• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଢୁଥିବା ଡିପ୍ ଫେକ୍ ରୋକିବାକୁ କେନ୍ଦ୍ର ସରକାର ଆଣିବେ ନୂଆ ନିୟମ । ଏହାକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପରେ କେନ୍ଦ୍ର ସରକାର ଆକ୍ସନ ମୋଡ୍‌କୁ ଆସିଛନ୍ତି । ଡିଫ୍ ଫେକ୍ ଭିଡିଓ ପ୍ରସ୍ତୁତ କରୁଥିବା ଓ ଏହାର ପ୍ରସାରଣ କରୁଥିବା ପ୍ଲାଟଫର୍ମ ପାଇଁ ହେବ ଦଣ୍ଡବିଧାନ ବ୍ୟବସ୍ଥା । ଆଜି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୋସିଆଲ୍ ମିଡିଆ କଂପାନୀ ଓ ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ- AI ଏକ୍ସପର୍ଟଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଡିପ୍ ଫେକକୁ ରୋକିବା ଲାଗି ଏଥିରେ ଚାରି ସୂତ୍ରୀ କାର୍ଯ୍ୟପନ୍ଥା ଉପରେ ଫୋକସ୍ ଦିଆଯାଇଛି ।

ଅଭିନେତା କି ନେତା, ସେଲିବ୍ରିଟି ହୁଅନ୍ତୁ ଅବା ସାଧାରଣ ଜନତା । ସମସ୍ତଙ୍କୁ ଏବେ ଘାରିଛି ଡିପ୍ ଫେକର ଡର । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ପ୍ରଯୁକ୍ତି ବ୍ୟବହାର କରି ନକଲି ଭିଡିଓ ପ୍ରସ୍ତୁତ କରାଯିବାକୁ ନେଇ ବଢ଼ିଛି ସମସ୍ତଙ୍କ ଚିନ୍ତା । ଏଭଳି ଅନୈତିକ ଏବଂ ବେଆଇନ କାର୍ଯ୍ୟ ଉପରେ ରୋକ ଲଗାଇବାକୁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । ଡିପ୍ ଫେକ୍ ରୋକିବାକୁ ଖୁବ ଶୀଘ୍ର ପ୍ରଚଳିତ ଆଇନକୁ ସଂଶୋଧନ କରାଯିବ କିମ୍ବା ନୂଆ ଆଇନ ଆସିବ । ଡିପ୍ ଫେକକୁ ନେଇ ସୋସିଆଲ ମିଡିଆ କମ୍ପାନିଗୁଡ଼ିକ ସହିତ କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ବୈଠକରେ ଚାରି ସୂତ୍ରୀ କାର୍ଯ୍ୟପନ୍ଥା ଡିପ୍ ଫେକ୍ ଡିଟେକସନ, ରିପୋର୍ଟିଂ, ପ୍ରିଭେନସନ୍ ଓ ସଚେତନତା ଉପରେ ଦିଆଯାଇଛି ଗୁରୁତ୍ୱ । କେମିତି ‘ଡିପ୍ ଫେକ୍’କୁ ଚିହ୍ନଟ କରାଯାଇ ପାରିବ, କେମିତି ଏହାର ପୋଷ୍ଟିଂକୁ ରୋକାଯାଇପାରିବ, କିଭଳି ଭାବେ ‘ଡିପ୍ ଫେକ୍ ’ କଣ୍ଟେଣ୍ଟ ଭାଇରାଲ୍ ହେବାରୁ ନିବୃତ କରାଯିବ ସେ ସଂପର୍କରେ ସଚେତନ କରାଇବା ଉପରେ ବୈଠକରେ ଆଲୋକପାତ କରାଯାଇଥିଲା ।

ସୋସିଆଲ ମିଡିଆ କମ୍ପାନି, ନାସକମ୍, ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ବିଶେଷଜ୍ଞଙ୍କୁ ନେଇ ଖୁବଶୀଘ୍ର ଚିଠା ନିୟମ ପ୍ରସ୍ତୁତ ହେବ । ‘ଡିପ୍ ଫେକ୍ ’ ଭିଡିଓର ପ୍ରସ୍ତୁତକାରୀ ଏବଂ ସେଗୁଡ଼ିକୁ ପ୍ରସାରଣ କରୁଥିବା ‘ପ୍ଲାଟଫର୍ମ’ ପାଇଁ ବିହିତ ଦଣ୍ଡ ବିଧାନ ମଧ୍ୟ କରାଯିବ । ଏଥିପାଇଁ କିଛି ସପ୍ତାହ ଭିତରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନମୂଳକ ପନ୍ଥା ବାହାର କରିବେ ।

ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । କିନ୍ତୁ ତାହା ଡିପ୍ ଫେକ୍ ଦ୍ୱାରା କରାଯାଇଥିବା ପରେ ସ୍ପଷ୍ଟ ହୋଇଥିଲା । ପରେ ଅଭିନେତ୍ରୀ କାଜୋଲ ଓ କଟ୍ରିନା କୈଫ ମଧ୍ୟ ‘ଡିପ୍ ଫେକ୍’ର ଶିକାର ହୋଇଥିଲେ । ସୋସିଆଲ ମିଡିଆରେ ଏଭଳି ମିଛ ଭିଡିଓର ପ୍ରସାରଣ ପରେ ଚିନ୍ତା ବ୍ୟକ୍ତ କରିଥିଲେ ଅମିତାଭ ବଚ୍ଚନ । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉଦବେଗ ପ୍ରକାଶ କରି ନିଜେ ଏହାର ଶିକାର ହୋଇଥିବା କହିଥିଲେ । ମୋଦି ତାଙ୍କର ଗରବା ନୃତ୍ୟର ଏକ ନକଲି ଭିଡିଓ କିପରି ତିଆରି ହୋଇଥିଲା ତାହା ଉଲ୍ଲେଖ କରିଥିଲେ ।

ବ୍ୟୁରୋ ଇନ୍ ପୁଟ୍ ସହ ଭୁବନେଶ୍ବରରୁ ବିବର୍ତ୍ତନ ପଣ୍ଡାଙ୍କ ରିପୋର୍ଟ, ଓଟିଭି...