• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାଳ ହେଲା କି ସ୍ୱାମୀସ୍ତ୍ରୀ କଳି ? ବିଜେଡି ପାଇଁ ଅଲୋଡ଼ା ହେଲେ କି ଅନୁଭବ ମହାନ୍ତି ? ବାଜିରେ ଲାଗିଲା କେନ୍ଦ୍ରାପଡ଼ା ସାଂସଦଙ୍କ ରାଜନୈତିକ କ୍ୟାରିୟର । ଅନୁଭବଙ୍କୁ ଛାଡ଼ି ବର୍ଷାଙ୍କ ଉପରେ ଛାମୁଙ୍କ ଭରସା । ଦଳୀୟ କାର୍ଯ୍ୟକ୍ରମରେ ସିନେମା ଡାଇଲଗ ମାରି ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରୁଥିବା କେନ୍ଦ୍ରାପଡ଼ା ସାଂସଦଙ୍କ ବେଳକାଳ ଭଲ ନାହିଁ ପରି ଲାଗୁଛି । ଆଗ ପରି ତାଙ୍କ ଦବଦବା ଆଉ ନାହିଁ । ତେଙ୍କୁ କୌଣସି କାର୍ଯ୍ୟକ୍ରମକୁ ଡକାଯାଉ ନାହିଁ । ପାରିବାରିକ ବିବାଦ କାରଣ ପାଇଁ ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଉଥିବା କୁହାଯାଉଛି ।

ବର୍ତ୍ତମାନ ବର୍ଷାଙ୍କୁ ନେବା ପାଇଁ ବିଜେଡି ତତ୍ପର ହେଉଛନ୍ତି । ଏହି ପ୍ରଶ୍ନର ଉତ୍ତର ଏଇୟା ହୋଇପାରେ, ବିଜେଡିକୁ ଅଧିକ ଫାଇଦା ମିଳିବ । ବର୍ଷାଙ୍କ ଭଳି ଆଗଧାଡିର ଜଣେ ଅଭିନେତ୍ରୀ ବିଜେଡିକୁ ପ୍ରଚାରରେ ସାହାଯ୍ୟ କରିପାରିବେ । ବିଜେଡି ମହିଳା ସଶକ୍ତିକରଣ ଉପରେ ଜୋର୍ ଦେଉଛି ବୋଲି ଯେଉଁ ଆଭିମୁଖ୍ୟ ଲୋକଙ୍କ ସାମନାରେ ରଖୁଛି, ତାହା ପ୍ରଚାର କରିବାରେ ବିଜେଡିକୁ ଅଧିକ ସହଜ ହେବ । ଦଳରେ ମହିଳାଙ୍କୁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ଆଧାରରେ କିଛି ନୂଆ ମୁହଁ ଖୋଜୁଛି ବିଜେଡି । ଏଭଳି କିଛି ନୂଆ ମୁହଁକୁ ଆଗକୁ ଆଣିଲେ, ନାରୀ ନିର୍ଯାତନା ଓ ଦୁଷ୍କର୍ମ ଘଟଣାକୁ ନେଇ ବିରୋଧୀ ଦଳ କରୁଥିବା ଆକ୍ରମଣରୁ ବିଜେଡି କିଛିଟା ରକ୍ଷା ପାଇପାରିବ ବୋଲି କେହି କେହି ଭାବୁଛନ୍ତି ।

