• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଓବାଦୀଙ୍କ ପାଇଁ ସେମାନେ କାଳ। ସେହି ମହାକାଳଙ୍କ ନାଁ ଶୁଣିଲେ ଥରି ଉଠେ ମାଓ ଗଡ଼। ଛତ୍ର ଭଙ୍ଗ ଦେବାକୁ ବାଧ୍ୟ ହୁଅନ୍ତି ମାଓବାଦୀ। କୁଆଡେ ଯିବେ, କଣ କରିବେ ବାଟ ପାଆନ୍ତିନି। ଆମେ କହୁଛୁ ମାଓବାଦୀଙ୍କ ନିଦ ହଜାଇ ଦେଉଥିବା C-60 ଫୋର୍ସଙ୍କ କଥା। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଏମାନେ ପାଚେରୀଠାରୁ ମଜବୁତ। ତେବେ ଶକ୍ତିଶାଳୀ ଫୋର୍ସ କେମିତି ଗଠନ ହୁଏ? କେଉଁମାନଙ୍କୁ ଏଠାରେ ଦିଆଯାଏ ନିଯୁକ୍ତି? ଏବେ ଜାଣିବା ସେହି C-60 ଫୋର୍ସ ବିଷୟରେ...

ମାଓବାଦୀଙ୍କ ବଡ଼ ଶତ୍ରୁ C-60 !

ମାଓବାଦୀଙ୍କ ସହ ଲଢ଼େଇ କରିବା C-60 ୟୁନିଟର ମୁଖ୍ୟ କାମ। ମାଓବାଦୀଙ୍କୁ ମୁକାବିଲା ଓ ନିପାତ କରିବା ପାଇଁ ମହାରାଷ୍ଟ୍ର ଗଡ଼ଚିରୋଲି ପ୍ରଶାସନ ତିଆରି କରିଛି ଏହି ଫୋର୍ସର ମୁଖ୍ୟ କାମ। ୨୦୧୮ ମସିହାରେ ପ୍ରଥମେ ୩୯ ମାଓବାଦୀଙ୍କୁ ନିପାତ କରି ନିଜର ପରାକ୍ରମ ଦେଖାଇଥିଲା C-60 ୟୁନିଟ। ଯେଉଁଥି ପାଇଁ C-60 ଫୋର୍ସକୁ ମାଓବାଦୀମାନେ ସବୁଠାରୁ ବଡ଼ ଶତ୍ରୁ ଭାବିଥାନ୍ତି।

କେବେ C-60 ପ୍ରତିଷ୍ଠା ହୋଇଥିଲା ?

ମାଓବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ୧୯୯୨ ମସିହାରେ C-60 ଫୋର୍ସ ପ୍ରତିଷ୍ଠା ହୋଇଥିଲା। ମହାରାଷ୍ଟ୍ର ପୋଲିସ ଅଧିନରେ ଥିବା ଏହି ଫୋର୍ସରେ ପ୍ରଥମେ ୬୦ ଯବାନଙ୍କୁ ମିଳିଥିଲା। ତତ୍କାଳୀନ ଗଡ଼ଚିରୋଲି ଏପସି କେପି ରଘୁବଂଶୀ ଏହାର ସ୍ଥାପନ କରି ଯବାନମାନଙ୍କୁ ଗରିଲା ଯୁଦ୍ଧର ଟ୍ରେନିଂ ଦେଇଥିଲେ। ବିଶେଷ କରି ହାଇଦ୍ରାବାଦ, ବିହାର ଓ ନାଗପୁରରେ ଏମାନଙ୍କୁ ଟ୍ରେନିଂ ଦିଆଯାଏ। ଜଙ୍ଗଲ ଭିତରେ ଲୁଚିଛପି ଯୁଦ୍ଧ କରିବାରେ ଏମାନେ ଧୁରନ୍ଦର।

