• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୨୦୨୧ ଶେଷ ହେବାକୁ ଆଉ ମାତ୍ର କେଇଟା ଦିନ ବାକି । ଆସିବ ନୂତନ ବର୍ଷ ୨୦୨୨ । ନୂଆବର୍ଷ ଆରମ୍ଭରୁ ଲାଗୁ ହେବ ନୂଆ ନିୟମ । ଏଥି ପାଇଁ ୨୦୨୧ ସରିବା ପୂର୍ବରୁ ସାରି ଦିଅନ୍ତୁ ସବୁ କାମ । ନଚେତ୍ ଆପଣ ହଇରାଣରେ ପଡିପାରନ୍ତି । ଡିସେମ୍ବର ୩୧ ତାରିଖ ସୁଦ୍ଧା ବିଭିନ୍ନ ଆର୍ଥିକ କାରବାର ସଂପର୍କିତ କାମ ଶେଷ କରିବାକୁ ସରକାର ଡେଡଲାଇନ ଦେଇଛନ୍ତି । ତେଣୁ ବର୍ଷ ସରିବା ପୂର୍ବରୁ କାମ ଶେଷ କରିବା ଆବଶ୍ୟକ ।  

ଆୟକର ରିଟର୍ଣ୍ଣ ଦାଖଲ

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଚଳିତ ମାସ ୩୧ ତାରିଖକୁ ରଖାଯାଇଛି । ପୂର୍ବରୁ ଏହି ତାରିଖକୁ ସରକାର ଦୁଇଥର ‌ଘୁଞ୍ଚାଇଛନ୍ତି । ପ୍ରଥମେ ଜୁଲାଇ ୩୧ରୁ ସେପ୍ଟେମ୍ବର ୩୦କୁ ଏବଂ ପରେ ସେପ୍ଟେମ୍ବର ୩୦ରୁ ଡିସେମ୍ବର ୩୧କୁ ଶେଷ ତାରିଖ ବଢ଼ାଯାଇଛି । ଆୟକର ପୋର୍ଟାଲରେ ଅସୁବିଧା ଯୋଗୁ ତାରିଖ ବୃଦ୍ଧି କରାଯାଇଛି । ଆୟକର ରିଟର୍ଣ୍ଣ ତାରିଖ ବୃଦ୍ଧି ପାଇଁ ବର୍ତ୍ତମାନ ବିଭିନ୍ନ ମହଲରୁ ଦାବି ହେଉଥିଲେ ମଧ୍ୟ ଲୋକମାନେ ଏଥିପାଇଁ ଅପେକ୍ଷା ନକରି ଧାର୍ଯ୍ୟ ତାରିଖ ପୂର୍ବରୁ ସେମାନଙ୍କ କାମ ‌ସାରିଦେବା ଆବଶ୍ୟକ ।

ଜୀବନ ପ୍ରମାଣପତ୍ର ଦାଖଲ

ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କ ପାଇଁ ପ୍ରତିବର୍ଷ ଜୀବନ ପ୍ରମାଣପତ୍ର ଦାଖଲ କରିବାର ବ୍ୟବସ୍ଥା ରହିଛି । ପ୍ରତିବର୍ଷ ନଭେମ୍ବର ୩୦ ସୁଦ୍ଧା ଉକ୍ତ ପ୍ରମାଣପତ୍ର ଦାଖଲ କରିବାର ନିୟମ ରହିଥାଏ । କିନ୍ତୁ ଚଳିତବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ଉକ୍ତ ପ୍ରମାଣପତ୍ର ଦାଖଲ କରିବା ଲାଗି ସମୟ ବଢ଼ାଯାଇଛି । ପେନସନ ପାଇବାରେ ଅସୁବିଧା ନହେବା ପାଇଁ ଉକ୍ତ ପ୍ରମାଣପତ୍ର ଦାଖଲର ଆବଶ୍ୟକତା ରହିଛି ।

ଡିମାଟ୍‌ ଆକାଉଣ୍ଟରେ କେୱାଇସି ସୂଚନା

ଡିମାଟ୍ ଏବଂ ଟ୍ରେଡିଂ ଆକାଉଣ୍ଟରେ କେୱାଇସି ସୂଚନାକୁ ଯୋଡ଼ିବା ଲାଗି ସେବି ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସୁଯୋଗ ଦେଇଛି । ପୂର୍ବରୁ ସେପ୍ଟେମ୍ବର ୩୦ ସୁଦ୍ଧା ଏହା କରିବାକୁ କୁହାଯାଇଥିଲା । କିନ୍ତୁ ପରେ ସେବି ଏହାକୁ ଡିସେମ୍ବର ୩୧ ଯାଏ ବଢ଼ାଇଛି ।

ନୂଆ ବର୍ଷ ଆରମ୍ଭରୁ ପକେଟ ଉପରେ ପ୍ରଭାବ ପଡିବା ଆଶଙ୍କା ରହିଛି । କରୋନା କଟକଣା ହଟିବା ପରେ ଅର୍ଥନୀତି ଧୀରେ ଧୀରେ ସୁଧୁରୁଛି ।

ସବୁ ଜିନିଷ ମହଙ୍ଗା ହେଉଥିବା ବେଳେ ଏ ସବୁ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ କରିଦେବା ଭଲ । ଏହା ନକଲେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।