• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନେ ଯେଉଁ ବ୍ୟାଙ୍କ୍‌ରେ ସେ ସୁଇପର ଭାବେ କାମ କରୁଥିଲେ ଆଜି ସେହି ବ୍ୟାଙ୍କ୍‌ରେ ଆସିଷ୍ଟାଣ୍ଟ ମ୍ୟାନେଜର । ପ୍ରତୀକ୍ଷା ଟୋଣ୍ଡୱାକର ଏବେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଭାବେ କାମ କରୁଛନ୍ତି । ଆଉ ସେହିଠାରେ ହିଁ ସେ ଦିନେ ଝାଡ଼ୁଦାର ଭାବେ କାମ କରୁଥିଲେ ।

ପ୍ରତୀକ୍ଷା ମାତ୍ର ୧୭ ବର୍ଷ ବୟସରେ ବିବାହ କରିଥିଲେ । ଆଉ ୨୦ ବର୍ଷ ବୟସରେ ସେ ବିଧବା ହୋଇଯାଇଥିଲେ । ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ଦଶମ ଶ୍ରେଣୀ ପରୀକ୍ଷା ଶେଷ ହେବ ପୂର୍ବରୁ ଶଦାଶିବ କାଡୁ ନାମକ ବ୍ୟକ୍ତିଙ୍କୁ ବିବାହ କରିନେଇଥିଲେ । ଶଦାଶିବ ମୁମ୍ବାଇର ଏସ୍‌ବିଆଇ ହେଡ୍‌କ୍ୱାର୍ଟରରେ ଜଣେ ବୁକ୍‌ ବାଇଣ୍ଡର ଭାବେ କାମ କରୁଥିଲେ । 

ବିବାହର ବର୍ଷକ ପରେ ତାଙ୍କର ପ୍ରଥମ ସନ୍ତାନ ବିନାୟକ ଜନ୍ମ ନେବା ପରେ ସେ ନିଷ୍ପତ୍ତି ନେଲେ ଗାଁକୁ ଫେରିବେ । ଆଉ ସେଠାରେ ଭଗବାନଙ୍କୁ ଧନ୍ୟବାଦ ଜଣାଇବେ । ସେତେବେଳେ ସେ ଜାଣିନଥିଲେ ଯେ, ଖୁବ୍‌ଶୀଘ୍ର ତାଙ୍କ ଜୀବନରେ ଆସିବ ଏକ ବଡ଼ ଝଡ଼ । ଆଉ ବଦଳାଦେବ ପୁରା ଦୃଶ୍ୟପଟ । ଜୀବନ ପଡ଼ିଯିବ ଦୋଛକିରେ । ଏମିତି କିଛି ଘଟିବ ବୋଲି ସେ ତାଙ୍କ ଜୀବନରେ କେବେ ଭାବିନଥିଲେ । ସ୍ୱାମୀ କାଡୁଙ୍କ ସହ ଗାଁକୁ ଫେରୁଥିବା ବେଳେ ଏକ ଦୁର୍ଘଟଣା ଘଟିଥିଲା । ସେଥିରେ କାଡୁଙ୍କ ଜୀବନ ଚାଲିଗଲା । 

ପରିବାରର ସେତିକି ସମ୍ବଳ ନଥିଲା ଯେ, ସେ ପାଠ ପଢ଼ି ନିଜ ହାଇସ୍କୁଲ ଶେଷ କରିପାରିବେ । ଏଥିପାଇଁ ସେ ଏସ୍‌ବିଆଇରେ ସୁଇପର ଭାବେ କାମ କରିବା ଆରମ୍ଭ କଲେ । ଆଉ ସେଥିରୁ ଯାହା ରୋଜଗାର ହୁଏ ସେଥିରେ ନିଜର ପରିବାରର ଭରଣପୋଷଣ କରିବା ସହ ନିଜ ପାଠ ପଢ଼ା କଥା ମଧ୍ୟ ବୁଝୁଥିଲେ ପ୍ରତୀକ୍ଷା ।

