• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଅନେକ ବ୍ୟକ୍ତି ନିଜ ଘରେ ପଶୁ ପକ୍ଷୀଙ୍କୁ ପାଳନ କରିଥା'ନ୍ତି । ନିଜ ପାଳିତ ପଶୁ ପକ୍ଷୀଙ୍କୁ ପରିବାର ସଦସ୍ୟ ଭଳି ଭଲପାଇବା ଘଟଣା ଅନେକ ସମୟରେ ସାମ୍ନାକୁ ଆସିଥାଏ । କିନ୍ତୁ, ନିଜ ପାଳିତ ବିଲେଇ ମୃତ୍ୟୁବରଣ କରିବାପରେ ଚରମ ନିଷ୍ପତି ନେଇଛନ୍ତି ଉତ୍ତରପ୍ରଦେଶର ଜଣେ ମହିଳା । ନିଜ ପୋଷା ବିଲେଇର ମୃତ୍ୟୁହେବା ପରେ ମହିଳା ଜଣକ ଏମିତି କିଛି ପଦକ୍ଷେପ ନେଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଏବଂ ବ୍ୟଥିତ କରିଛି ।

ଆସନ୍ତୁ ଜାଣିବା ମହିଳା ଜଣକ ନିଜ ପୋଷା ବିଲେଇର ମୃତ୍ୟୁପରେ କ'ଣ ପଦକ୍ଷେପ ନେଇଛନ୍ତି ...

ସଂପୃକ୍ତ ମହିଳା ନିଜ ପୋଷା ବିଲେଇର ମୃତ୍ୟୁକୁ ସହ୍ୟ କରିପାରିନଥିଲେ । ଉତ୍ତର ପ୍ରଦେଶର ଆମରୋହା ଜିଲ୍ଲାର ଜଣେ ମହିଳା, ତାଙ୍କ ପୋଷା ବିଲେଇର ମୃତ୍ୟୁରେ ମର୍ମାହତହୋଇ ଦୁଇ ଦିନ ପର୍ଯ୍ୟନ୍ତ ପୋଷା ବିଲେଇର ମୃତଦେହ ତାଙ୍କ ପାଖରେ ରଖିଥିଲେ । ସେ ଭାବିଥିଲେ ବିଲେଇଟି ପୁଣିଥରେ ଜୀବିତ ହୋଇଯିବ । କିନ୍ତୁ, ଦୁଇ ଦିନ ବିତିଯିବା ପରେ ମଧ୍ୟ ବିଲେଇଟି ଜୀଵିତ ହୋଇନଥିଲା । ଏହାପରେ ସେହି ମହିଳାଙ୍କର ଆଶା ମଉଳି ଯାଇଥିଲା । ତେଣୁ ମହିଳା ଜଣକ ଜୀବନ ହାରିଦେଇଥିଲେ ।

ମୃତ ମହିଳା ଜଣକ ହେଉଛନ୍ତି ୩୨ ବର୍ଷୀୟା ପୂଜା ଦେବୀ । ପ୍ରାୟ ଆଠ ବର୍ଷ ପୂର୍ବେ ପୂଜା ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । କିନ୍ତୁ, ତାଙ୍କ ବିବାହ ବେଶିଦିନ ତିଷ୍ଠି ପାରିନଥିଲା । ମାତ୍ର ଦୁଇ ବର୍ଷ ପରେ ତାଙ୍କର ଛାଡପତ୍ର ହୋଇଯାଇଥିଲା । ସେବେଠାରୁ ସେ ତାଙ୍କ ମାତା ଗଜରା ଦେବୀଙ୍କ ସହିତ ନିଜ ବାପଘରେ ରହୁଥିଲେ । ଏହାପରେ ଏକା ହୋଇଯାଇଥିବା ପୂଜାଙ୍କ ସାଥି ପାଲଟି ଯାଇଥିଲା ବିଲେଇ । ସେ ଏହି ବୁଲା ବିଲେଇଟିକୁ ୩ ବର୍ଷ ତଳେ ରାସ୍ତାରୁ ଆଣି ପାଳିଥିଲେ । କିନ୍ତୁ, ଦୁର୍ଭାଗ୍ୟବଶତଃ ଗୁରୁବାର ଦିନ ବିଲେଇଟିର ମୃତ୍ୟୁ ହୋଇଯାଇଥିଲା ।

ଏହାପରେ ପୂଜାଙ୍କ ମାଆ ବିଲେଇଟିକୁ ପୋତିଦେବାକୁ କହିଥିଲେ । କିନ୍ତୁ, ପୂଜା ଏପରି କରିବାକୁ ମନା କରିଦେଇଥିଲେ । ସେ କହିଥିଲେ ବିଲେଇଟି ପୁଣି ଜୀବିତ ହୋଇଯିବ । ପୂଜା ଦୁଇ ଦିନ ପର୍ଯ୍ୟନ୍ତ ବିଲେଇର ଶରୀରକୁ କୁଣ୍ଢାଇ ଧରି ରହିଥିଲେ । ପୂଜାଙ୍କ ପରିବାର ଏବଂ ସାହି ପଡିଶା ଲୋକେ ଯେତେ ବୁଝେଇଲେ ମଧ୍ୟ ସେ ସେହି ବିଲେଇକୁ ପୋତି ନଥିଲେ ।

ସେ ଶନିବାର ଅପରାହ୍ନରେ ନିଜ ଘରର ତୃତୀୟ ମହଲାରେ ଥିବା ତାଙ୍କ କୋଠରୀରେ ନିଜକୁ ବନ୍ଦ କରିଦେଇଥିଲେ । ସେହି ରାତି ପ୍ରାୟ ୮ଟା ବେଳେ ତାଙ୍କ ମାଆ ଗଜରା ଦେବୀ ତାଙ୍କୁ ଦେଖାକରିବାକୁ ଯାଇଥିଲେ ।

ଏହାପରେ ସେ ପୂଜାଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ । ତାଙ୍କ ପାଖରେ ପୋଷା ବିଲେଇର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ପଡ଼ୋଶୀମାନେ ଗଜରା ଦେବୀଙ୍କ ଚିତ୍କାର ଶୁଣି ଧାଇଁ ଆସିଥିଲେ । ପରେ ପଡ଼ୋଶୀମାନେ ପୋଲିସକୁ ଖବର ଦେଇଥିଲେ । ତେବେ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଅଧିକ ପଢ଼ନ୍ତୁ: ମୋବାଇଲ ନିଶାକୁ ନେଇ ବଢ଼ିଲା ଚିନ୍ତା; କାନରେ ଲଗାଉଛନ୍ତି କି ହେଡଫୋନ୍, ଇଅରଫୋନ୍ ଓ ଇଅର୍ ପ୍ଲଗ୍ ?

OTV is now on Whatsapp

Join and get latest news update delivered to you via whatsapp

Join Now