• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୁଦୂର ପାକିସ୍ତାନରେ ୨୫ ବର୍ଷର ଜେଲ୍ ଜୀବନ କାଟି ଭିଟାମାଟିକୁ ଫେରିଥିବା ସେଦିନର ସେହି ଚର୍ଚ୍ଚିତ ବୃଦ୍ଧଙ୍କୁ ଭୁଲିଗଲେ ରାଜ୍ୟ ସରକାର । ଘରକୁ ଫେରିଥିବା ସୁନ୍ଦରଗଡ଼ର ବିରଜୁ କୁଲୁଙ୍କୁ ଘରଦ୍ୱାର ସହ ଆର୍ଥିକ ସାହାଯ୍ୟର ମାଳ ମାଳ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ । ହେଲେ ୩ ବର୍ଷ ବିତିଗଲା, ସହାୟତାର ନାଁ ଗନ୍ଧ ନାହିଁ । ଯାହା ପାଖରେ ଆପଣାର ବୋଲି କେହି ନାହିଁ, ପରିଣତ ବୟସରେ ସେହି ବିରଜୁଙ୍କୁ ସମସ୍ତେ ଆଜି ଭୁଲି ଯାଇଛନ୍ତି ।

ଧିରେ ଧିରେ କ୍ଷୀଣ ହୋଇ ଆସିଲାଣି ଶରୀରର ବଳବପୁ । ବାପା ମା’ ତ ଦୂରର କଥା, ଜୀବନରେ ପୁଅ, ଝିଅ କି ପତ୍ନୀ ବୋଲି କେହିନାହାଁନ୍ତି । ସଂପର୍କିୟଙ୍କ ହାତ ଟେକାରେ ଯାହା ଜୀବନ ଜୀଇଁବାକୁ ପଡୁଛି । ଦିନେ ଏହି ଶରୀର କେତେ ସହିଛି ଶତ୍ରୁରାଷ୍ଟ୍ରର ନିର୍ଯାତନା । ପାକିସ୍ତାନ ଜେଲ ଭିତରେ ଅନ୍ଧାରୀ ମାଡ଼ର ବେଦନା ଆଜି ବି ମନେ ଅଛି ତାଙ୍କର । କାରଣ ଏ ହେଉଛନ୍ତି ସେହି ବିରଜୁ କୁଲୁ । ଯିଏ ୨୫ ବର୍ଷ ଧରି ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟି ୨୦୨୦ରେ ଫେରିଛନ୍ତି ସୁନ୍ଦରଗଡ଼ର ଭିଟାମାଟିକୁ । ଜୀବନ ବଞ୍ଚାଇ ଫେରିଆସିଛନ୍ତି ସତ, ହେଲେ ଜୀବନର ଯନ୍ତ୍ରଣାରୁ କିନ୍ତୁ ମିଳୁନି ଉପଶମ ।

ପାକିସ୍ତାନରୁ ଫେରିବା ପରେ ଅମ୍ରିତସରରୁ ସୁସ୍ଥ ସବଳ ଅବସ୍ଥାରେ ଯେଉଁ ପ୍ରଶାସନ ବାଟ କଢ଼େଇ ଆଣିଥିଲା ବିରଜୁଙ୍କୁ । ସେହି ପ୍ରଶାସନ ସତେଯେମିତି ଆଜି ଅଧାବାଟରେ ଠକିଦେଲା । ବିରଜୁଙ୍କ ନା କେଉଁଠି ଥଇଥାନ କଲା ନା ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ଦେଲା । ଶେଷରେ ଜରାଜୀର୍ଣ୍ଣ ଜୀବନ ଜୀଉଁଛନ୍ତି ବିରଜୁ ।

