• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବଜାରରେ ଖୁବ୍‌ ଶୀଘ୍ର ଉପଲବ୍ଧ ହୋଇପାରେ ଡିଜିଟାଲ୍‌ ମୁଦ୍ରା । ଡିଜିଟାଲ ମୁଦ୍ରା ଆରମ୍ଭ କରିବା ଦିଗରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ୨୦୨୩ ସୁଦ୍ଧା ଡିଜିଟାଲ ମୁଦ୍ରା ପ୍ରଚଳନ କରିବାକୁ ଭାରତ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏନେଇ FICCI (Federation of Indian Chambers of Commerce & Industry)ଏକ କାର୍ଯ୍ୟକ୍ରମରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଉଭୟ ସରକାର ଏବଂ ରିଜର୍ଭ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରାର ବିଭିନ୍ନ ବ୍ୟବସାୟିକ ବ୍ୟବହାରର ସମ୍ଭାବନାକୁ ଅନୁସନ୍ଧାନ କରିବାରେ ଲାଗିପଡିଛନ୍ତି ।

ଏହାସହ ଅର୍ଥମନ୍ତ୍ରୀ କହିଛନ୍ତି ଯେ, କେବଳ ଡିଜିଟାଲ୍ ମୁଦ୍ରା ସହିତ ଆର୍ଥିକ ଉନ୍ନତିର ଲକ୍ଷ୍ୟ ପୂରଣ କରିବା ନୁହେଁ, ବରଂ ବିଭିନ୍ନ ବ୍ୟବସାୟିକ ଲକ୍ଷ୍ୟ ହାସଲ କରିବା ମଧ୍ୟ ସରକାରଙ୍କ ଉଦ୍ଦେଶ୍ୟ । ସେ କହିଛନ୍ତି ଜନ ଧନ-ଆଧାର-ମୋବାଇଲ୍ ଯୋଜନାରେ ମାଧ୍ୟମରେ ମଧ୍ୟ ସରକାର ଆର୍ଥିକ ଉନ୍ନତିର ଲକ୍ଷ୍ୟ ହାସଲ କରୁଛନ୍ତି ।

ନ୍ୟୁଜ୍ ପ୍ରୋଟାଲ୍‌ ମନି କଣ୍ଟ୍ରୋଲ ଡଟ୍ କମ୍‌ର ଏକ ରିପୋର୍ଟ ଅନୁଯାୟୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସରକାର ସମସ୍ତ ଶିଳ୍ପରେ ଡିଜିଟାଲ୍ କାରବାରକୁ ପ୍ରୋତ୍ସାହିତ କରୁଛନ୍ତି। ସମସ୍ତ କ୍ଷେତ୍ରର ଦ୍ରୁତ ଏବଂ ନିରନ୍ତର ଡିଜିଟାଇଜେସନ୍ କରିବା ସରକାର ଗୁରୁତ୍ୱ ଦେଉଛନ୍ତି । ସେଥିପାଇଁ ସରକାର ବଜେଟରେ ଡିଜିଟାଲ ମୁଦ୍ରା, ଡିଜିଟାଲ ବ୍ୟାଙ୍କ ଏବଂ ଡିଜିଟାଲ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ଘୋଷଣା କରିଥିଲେ । ଡିଜିଟାଲ୍ ମୁଦ୍ରା ଏକ ସୁଲଭ ଏବଂ ଦକ୍ଷ ମୁଦ୍ରା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ । ସେଥିପାଇଁ ଡିଜିଟାଲ୍ ମୁଦ୍ରା ପ୍ରଚଳନ, ବ୍ଲକ୍ ଚେନ୍ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବାକୁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ସେ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ବିକଶିତ ହୋଇଥିବା ରୁପି ବ୍ଲକ୍ ଚେନ୍ ସମସ୍ତ କାରବାର ଉପରେ ନଜର ରଖିବ। ସମ୍ପ୍ରତି, ଘରୋଇ କମ୍ପାନୀଗୁଡିକ ଦ୍ୱାରା ପରିଚାଳିତ ମୋବାଇଲ୍ ୱାଲେଟ୍ ସିଷ୍ଟମରେ ସମସ୍ତ କାରବାରକୁ ଟ୍ରାକ କରାଯାଇପାରିବ ନାହିଁ |

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବଜେଟରେ ଅର୍ଥମନ୍ତ୍ରୀ ଭାରତର ନିଜର ଡିଜିଟାଲ୍ ମୁଦ୍ରା ଲଞ୍ଚ କରିବାକୁ ଘୋଷଣା କରିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଡିଜିଟାଲ ମୁଦ୍ରା ଆଣିବାର ଦାୟିତ୍ୱ ଦିଆଯାଇଛି । ଏହାସହ ଭାରତ ଏପର୍ଯ୍ୟନ୍ତ କ୍ରିପ୍ଟୋକରେନ୍ସିକୁ ସ୍ୱୀକୃତି ଦେଇ ନାହିଁ । ଚଳିତ ବର୍ଷର ବଜେଟରେ ଅର୍ଥମନ୍ତ୍ରୀ କ୍ରିପ୍ଟୋରୁ ଆୟ ଉପରେ ୩୦ ପ୍ରତିଶତ ଟିକସ ଏବଂ ଏକ ପ୍ରତିଶତ ଟିଡିଏସ୍ ଲାଗୁ କରିବାକୁ ଘୋଷଣା କରିଛନ୍ତି। କ୍ରିପ୍ଟୋ ନିୟାମକ ବିଷୟରେ ଭାରତ କହିଛି ଯେ କ୍ରିପ୍ଟୋକରେନ୍ସି ବିଷୟରେ ଶୀଘ୍ର ନିଷ୍ପତ୍ତି ନେବ ନାହିଁ । ତେବେ କ୍ରିପ୍ଟୋକରେନ୍ସିକୁ ନେଇ ଥିବା ଆଶଙ୍କାମାନଙ୍କର ସମାଧାନ ହେବା ପରେ ହିଁ ଭାରତ ଏହାର ନିୟମାବଳୀ ବିଷୟରେ ନିଷ୍ପତ୍ତି ନେବ ।