• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ହାତୀ ମୃତ୍ୟୁ ରୋକିବାକୁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ ଦାବି

  • ଗତ ୧୦ ବର୍ଷରେ ରାଜ୍ୟରେ ୭୭୦ ହାତୀଙ୍କ ମୃତ୍ୟୁ ସୂଚନା

ଜଷ୍ଟିସ୍ ଫର୍ ଗଜରାଜ । ଗଜରାଜଙ୍କୁ ନ୍ୟାୟ । ଏଭଳି ଦାବିରେ ଭୁବନନେଶ୍ୱରରେ ଥିବା ବନ୍ୟପ୍ରାଣୀ ପିସିସିଏଫଙ୍କ କାର୍ଯ୍ୟାଳୟ ଘେରିଛନ୍ତି ପଶୁପ୍ରେମୀ ଓ ବନ୍ୟପ୍ରାଣୀ ବିଶେଷଜ୍ଞ । ଜଙ୍ଗଲରେ ହାତୀ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିଛି । ନରସିଂହପୁର ଜଙ୍ଗଲରେ ହାତୀ କଙ୍କାଳ ଉଦ୍ଧାର ଘଟଣାର ଧୀମା ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ପଶୁପ୍ରେମୀ । ଏଥିସହ ରାଜ୍ୟରେ ଅନ୍ୟ ସ୍ଥାନରେ ହାତୀ ମୃତ୍ୟୁର ତଦନ୍ତ ଦାବି ମଧ୍ୟ ଉଠାଇଛନ୍ତି । ବନ ବିଭାଗ ଓ ମାଫିଆଙ୍କ ମିଲି ଭଗତରେ ଚାଲିଛି ଏସବୁ କାରବାର । ଏଭଳି ଅଭିଯୋଗ ଉଠାଇବା ସହ ରାଜ୍ୟରେ ଘଟୁଥିବା ହାତୀ ମୃତ୍ୟୁ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରୁ ବନ ବିଭାଗ ବୋଲି ଦାବି ଉଠିଛି । ଏମିତିକି ଦାୟୀ ବନ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ନିଆଯାଉ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ । ହାତୀ ମୃତ୍ୟୁରୋକିବାକୁ ଦକ୍ଷ ଅଧିକାରୀଙ୍କ ନେତୃତ୍ୱରେ ଟାସ୍କଫୋର୍ସ ଗଠନ ହେଉ ବୋଲି ଦାବି କରାଯାଇଛି ।

ଓ୍ବାଇଲ୍ଡ ଲାଇଫ୍ ସୋସାଇଟି ଅଫ୍ ଓଡ଼ିଶା ତଥ୍ୟ ଅନୁଯାୟୀ, ଗତ ୧୦ ବର୍ଷରେ ରାଜ୍ୟରେ ୭୭୦ ହାତୀଙ୍କ ମୃତ୍ୟୁ ହୋଇଛି । ଟ୍ରେନ୍ ଦୁର୍ଘଟଣା, ବିଦ୍ୟୁତ୍ ‌ଆଘାତ ଯୋଗୁ ଅକାରଣରେ ଚାଲିଯାଉଛି ବହୁ ହାତୀଙ୍କ ଜୀବନ । ଯଦି ଏବେଠୁ ହାତୀ ମୃତ୍ୟୁରେ ବ୍ରେକ୍ ନ ଲାଗିବ, ଆଗାମୀ ଦିନରେ ହାତୀ ବଂଶ ଲୋପ ପାଇଯିବ ବୋଲି ଆଶଙ୍କା କଲେଣି ବିଶେଷଜ୍ଞ । ଏପଟେ ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ନରସିଂହପୁର ଜଙ୍ଗଲରୁ ହାତୀ କଙ୍କାଳ ଉଦ୍ଧାର ଘଟଣାରେ କିଛି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଆଠଗଡ଼ ଡିଏଫ୍ଓ ।

ରାଜ୍ୟରେ ପୂର୍ବ ତୁଳନାରେ ହାତୀ ଶିକାର କମିଛି । ହେଲେ ଚିନ୍ତା ବଢ଼ାଇଛି ବିଦ୍ୟୁତ୍ ‌ଆଘାତ ଓ ଟ୍ରେନ୍ ଦୁର୍ଘଟଣାଜନିତ ମୃତ୍ୟୁ । ବିଦ୍ୟୁତ୍ ‌ଆଘାତ ଜନିତ ହାତୀ ମୃତ୍ୟୁ ରୋକିବାକୁ ବିତରଣ କମ୍ପାନିଙ୍କ ସହ ମିଶି ବିଜୁଳି ତାରର କେବଲିଂ ପାଇଁ ପଦକ୍ଷେପ ନିଆଯାଉଛି । ସେହିଭଳି ଟ୍ରେନ୍ ଦୁର୍ଘଟଣାଜନିତ ମୃତ୍ୟୁ ରୋକିବାକୁ ଏସ୍ଏମ୍ଏସ୍ ବ୍ୟବସ୍ଥା ହୋଇଛି । ଫଳରେ ଟ୍ରେନ୍ ଲାଇନର ୫ କିଲୋମିଟର ପରିଧି ଭିତରକୁ ହାତୀ ପଶିଲେ, ବନ କର୍ମଚାରୀ ଓ ଅଧିକାରୀଙ୍କ ପାଖକୁ ମେସେଜ ଯିବ ଓ ସେମାନେ ଏନେଇ ତୁରନ୍ତ ପଦକ୍ଷେପ ନେବେ ।

ଏସବୁ ଭିତରେ ବନ ବିଭାଗର ନିଦ ହଜାଇଛି ହାତୀ-ମଣିଷ ଲଢ଼େଇ । ୨୦୧୪ ଏପ୍ରିଲରୁ ୨୦୨୨ ଜାନୁଆରୀ ମଧ୍ୟରେ ୧ହଜାର ୧୪୫ ଥର ମୁହାଁମୁହିଁ ହୋଇଛନ୍ତି ମଣିଷ ଓ ହାତୀ । ଏଗୁଡ଼ିକରେ ୭୩୦ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି, ଆହତ ହୋଇଛନ୍ତି ୬୫୭ ଜଣ । ସେହିଭଳି ଏହି ସମୟ ମଧ୍ୟରେ ୬୧୧ ହାତୀଙ୍କର ମୃତ୍ୟୁ ହୋଇଛି । ୯୦ଟି ହାତୀ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ବେଳେ ଶିକାର ଓ ବିଷକ୍ରିୟା ଯୋଗୁ ୭୭, ଟ୍ରେନ୍ ଓ ସଡ଼କ ଦୁର୍ଘଟଣାରେ ୨୪ ହାତୀର ଜୀବନ ଯାଇଛି ।

ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