ବର୍ଷା ଗ୍ଲାମର ଦୁନିଆରୁ ଆସିଥିବାରୁ ଓ ତାଙ୍କର ଅନେକ ଫ୍ୟାନ ଥିବାରୁ ଏହା ଦଳକୁ ସହାୟକ ହୋଇପାରେ । ବର୍ଷା ଓ ଅନୁଭବ ମଧ୍ୟରେ ଚାଲିଥିବା କଳିରେ ଲୋକମାନେ ଅନୁଭବଙ୍କୁ ଭଲ ନଜରରେ ଦେଖୁନାହାନ୍ତି । କିନ୍ତୁ ବର୍ଷାଙ୍କ ପ୍ରତି ଲୋକଙ୍କର ଅନୁକମ୍ପା ରହିଛି । ବର୍ଷା ଆସିଲେ ମଳିନ ହୋଇ ଆସୁଥିବା ଦଳର ଛବିରେ କିଛିଟା ସୁଧାର ଆସିପାରେ । ବର୍ଷା ଲୋକଙ୍କ ସହ ସହଜରେ ମିଶି ପାରୁଥିବାରୁ ବିଜେଡିର ନଜର ତାଙ୍କ ଉପରେ ରହିଥାଇପାରେ ବୋଲି ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ବର୍ଷା ବହୁ ସାମାଜିକ ସଂଗଠନ ସହ ଜଡିତ ହୋଇ ରହିଛନ୍ତି ।ବର୍ଷା କଟକ ସହରର ଝିଅ ଓ ବୋହୂ ବି । ତାଙ୍କୁ ଦଳ କଟକ କିମ୍ୱା ଉପକୂଳ ଜିଲ୍ଲାରୁ ଯେ କୌଣସି ଆସନରୁ ଟିକେଟ ଦେଇପାରେ ।

ବର୍ଷାଙ୍କର ରାଜନୀତିକୁ ଆସିବାର ସମ୍ଭାବନା ସୃଷ୍ଟି ହୋଇଛି, କେବଳ ତାଙ୍କ ସାଂସଦ ତଥା ଅଭିନେତା ସ୍ୱାମୀ ଅନୁଭବଙ୍କ ପାଇଁ । କାହିଁକି ନା, ଦିନେ ବିଜେଡିର ଷ୍ଟାର ପ୍ରଚାରକ ହୋଇ ସାରା ରାଜ୍ୟରେ ନିର୍ବାଚନ ପ୍ରଚାର କରୁଥିଲେ ଅନୁଭବ । ଏଥର କିନ୍ତୁ ପଞ୍ଚାୟତ ନିର୍ବାଚନରେ ତାଙ୍କର ଦେଖାଦର୍ଶନ ନାହିଁ । ଯେଉଁ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରୁ ସାଂସଦ ହୋଇ ସେ ଲୋକସଭା ଯାଇଛନ୍ତି, ସେଠାରେ ମଧ୍ୟ ତାଙ୍କୁ ଦେଖିବାକୁ ପାଉନାହାନ୍ତି ଲୋକ । ଅନୁଭବ ଏବେ କେବଳ ଅଲୋଡା ନୁହନ୍ତି, ବିଜେଡି ପାଇଁ ବୋଝ ପାଲଟିଯାଇଛନ୍ତି । ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ସେ ଛାଡପତ୍ର ମାମଲା ରୁଜୁ କରିଛନ୍ତି । ବର୍ଷା ମଧ୍ୟ ଅନୁଭବଙ୍କ ବିରୋଧରେ ନିର୍ଯ୍ୟାତନା ମାମଲା ରୁଜୁ କରିଛନ୍ତି । ଏହା ସାଧାରଣରେ ଅନୁଭବଙ୍କ ଭାବମୂର୍ତ୍ତୀ କ୍ଷୁର୍ଣ୍ଣ କରିଛି । ନିଜର ଶିକ୍ଷାଗତ ଯୋଗ୍ୟତା ଓ ଯୁକ୍ତ ଦୁଇ ପାସ୍ ନେଇ ଅନୁଭବଙ୍କ ପାଖରେ କୌଣସି ଉତ୍ତର ହିଁ ନାହିଁ । ବିଜେଡି ବି ଏହି ଘଟଣାରେ ଚୁପ୍ ରହିବାକୁ ବାଧ୍ୟ ହୋଇଛି । କେବଳ ସେତିକି ନୁହେଁ ବିଜେଡିର ଭାବମୂର୍ତ୍ତୀରେ ମଧ୍ୟ ଆଞ୍ଚ ଆସିଛି ।