ସୁନ୍ଦରଗଡ଼ କୁତ୍ରା ବ୍ଲକ କଟଙ୍ଗ ଜଙ୍ଗରପଡ଼ାର ବିରଜୁ ଦଶମ ପଢିବାବେଳେ ମାନସିକ ଭାରସାମ୍ୟ ହରାଇ ଅକସ୍ମାତ ଉଭାନ ହୋଇଗଲେ । ବିରଜୁଙ୍କ ପରିବାର କହିଲେ ବାପା, ମା’ ଓ ଗୋଟିଏ ଭଉଣୀ । କିନ୍ତୁ ବିରଜୁଙ୍କୁ ଜନ୍ମ ଦେଇ ଆରପାରିକୁ ଚାଲିଗଲେ ମା’ । ବାପା ବି ଝିଅକୁ ହାତକୁ ଦି’ହାତ କରିବା ପରେ ବିରଜଙ୍କୁ ଝୁରିଝୁରି ପ୍ରାଣ ହରାଇଥିଲେ । ତାହାରି ଭିତରେ ବିତିଯାଇଥିଲା ଅନେକ ବର୍ଷ । ଶତ୍ରୁ ଦେଶରେ ବନ୍ଦୀ ହୋଇ ଜୀବନର ଯୌବନକୁ ହରାଇ ବିରଜୁ ପାଲଟି ଯାଇଥିଲେ ବୃଦ୍ଧ । ତାହାରି ଭିତରେ ଜିଲ୍ଲା ପ୍ରଶାସନ ଖବର ପାଇଲା, ବିରଜୁ ୨୦ ବର୍ଷ ଧରି ସୁଦୂର ପାକିସ୍ତାନ ଜେଲରେ ବନ୍ଦୀ ଅଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ୩ ବର୍ଷ ଧରି ଉଦ୍ୟମ ଜାରି ରହିଥିଲା । ୨୦୨୦ ଅକ୍ଟୋବର ୨୬ରେ ପାକିସ୍ତାନ ଜେଲରୁ ମୁକୁଳିବା ପରେ ବିରଜୁଙ୍କୁ ପ୍ରଥମେ ପଞ୍ଜାବ ଅମୃତସର ଆଣି କୋଭିଡ୍ ସେଣ୍ଟରରେ ରଖାଯାଇଥିଲା ।

ପରେ ଅମୃତସର ଯାଇ ୨୦୨୦ ନଭେମ୍ବର ୧୩ରେ ବିରଜଙ୍କୁ ଧରି ଗାଁକୁ ଫେରିଥିଲା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ । ଗାଁକୁ ଫେରିବା ପରେ କେତେ ଖୁସି ମଉଜ ଦେଖିବାକୁ ମିଳିଥିଲା । ପହଞ୍ଚିଥିଲେ ନେତା, ଅଫିସରଙ୍କ ଯାଏଁ । ବିରଜୁଙ୍କୁ ସହାୟତାର ନାନା ପ୍ରତିଶ୍ରୁତି ବି ଦେଇଥିଲେ । କିନ୍ତୁ ମିଳିଲା ରାସନ କାର୍ଡ ଖଣ୍ଡେ । ଯାହା ବର୍ଷେ ହେଲା ବନ୍ଦ । କୁଲି ମଜୁରୀ କରି ଚଳୁଥିବା ବିରଜୁଙ୍କ କକା ପୁଅ ଭାଈ ପରିବାର ଯାହା କିଛି ସାହାଯ୍ୟ କରୁଛନ୍ତି । ଏଭଳି ସ୍ଥିତିରେ କୁତ୍ରା ବିଡ଼ିଓଙ୍କୁ ପଚାରିବାରୁ ସେ କହୁଛନ୍ତି, ମୁଁ କିଛି ଜାଣିନି । ଅନୁଧ୍ୟାନ ପରେ ଯାହାକିଛି ପଦକ୍ଷେପ ନିଆଯିବ ।

ଆତ୍ମୀୟଙ୍କ ପାଇଁ ଦିନେ ମରିସାରିଥିବା ଏହି ଅଲୋଡ଼ା, ଅଖୋଜା ଓ ଅସହାୟ ମଣିଷ ପାଇଁ ପ୍ରଶାସନ କେବେ ତା ପ୍ରତିଶ୍ରୁତି ପୂରଣ କରୁଛି, ତାକୁ ଅପେକ୍ଷା ।

(ରିପୋର୍ଟ- ରାଜଗାଙ୍ଗପୁରରୁ ବିଶ୍ୱକେତନ ରାୟ)