• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶରେ ଆରମ୍ଭ ହେଲା ପ୍ରଥମ ଘରୋଇ ଟ୍ରେନ୍ ସେବା । ତାମିଲନାଡୁର କୋଏମ୍ବାଟୁରରୁ ମହାରାଷ୍ଟ୍ରର ସିରିଡିକୁ ଏହି ଟ୍ରେନ୍ ଗଡିଛି । ପ୍ରଥମ ଘରୋଇ ଟ୍ରେନ୍ ହୋଇଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏଥିପାଇଁ ୧୧ଶହ ଯାତ୍ରୀ ଟିକେଟ ବୁକିଂ କରିଥିଲେ । ଯାତ୍ରୀଙ୍କୁ ସେବା ଯୋଗାଇବା ପାଇଁ ଟେଣ୍ଡର ନେଇଥିବା ସାଉଥ୍ ଷ୍ଟାର ରେଲ ପକ୍ଷରୁ ଷ୍ଟେସନ ପରିସରରେ ଭବ୍ୟ ଆୟୋଜନ କରାଯାଇଥିଲା ।

ସୁନ୍ଦର ସାଜସଜ୍ଜା, ରଙ୍ଗାରଙ୍ଗ୍ ପରିବେଶ, ଆଉ ତାସହ ନାଚଗୀତ ଭିତରେ ତାମିଲନାଡ଼ୁ କୋଏମ୍ବାଟୁରରୁ ମହାରାଷ୍ଟ୍ର ସିରିଡ଼ିକୁ ଗଡ଼ିଛି ଦେଶର ପ୍ରଥମ ଘରୋଇ ଟ୍ରେନ୍ । ଖାସ୍ ଘଟଣା ପାଇଁ ଖାସ୍ ଆୟୋଜନ ହୋଇଥିଲା । ସାଉଥ୍ ଷ୍ଟାର୍ ରେଲ୍ ପକ୍ଷରୁ ଗଡ଼ିଥିବା ଏହି ଟ୍ରେନର ଯାତ୍ରୀଙ୍କୁ ପାରମ୍ପରିକ ତାମିଲ ସଂଗୀତ ସହିତ ବାଘନାଚ ଆଦି ଭିତରେ କରାଯାଇଥିଲା ଭବ୍ୟ ସ୍ୱାଗତ । ଭାରତ ଗୌରବ ଯୋଜନାରେ ସେମାନଙ୍କୁ ମିଳିଛି ସ୍ୱତନ୍ତ୍ର ପ୍ୟାକେଜ୍, ଯେଉଁଥିରେ ଟ୍ରେନ୍ ଭଡ଼ା ସହିତ ସାମିଲ ଅଛି । ହୋଟେଲ ରହଣୀ, ବିଭିନ୍ନ ସ୍ଥାନ ଭ୍ରମଣ ଓ ଐତିହାସିକ ସ୍ଥଳୀ ପରିଦର୍ଶନ ଏବଂ ଟୁର ଗାଇଡ୍ ଇତ୍ୟାଦି । ସେହି ରୁଟରେ ଅନ୍ୟ ଟ୍ରେନ୍ ପାଇଁ ଟିକେଟ ଦର ଯାହା ରହୁଛି, ସ୍ପେଶାଲ୍ ଟ୍ରେନର ଟିକେଟ ଦର ମଧ୍ୟ ସମାନ ରହିବ ବୋଲି କହିଛି ଭାରତୀୟ ରେଲେଓ୍ୱ । ୨୦ଟି କୋଚ୍ ଥିବା ଭାରତ ଗୌରବ ଟ୍ରେନର ସିଟ୍ କ୍ଷମତା ୧୫ଶହ ଥିବା ବେଳେ, ପ୍ରଥମ ଦିନରେ ଟିକେଟ୍ ବୁକ୍ କରିଥିଲେ ୧୧ଶହ ଯାତ୍ରୀ ।

କେବଳ ଏତିକି ନୁହେଁ, ଭାରତ ଗୌରବ ଟ୍ରେନର ଯାତ୍ରୀଙ୍କୁ ସିରିଡ଼ି ସାଇ ମନ୍ଦିରରେ ଦର୍ଶନବେଳେ ମଧ୍ୟ ମିଳିବ ଭିଆଇପି ସୁବିଧା । ଟ୍ରେନରେ ଭକ୍ତି ଗୀତ ସହ ମନ୍ତ୍ର ଉଚ୍ଚାରଣ ଶୁଣିବାକୁ ମିଳିବ । ଏଥିସହ ଉନ୍ନତ ସେବା ଯୋଗାଇବା ପାଇଁ ୨୪ ଘଣ୍ଟା ସଫେଇ କର୍ମଚାରୀ ଉପସ୍ଥିତ ରହିବେ । କୋଏମ୍ବାଟୁରରୁ ଆରମ୍ଭ ହୋଇଥିବା ପ୍ରଥମ ଭାରତ ଗୌରବ ଟ୍ରେନ୍ ଯାତ୍ରୀଙ୍କ ପାଇଁ ସାଉଥ୍ ଷ୍ଟାର ରେଲ୍ ପକ୍ଷରୁ ୫ଦିନିଆ ପ୍ୟାକେଜ୍ ରଖାଯାଇଛି । ଏହି ସେବା ଯୋଗାଇବା ପାଇଁ ଏକ କୋଟି ଟଙ୍କା ଅମାନତ ଜମା ରଖିଛି ସାଉଥ୍ ଷ୍ଟାର ରେଲ୍ ।

ଗତବର୍ଷ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଗୌରବ ଯୋଜନା ଶୁଭାରମ୍ଭ କରିଥିଲେ । ଏଥିରେ ଭାରତର ବିଭିନ୍ନ ଐତିହ୍ୟକୁ ଲୋକଲୋଚନକୁ ଆଣିବା ସହ ଐତିହାସିକ ସ୍ଥାନ ଗୁଡିକର କିପରି ଆଦୃତ ହୋଇପାରିବ, ସେ ନେଇ ଯୋଜନା ହୋଇଥିଲା । ଦେଶବିଦେଶର ଯାତ୍ରୀମାନଙ୍କୁ ଉନ୍ନତମାନର ସେବା ସହ ବିଭିନ୍ନ ଦର୍ଶନୀୟ କ୍ଷେତ୍ର ଭ୍ରମଣ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।