ଏବେ ଅନୁଭବ ବିଜେଡି ପାଇଁ ଆଫ ଆସେଟ୍ ନୁହଁ ଲାଏବିଲିଟି ହୋଇଯାଇଛନ୍ତି । ରାଜନୈତିକ ସମୀକ୍ଷକଙ୍କ ମତରେ ସେହି କାରଣରୁ ଅନୁଭବଙ୍କୁ ବିଜେଡି ନିର୍ବାଚନ ପ୍ରଚାର ଓ ଦଳୀୟ କାର୍ଯ୍ୟକ୍ରମ ଠାରୁ ଦୂରେଇ ରଖିଛି । ଏପରିକି ତାଙ୍କ ନିଜ ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡାରେ ତାଙ୍କର ଫଟୋ କି ପୋଷ୍ଟର ପ୍ରାୟ ଦେଖିବାକୁ ମିଳୁନାହିଁ । ତାଙ୍କ ରାଜନୈତିକ କ୍ୟାରିୟରର ‘ଦ ଏଣ୍ଡ୍’ ହେବାକୁ ଯାଉଛି ବୋଲି କେନ୍ଦ୍ରାପଡାର ସାଧାରଣ ଲୋକମାନେ ମତ ଦେଉଛନ୍ତି । ଦଳୀୟ କାର୍ଯ୍ୟକ୍ରମରେ ସିନେମା ଡାଇଲଗ ମାରି ସେ ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରୁଥିଲେ ।

ଦଳ ଅନୁଭବ କଲାଣି ଅନୁଭବଙ୍କ ଡାଏଲଗ୍ ଆଉ କାମ କରିବ ନାହିଁ । ତାଙ୍କୁ କୌଣସି କାର୍ଯ୍ୟକ୍ରମକୁ ଡକାଯାଉ ନାହିଁ କି ଦଳୀୟ କର୍ମୀ ବି ପଚାରୁ ନାହାନ୍ତି । ପାରିବାରିକ କଳହ କାରଣ ପାଇଁ ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଥିବା କୁହାଯାଉଛି । ଅନୁଭବଙ୍କ ବାପା ଅଭୟ ମହାନ୍ତି ସରକାରୀ ଚାକିରିରେ ଫେକ୍ ସାର୍ଟିଫିକେଟ ଦେଇ ପ୍ରମୋଶନ ପାଇଥିଲେ । ଏ ଜାଲିଆତି ଘଟଣା ଲୋକଙ୍କ ମନରୁ ଲିଭିନି ।

ବିଜେଡି ଅନୁଭବଙ୍କୁ ଦୂରେଇ ରଖୁଥିବାବେଳେ ତାଙ୍କ ପତ୍ନୀ ବର୍ଷା ବିଜେଡିର ନିକଟତର ହେଉଛନ୍ତି । ବର୍ଷା ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ବିଜେଡି ବର୍ଷାଙ୍କୁ ଦଳର ନିର୍ବାଚନ ପ୍ରଚାରରେ ସାମିଲ କରାଇ ଅନୁଭବଙ୍କ କଳାଦାଗ ଛଡାଇବାକୁ ଚେଷ୍ଟା କରୁଥିବା ମଧ୍ୟ କେହି କେହି ମତ ଦେଉଛନ୍ତି । ଅନୁଭବଙ୍କୁ ଛାଡି ବର୍ଷାଙ୍କ ଉପରେ ଛାମୁ ଭରସା କରିଥିବା ଚର୍ଚ୍ଚା ହେଉଛି । ସାଧାରଣ ଲୋକମାନେ ହିଁ ଏଇ କଥା କହୁଛନ୍ତି । ପଞ୍ଚାୟତ ନିର୍ବାଚନରେ ବିଜେଡି ପକ୍ଷରୁ ଅରିନ୍ଦମ ପରି ଅନେକ ଅଭିନେତା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ହେଲେ ଅଭିନେତାରୁ ନେତା ପାଲଟିଥିବା ସାଂସଦ ଅନୁଭବଙ୍କ ଉପରେ ଦଳର ଭରସା ନାହିଁ । ଏ