ପିଠିରେ ୧୫ କେଜି ବୋହିନିଅନ୍ତି C-60

ମହାରାଷ୍ଟ୍ର ପୋଲିସର ସବୁଠାରୁ ଦକ୍ଷ ଫୋର୍ସ ବୋଲି C-60 ୟୁନିଟକୁ କୁହାଯାଏ। ପ୍ରତିଦିନ ଗୁଇନ୍ଦା ସୂଚନା ଆଧାରରେ ଏମାନେ କାମ କରି ଟାର୍ଗେଟ ପୂରଣ କରିଥାନ୍ତି। C-60 ୟୁନିଟ ଯବାନମାନେ ନିଜ ସହ ୧୫ କେଜି ଓଜନର ଅସ୍ତ୍ରଶସ୍ତ୍ର, ଖାଇବା, ପାଣି, ଔଷଧ ଓ ଅନ୍ୟ ଜିନିଷ ସାଙ୍ଗରେ ନେଇ ବୁଲିଥାନ୍ତି।

C-60ରେ କେବଳ ଆଦିବାସୀ କମାଣ୍ଡର

C-60 ୟୁନିଟ ଦେଶର ଏକମାତ୍ର ପୋଲିସ ଫୋର୍ସ ଯାହା ଜିଲ୍ଲାସ୍ତରରେ ସ୍ଥାପନ ହୋଇଛି। ଜିଲ୍ଲାର ଆଦିବାସୀ ଯୁବକଙ୍କୁ କେବଳ ଏଥିରେ ସାମିଲ କରାଯାଇଥାଏ। କାରଣ, ମାଓବାଦୀଙ୍କ ପରି ସେମାନେ ଘଞ୍ଚ ଜଙ୍ଗଲ ମଧ୍ୟରେ ଘୂରି ବୁଲି ପାରିବେ। ଏମିତି କି ଦୁର୍ଗମ ଅଞ୍ଚଳର ଲୋକଙ୍କୁ ହିଁ କମାଣ୍ଡର ପଦରେ ନିଯୁକ୍ତି ମିଳିଥାଏ। ‘ବୀର ଭୋଗ୍ୟ ବଶୁଂଧରା’ ଏମାନଙ୍କ ଟ୍ୟାଗଲାଇନ ଥିବା ବେଳେ ପ୍ରଥମେ ୧୫ଟି ଟିମକୁ ନେଇ ଆରମ୍ଭ ହୋଇଥିବା C-60 ୟୁନିଟ ଏବେ ୨୪ରେ ପହଞ୍ଚିଛି। ପ୍ରତି ଟିମରେ ୬୦ ଯବାନଙ୍କୁ ନିଯୁକ୍ତି ମିଳିଛି।

ତେବେ ଏମିତି ସ୍ପେଶାଲ ଫୋର୍ସ ଗଠନ ଦେଶରେ ପ୍ରଥମ ନୁହେଁ। ତେଲେଙ୍ଗାନାରେ ଗ୍ରେହାଉଣ୍ଡ, ଆନ୍ଧ୍ରପ୍ରଦେଶରେ ସ୍ପେଶାଲ ଅପରେସନ ଗ୍ରୁପ୍ ଅଛନ୍ତି। ହେଲେ ଏସବୁ ରାଜ୍ୟସ୍ତରରେ ପ୍ରତିଷ୍ଠା ହୋଇଛି।

କମାଣ୍ଡରଙ୍କ ନାଁରେ C-60 ଟିମ୍

C-60 ଫୋର୍ସରେ ସାମିଲ ହେବାକୁ ଥିବା ଆଶାୟୀ ଯୁବକଙ୍କୁ ବହୁ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଥିରେ ସେମାନଙ୍କ ମାନିସିକ ଓ ଶାରୀରିକ ଦକ୍ଷତା ସହଜରେ ନିରିକ୍ଷଣ କରାଯାଇଥାଏ। C-60 ଫୋର୍ସ ଏମିତି ଏକ ଫୋର୍ସ, ଯେଉଁଠି କମାଣ୍ଡରଙ୍କ ନାଁରେ ଟିମ ଜଣାଯାଇଥାଏ।

