Advertisment

ମାଡ଼ି ଚାଲିଛି ଜଙ୍ଗଲ ନିଆଁ ! ୧୨ ଶହରୁ ଅଧିକ ସ୍ଥାନରେ ଜଳୁଛି, ବନ୍ୟଜନ୍ତୁ ଜନବସତି ମୁହାଁ

ଜନବସତି ମୁହାଁ ଜଙ୍ଗଲ ଯନ୍ତୁଙ୍କୁ ନେଇ ଚିନ୍ତା । ନିଆଁ ଲଗାଉଥିବା ବ୍ୟକ୍ତି ସମ୍ପର୍କରେ ଖବର ଦେଲେ ୧୦ ହଜାର ପୁରସ୍କାର ।

author-image
Satyendu Shekher Mishra
Jungle Firemishap

Jungle Firemishap

ବିପଦରେ ଜଙ୍ଗଲୀ ଜୀବଜନ୍ତୁଙ୍କ ଜୀବନ। ହୁତ୍ ହୁତ୍ ହୋଇ ଜଳୁଛି ଜଙ୍ଗଲ। ଆଜି ବନାଗ୍ନି ଆଁରେ ପଶିଛି ରାଜ୍ୟର ୧୨ଶହ ପଏଣ୍ଟ। ଜଙ୍ଗଲ ନିଆଁ ଭୟାବହତାକୁ ଦେଖି ନିଜ ଜୀବନ ବଞ୍ଚାଇବାକୁ ଏବେ ଜନବସତିମୁହାଁ ଜଙ୍ଗଲୀ ଜୀବ। ନୀଳଗିରି ପଞ୍ଚଲିଙ୍ଗେଶ୍ୱରର କୁଲଡିହା ଅଭୟାରଣ୍ୟର ତେଲିପାଟ ପାର୍ଶ୍ୱରେ ନିଆଁ ଲାଗିଥିବାରୁ ବିପରିତ ପଞ୍ଚଲିଙ୍ଗେଶ୍ୱର ପାର୍ଶ୍ୱ ଗାଁ ଆଡ଼କୁ ମାଡ଼ି ଯାଉଛନ୍ତି ହାତୀ । ଖାଲି ହାତୀ ନୁହନ୍ତି, ନିଆଁ ଭୟରେ ବିଷାକ୍ତ ସାପ ବି ଏବେ ଗାଁ ମୁହାଁ ।

Advertisment

ଆଉ ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ବି ସମଦଶା । ଜଙ୍ଗଲରେ ନିଆଁ ଲାଗିବା ଫଳରେ ପାହାଡ଼ର ଖାଲି ସ୍ଥାନକୁ ପଳାଇ ଆସିଛି ହାତୀ । ଜଙ୍ଗଲ ନିଆଁ ଯୋଗୁ ଦେଖା ଦେଉଥିବା ଏଭଳି ସ୍ଥିତି ପାଇଁ ବନ ବିଭାଗ ଓ ସରକାରଙ୍କ ଅପାରଗତାକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ବନ ବିଶେଷଜ୍ଞ । ଏମିତି ସ୍ଥିତି ଲାଗି ରହିଲେ, ଆଗକୁ ଜଙ୍ଗଲ ଧ୍ୱଂସ ପାଇଯିବ ବୋଲି ସେମାନେ ଆଶଙ୍କା ବି କଲେଣି ।

ମୟୁରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ ହେଉ ବା ରାଜଧାନୀ ଭୁବନେଶ୍ୱରର ଶିଖରଚଣ୍ଡୀ ପାହାଡ଼ । କୁଲଡିହା ଅଭୟାରଣ୍ୟ ହେଉ ଅବା ବାଲୁଗାଁର ସୋଲରୀ ପାହାଡ଼। ରାଜ୍ୟବ୍ୟାପୀ ସବୁଠି ଜଳୁଛି ଜଙ୍ଗଲ । ହୁ ହୁ ହୋଇ ମାଡ଼ି ଚାଲିଛି । ବ୍ୟାପି ଚାଲିଛି ଏ ଜଙ୍ଗଲରୁ ସେ ଜଙ୍ଗଲ। କେବଳ ଆଜି ପୂର୍ବାହ୍ନ ଯାଏଁ ରାଜ୍ୟର ୧ ହଜାର ୨ ଶହଟି ସ୍ଥାନରେ ଲାଗିଛି ବନାଗ୍ନି । ଖବର ପାଇବା ମାତ୍ରେ ନିଆଁ ଲିଭା କାମରେ ଲାଗି ପଡ଼ୁଛନ୍ତି ବନ ବିଭାଗ କର୍ମଚାରୀ। କିନ୍ତୁ ଦିନ ସମୟରେ ପ୍ରଚଣ୍ଡ ତାତି ଓ ଝାଞ୍ଜି ପବନ ଯୋଗୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ୁଛି ବୋଲି କହିଛନ୍ତି ବନ ଅଧିକାରୀ।

Advertisment

ଜଙ୍ଗଲ ନିଆଁ ଉପରେ ପିସିସିଏଫ୍ କହିଛନ୍ତି, ବନ୍ୟଜନ୍ତୁଙ୍କ ଶିକାର ଉଦ୍ଦେଶ୍ୟରେ ଶିକାରୀ ଜଙ୍ଗଲରେ ନିଆଁ ଲଗାଉଛନ୍ତି । ତେଣୁ ଜଙ୍ଗଲୀ ଜୀବଜନ୍ତୁ ଜନବସତି ମୁହାଁ ହେଉଛନ୍ତି। ଏଥିରେ ରୋକ୍ ଲଗାଇବାକୁ ବନ ବିଭାଗ ପକ୍ଷରୁ ଶିକାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି। ଲୋକଙ୍କୁ ସଚେତନ କରାଯାଉଛି। ଏମିତିକି କୌଣସି ବ୍ୟକ୍ତି ନିଆଁ ଲଗାଉଥିବା ନେଇ ଖବର ପ୍ରଦାନ କଲେ ୧୦ ହଜାର ଟଙ୍କା ଯାଏଁ ପୁରସ୍କାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଗୋଟେ ପଟେ ଜଙ୍ଗଲ ନିଆଁରେ ରୋକ୍ ଲାଗୁ ନ ଥିବା ବେଳେ ଅନ୍ୟପଟେ ଜଙ୍ଗଲୀ ଜୀବ ଜନବସତି ମୁହାଁ। ଆବଶ୍ୟକତାଠାରୁ କମ୍ କର୍ମଚାରୀରେ ଚାଲୁଥିବା ବନ ବିଭାଗ ଲାଗି ଏଭଳି ସ୍ଥିତିର ମୁକାବିଲା କରିବା ଏବେ ବଡ଼ ଚ୍ୟାଲେଞ୍ଜ ।

Fire Mishap
Advertisment
Advertisment