ଅସ୍ତିତ୍ୱ ଖୋଜୁଛି ବ୍ରିଟିଶ ଅମଳର କୋଷ୍ଟ କେନାଲ। ଅତୀତରେ ନୌବାଣିଜ୍ୟ ଏବଂ ଜଳସେଚନର ପ୍ରମୁଖ ମାଧ୍ୟମ ସାଜିଥିଲା। ମାତ୍ର ଏବେ ନିଜ ପରିଚୟ ଖୋଜୁଛି। ରକ୍ଷଣାବେକ୍ଷଣ ଅଭାବ ଓ ଜବରଦଖଲକାରୀଙ୍କ କବଜା ଯୋଗୁଁ ପୋତି ହୋଇଗଲାଣି ଐତିହାସିକ ଜଳପଥ। ସମୟ ଗଡି ଚାଲିଥିବା ବେଳେ କୋଷ୍ଟ କେନାଲର କେବେ ହେବ ପୁନଃରୁଦ୍ଧାର ଉଠିଛି ପ୍ରଶ୍ନ।
Also Read
କେବେ ସଚଳ ହେବ ଅଚଳ ହୋଇ ପଡ଼ିଥିବା କୋଷ୍ଟ କେନାଲ ? କେବେ ହେବ କେନାଲର ପୁନରୁଦ୍ଧାର ? ବ୍ରିଟିଶ ସମୟରେ ଓଡ଼ିଶାରେ ନୌବାଣିଜ୍ୟର ପ୍ରମୁଖ ମାଧ୍ୟମ ସାଜିଥିଲା କୋଷ୍ଟ କେନାଲ । ପଶ୍ଚିମବଙ୍ଗର ଗୋଏନଖାଲି ସ୍ଥିତ ହୁଗୁଳି ନଦୀରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଯାଏ ପ୍ରାୟ ୨୩୫କିମି ପରିବ୍ୟାପ୍ତ ଏହି ଐତିହାସିକ କେନାଲ । ସେ ଭିତରୁ ୧୧୪ କିଲୋମିଟର କେନାଲ ଓଡ଼ିଶାର ବାଲେଶ୍ୱର ଓ ଭଦ୍ରକ ଦେଇ ଯାଇଛି ।
ସେ ସମୟରେ ପଶ୍ଚିମବଙ୍ଗରୁ ମାଲ ଓ ଯାତ୍ରୀ ପରିବହନ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଥିଲା ଏହି କେନାଲ। ହେଲେ ରକ୍ଷଣାବେକ୍ଷଣ ଅଭାବ ଏବଂ ଜବରଦଖଲ ଯୋଗୁଁ ଏବେ ଅସ୍ତିତ୍ୱ ହରାଇବାକୁ ବସିଲାଣି ।
ଜଳପଥରେ ଗମନାଗମନ ସୁବିଧା ପାଇଁ କୋଷ୍ଟ କେନାଲ ଖୋଳିଥିଲେ ଗୋରା ସରକାର । କେନାଲର ପରିଚାଳନା ପାଇଁ ଏହାକୁ ଚାରିଭାଗରେ ବିଭକ୍ତ କରାଯାଇଥିଲା । ସେ ଗୁଡିକ ହେଲା ଭୋଗରାଇ ଲକ, ଜାମକୁଣ୍ଡା ଲକ, ପଂଚୁପଡା ଓ ସୋଲପଟା ଲକ। ବିଟ୍ରିଶ ସମୟରେ କଲିକତାରୁ ଖାଉଟି ସାମଗ୍ରୀ ଓ ବସ୍ତ୍ର ଇତ୍ୟାଦି ଏହି ବାଟ ଦେଇ ଓଡ଼ିଶା ଆସୁଥିଲା । କୁହାଯାଏ ନଅଙ୍କ ଦୁର୍ଭିକ୍ଷ ସମୟରେ ଖାଦ୍ୟ ଶସ୍ୟ ପରିବହନ ପାଇଁ ଏହି କେନାଲ ପ୍ରମୁଖ ଭୂମିକା ତୁଲାଇଥିଲା । ଅତୀତରେ ଲୋକଙ୍କ ଜୀବନରେଖା ପାଲଟି ଥିବା କେନାଲ ଏବେ ଅଲୋଡା ହୋଇପଡିଛି।
ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ କ୍ଷେତ୍ରରେ ମଧ୍ୟ ଏହାର ପ୍ରମୁଖ ଭୂମିକା ଥିଲା । ଭାରତର ୫ ନଂ ଜଳପଥ ଭାବେ ପରିଚିତ ଏହି କେନାଲକୁ ମନ୍ତେଇ ନଦୀ- ବ୍ରାହ୍ମଣୀ ନଦୀ ଓ ମଦାନଦୀ ସହ ସଂଯୋଗ କରି ତାଳଚେର-କୋଲକାତା ଜଳପଥ ସଂଯୋଗ କରିବାକୁ ଯୋଜନା ରଖିଥିଲେ ବାଜପେୟୀ ସରକାର । ହେଲେ ସରକାର ପରିବର୍ତ୍ତନ ପରେ ଏହି ଯୋଜନା ଶୀତଳଭଣ୍ଡାରକୁ ଚାଲିଯାଇଥିଲା । କେନାଲ ପୁନରୁଦ୍ଧାର ହେଲେ କେବଳ ଜଳପଥରେ ଗମନାଗମନ ନୁହେଁ ବରଂ ଜଳସେଚନ, ବନ୍ୟା ନିୟନ୍ତ୍ରଣ ଏବଂ ମତ୍ସ୍ୟଜୀବୀ ସ୍ୱାବଲମ୍ବୀ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।