ଗ୍ୟାଜେଟ୍ ଚଲାଇବାରେ ଧୁରନ୍ଦର

ନୂଆ ନୂଆ ଅସ୍ତ୍ରଶସ୍ତ ଓ ଗ୍ୟାଜେଟ ଚଲାଇବାରେ C-60 ଫୋର୍ସର ଯବାନମାନେ ଧୁରନ୍ଦର। ଗୁପ୍ତ ସୂଚନା ସଂଗ୍ରହ କରିବାରେ ବି ଏମାନେ ସିଦ୍ଧହସ୍ତ। ବିଶେଷ କରି ନିଜ ଅଞ୍ଚଳରେ C-60 ଫୋର୍ସର ଯବାନମାନଙ୍କୁ ନିଯୁକ୍ତି ଦିଆଯାଉଥିବାରୁ ନିଜ ସଂସ୍କୃତି, ନିଜ ଭାଷାକୁ ଏମାନେ ବଡ ଅସ୍ତ୍ର କରିଥାନ୍ତି। ଏହା ସହ ନକ୍ସଲ ପ୍ରଭାବିତ ଅଞ୍ଚଳର ଲୋକେ ଏମାନଙ୍କୁ ଜାଣିଥାନ୍ତି। ଏହି କାରଣରୁ ଏମାନେ ବଡ଼ରୁ ବଡ଼ ଗୁପ୍ତତଥ୍ୟ ବାହାର କରିବାରେ ସମର୍ଥ ହୋଇଥାନ୍ତି।

C-60ରେ କେଉଁମାନେ ସାମିଲ ?

C-60 ଫୋର୍ସରେ ସାମିଲ ହୋଇଥାନ୍ତି ସ୍ଥାନୀୟ ଲୋକ। ବିଶେଷ କରି ମାଓବାଦୀଙ୍କ ଦମନର ଶିକାର ଲୋକ ଓ ମାଓବାଦୀଙ୍କ ଦ୍ୱାରା ହତ୍ୟା ହୋଇଥିବା ଲୋକଙ୍କ ପରିଜନ ଏଥିରେ ସାମିଲ ହୋଇଥାନ୍ତି। କାହିଁକି ନାଁ ଏମାନଙ୍କ ପାଖରେ ମାଓବାଦୀଙ୍କ ବିରୋଧରେ ଲଢ଼ିବାକୁ ଦୃଢ଼ ମନୋବଳ ଥାଏ। ମାଓବାଦୀଙ୍କ ପରି ଏମାନେ ବି ସ୍ଥାନୀୟ ଭାଷା ଗୋଣ୍ଡି ଓ ମରାଠୀ ଭଲ ଭାବେ କହିଥାନ୍ତି।

ରକ୍ତରେ ହୋଲି ଖେଳୁଥିବା ଜଙ୍ଗଲୀ ରାକ୍ଷସଙ୍କୁ ରକ୍ତରେ ଜବାବ ଦେଇ ଚାଲିଛି ଗଡ଼ଚିରୋଲିରେ ପ୍ରତିଷ୍ଠା ହୋଇଥିବା C-60 ଫୋର୍ସ। ଏମାନଙ୍କ ନାଁ ଶୁଣିଲେ ମାଓ ଶିବିରରେ ଆସିଥାଏ ଭୁମିକମ୍ପ। ଦୋହଲି ଯାଇଥାଏ ମାଓବାଦୀଙ୍କ ମନୋବଳ। ଏମାନେ ଜଙ୍ଗଲରେ ପ୍ରବେଶ କରିବା ମାତ୍ରେ ପ୍ରାଣ ବିକଳରେ ଜୀବନ ବଞ୍ଚାଇବାକୁ ମାଓବାଦୀମାନେ ଖୋଜିଥାନ୍ତି ନୂଆ ରାସ୍ତା।