେ ଭାରତର ବେଷ୍ଟ କେପ୍ଟ ସିକ୍ରେଟ୍ ତାହା ପୁଣି ଥରେ ପ୍ରମାଣିତ ହୋଇଛି ।