• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସଫେଦ୍ ବରଫରେ ତିଆରି ସୁନ୍ଦର ତାଜମହଲ । ଅବିକଳ ନହେଲେ ବି ବିଶ୍ୱ ପ୍ରସିଦ୍ଧ ଐତିହ୍ୟର ଛାପ ଏଥିରେ ବେଶ୍ ସ୍ପଷ୍ଟ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଯଥେଷ୍ଟ ଏହାର ସୌନ୍ଦର୍ଯ୍ୟ । ବିଶ୍ୱର ଅନ୍ୟତମ ଆଶ୍ଚର୍ଯ୍ୟ ଶଙ୍ଖମଲମଲ ପଥରରେ ତିଆରି ଶାହଜାହାନଙ୍କ ନିର୍ମିତ ତାଜମହଲ ଆଗ୍ରାରେ ଥିବା ବେଳେ, ବରଫ ତିଆରି ତାଜମହଲ ଦେଖିବାକୁ ମିଳୁଛି ଭାରତର ଭୂସ୍ୱର୍ଗ କାଶ୍ମୀରେ । ବାରମୁଳା ଜିଲ୍ଲା ଗୁଲମାର୍ଗରେ ତିଆରି ହୋଇଛି ଏଇ କଳାକୃତି ।

ବରଫ ଚାଦରରେ ଢାଙ୍କି ହୋଇ ରହୁଥିବା ଗୁଲମାର୍ଗକୁ ପ୍ରତିବର୍ଷ ଶୀତଦିନେ ଛୁଟିଆସନ୍ତି ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ । ବରଫରେ ସାଇକେଲ୍ ଚଳାନ୍ତି, ସ୍କି କରନ୍ତି । ହେଲେ ସେମାନଙ୍କୁ କିଛି ନୂଆ ଭେଟି ଦେବାକୁ ଓ ଟିକିଏ ଆଶ୍ଚର୍ଯ୍ୟ ଚକିତ କରିବାକୁ ହାତ ଛଡ଼ା କରନ୍ତିନାହିଁ । ଏଠାରେ ଥିବା ହୋଟେଲ୍ ଗୁଡ଼ିକ ବି ସେହିଭଳି ଏକ ଘରୋଇ ହୋଟେଲ୍ ପକ୍ଷରୁ ନିର୍ମିତ ହୋଇଛି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ।

୨୪ ଫୁଟ୍ ଲମ୍ବ, ୨୪ ଫୁଟ୍ ଓସାର ଓ ୧୬ ଫୁଟ୍ ଉଚ୍ଚ ବିଶିଷ୍ଟ ତିଆରି ହୋଇଛି ବରଫର ତାଜ୍ । କୌଣସି ଅଭିଜ୍ଞ ଶିଳ୍ପୀ କି କାରିଗର ନୁହେଁ, ଏଇ ହୋଟେଲର କର୍ମଚାରୀମାନେ ମିଳିମିଶି ତିଆରି କରିଛନ୍ତି । ଏହି ତାଜମହଲରେ କେତେ ବରଫ ଲାଗିଛି ତାହା ତ କହିବା ମୁସ୍କିଲ । ହେଲେ ଗୋଟିଏ କଥା କୁହାଯାଇପାରେ ଯେ, ଏହାକୁ ତିଆରି କରିବାକୁ ଏହି କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କୁ କିଛି କମ୍ ପରିଶ୍ରମ କରିବାକୁ ପଡ଼ିନି । ୧୭ ଦିନରେ ପ୍ରାୟ ୧୦୦ ଘଣ୍ଟା ଲାଗିଛି ଏହି ତାଜମହଲ ତିଆରି କରିବାକୁ । ଆଉ ଯେତେବେଳେ ଏହାର ନିର୍ମାଣ ସରିଲା, ସେଲ୍ଫି ନେବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼ ରୋକିବା ମୁସ୍କିଲ ହୋଇଗଲା ।

ଗତବର୍ଷ ଗୁଲମାର୍ଗରେ ଦେଖିବାକୁ ମିଳିଥିଲା ଇଗ୍ଲୁ କାଫେ । ବରଫ ଘର, ବରଫ କାନ୍ଥ, ବରଫ ଟେବୁଲ ଚେୟାର୍, ତାସାଙ୍ଗକୁ ବରଫରେ ସାଜସଜ୍ଜା । ସାଢ଼େ ୧୨ ଫୁଟ୍ ଉଚ୍ଚ, ୨୨ ଫୁଟ୍ ଗୋଲେଇରେ ତାହା ତିଆରି ହୋଇଥିଲା । ଘର ବାହାରେ ବରଫ, ଭିତରେ ବି ବରଫ । ଭାରତର ପ୍ରଥମ ତଥା ଏସିଆର ବୃହତ୍ତମ ଏହି ଇଗଲୁ ଭିତରେ ବସି ଚା କଫି ଆଦି ପିଇବାର ମଜା ନେଇଥିଲେ ପର୍ଯ୍ୟଟକ । ଆଉ ଏବର୍ଷ ଗୁଲମାର୍ଗରେ ଦେଖିବାକୁ ମିଳିଛି ବରଫର ତାଜମହଲ ।