ପରିକି ଅନୁଭବଙ୍କ ଧର୍ମପତ୍ନୀ ବର୍ଷା ମଧ୍ୟ ପ୍ରଚାର ମଇଦାନରେ ଜଲୱା ଦେଖାଉଛନ୍ତି । ପଂଚାୟତ ନିର୍ବାଚନରେ ଭଦ୍ରକ ଯାଇ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଛନ୍ତି ବର୍ଷା। ଭଦ୍ରକ ବ୍ଳକ୍‌ର ବ୍ରହ୍ମପୁର ପଞ୍ଚାୟତରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଏଇ ଅଭିନେତ୍ରୀ । କାରରେ ବୁଲି ବୁଲି ବିଜୁ ଜନତା ଦଳ ସପକ୍ଷରେ ଭୋଟ ମାଗିଛନ୍ତି ବର୍ଷା। କେବଳ ଏତିକି ନୁହେଁ ଲୋକଙ୍କ ସହ ଭଲ ଭାବେ ମିଶିଛନ୍ତି ଓ ଛୋଟ ପିଲାଙ୍କୁ ଗେଲ ବି କରିଛନ୍ତି ।

ବର୍ଷାଙ୍କୁ ବିଜେଡିରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ତାଙ୍କୁ ଉପକୂଳ ଜିଲ୍ଲାରେ କୌଣସି ଏକ ଆସନରୁ ବିଜେଡି ବିଧାନସଭା ଟିକେଟ ଦେଇପାରେ ବୋଲି ଆଲୋଚନା ହେଉଛି । ଏପଟେ ସ୍ୱାମୀ ଅନୁଭବ ଦଳରେ ଏକ ପ୍ରକାର କୋଣଠେସା ହୋଇ ଯାଇଛନ୍ତି କହିଲେ ଚଳେ । ଅନୁଭବଙ୍କ ଭୂମିକା ଏବେ କେବଳ ଦିଲ୍ଲୀ ଗସ୍ତ ଭିତରେ ସୀମିତ ରହିଛି । ନାଁ କୌଣସି ନିର୍ବାଚନୀ ସଭାରେ ତାଙ୍କର ଦେଖା ମିଳୁଛି, ନା ବିଜେଡି ପ୍ରାର୍ଥୀ ପାଇଁ ସେ ଭୋଟ୍ ମାଗୁଛନ୍ତି । ଦଳର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଆଉ ଆଗଭଳି ତାଙ୍କୁ ଆଉ ଡକାଯାଉ ନାହିଁ । ପୂର୍ବରୁ ମଧ୍ୟ ସେ ଜିଲ୍ଲାରେ ହେଉଥିବା ଦଳୀୟ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳୁଥିଲା ।

ପାରିବାରିକ ବିବାଦ କାରଣରୁ ହିଁ ତାଙ୍କୁ ଦଳରେ କୋଣଠେସାର ଶିକାର ହେବାକୁ ପଡ଼ିଛି ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋରଧରିଛି । ଏପରି ସ୍ଥିତିରେ ଅନୁଭବ ମହାନ୍ତିଙ୍କର ରାଜନୈତିକ କ୍ୟାରିୟର ପ୍ରଭାବିତ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏ ସଂପର୍କରେ ଅନୁଭବ ଓ ବର୍ଷାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଅନ୍ୟପଟେ ସ୍ୱାମୀସ୍ତ୍ରୀ କଳି ମଧ୍ୟରେ ବର୍ଷା ଅଧିକ ପ୍ରତିକ୍ରିୟାଶୀଳ ହେଉନାହାନ୍ତି । ଖୁସିରେ ଅଛନ୍ତି ବୋଲି ଜଣାଇବାକୁ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ନିଜର ଫଟୋ ଛାଡ଼ୁଛନ୍ତି ।