ବ୍ୟାଙ୍କରେ ସେ ରେଷ୍ଟରୁମ୍‌ ସଫା କରିବା ସହ ଆସବାବ ପତ୍ର ଆଦି ସଫା କରୁଥିଲେ । ଏମିତିକି ପୁରା ବ୍ୟାଙ୍କ ଝାଡ଼ୁ ମାରିବାର ଦାୟିତ୍ୱ ମଧ୍ୟ ତୁଲାଉଥିଲେ । ଏହି କାମ ସେ ସକାଳ ସମୟରେ କରୁଥିଲେ । ଏଥିପାଇଁ ତାଙ୍କୁ ମାସକୁ ୬୦-୬୫ ଟଙ୍କା ମିଳୁଥିଲା । ତେବେ ବ୍ୟାଙ୍କ କାମ ସରିବା ପରେ ଯେଉଁ ବଳକା ସମୟ ମିଳୁଥିଲା, ସେଥିରେ ସେ ଅନ୍ୟ ଛୋଟ ମୋଟ କାମ ମଧ୍ୟ କରୁଥିଲେ ଏବଂ କିଛି ଟା ଅଧିକ ରୋଜଗାର କରୁଥିଲେ । ଯେଉଁଥିରେ ତାଙ୍କ ପରିବାର ପ୍ରତିପୋଷଣକୁ ସହଯୋଗ ମିଳୁଥିଲା । ଏହାସହ ଏହି ସମୟ ମଧ୍ୟରେ ନିଜ ପୁଅ ବିନାୟକ ପାଇଁ ମଧ୍ୟ ସେ ସମୟ ଦେଉଥିଲେ ।

ତେବେ ଏହାରି ଭିତରେ ସେ ନିଜର ପାଠ ପଢ଼ାକୁ ମଧ୍ୟ ଅଧିକ୍ ଗୁରୁତ୍ୱ ଦେଉଥିଲେ । ବ୍ୟାଙ୍କ କାର୍ଯ୍ୟରେ ତାଙ୍କର ନିଷ୍ଠାପରତା ଓ ନିଖୁଣତା ଦେଖି ତାଙ୍କୁ ସୁଇପରରୁ କିରାଣୀ ପୋଷ୍ଟକୁ ପ୍ରମୋସନ୍‌ ମିଳିଥିଲା । ଏହାପରେ ଏହି ପ୍ରକ୍ରିୟା ଆଉ ଥମିବାର ନାଁ ଧରିଲାନି । ଧିରେ ଧିରେ ପ୍ରତୀକ୍ଷା ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିବାକୁ ଲାଗିଲେ । କ୍ଲର୍କ ପରେ ସେ ଫୋର୍ଥ ସ୍କେଲକୁ ଉନ୍ନିତ ହେଲେ । ଏହାପରେ CGM ଏବଂ ପରେ AGM । ତେବେ ପ୍ରତୀକ୍ଷାଙ୍କ ଏହି ଯାତ୍ରା କେବଳ ତାଙ୍କ ନିଷ୍ଠାପରତା ଓ ସଚ୍ଚୋଟତା ପାଇଁ ସଫଳ ହୋଇଛି ।

 

ପ୍ରତୀକ୍ଷାଙ୍କ ପାଠ ପଢ଼ା ସମୟରେ ତାଙ୍କ ବ୍ୟାଙ୍କର ସହକର୍ମୀମାନେ ଆର୍ଥିକ ସହଯୋଗ କରିଥିଲେ । ୧୯୯୫ରେ ସେ ସାଇକୋଲୋଜିରେ ନିଜର ଗ୍ରାଜୁଏସନ୍‌ ଶେଷ କରିଥିଲେ । ୧୯୯୩ରେ ପ୍ରତୀକ୍ଷା ଦ୍ୱିତୀୟ ଥର ପାଇଁ ବିବାହ କରିଥିଲେ । ତାଙ୍କ ବ୍ୟାଙ୍କର ମେସେଞ୍ଜରକୁ ହିଁ ସେ ବିବାହ କରିଥିଲେ । ପ୍ରତୀକ୍ଷାଙ୍କୁ ଦ୍ୱିତୀୟ ସ୍ୱାମୀ ପ୍ରମୋଦ ଟୋଣ୍ଡୱାକର ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏମିତିକି ବିଭିନ୍ନ ସମୟରେ ବ୍ୟାଙ୍କିଂ ପରୀକ୍ଷା ଦେବାକୁ ପ୍ରବର୍ତ୍ତାଇଥିଲେ । ଆଉ ମାତ୍ର ଦୁଇ ବର୍ଷ ପରେ ପ୍ରତୀକ୍ଷା ନିଜ ଚାକିରିରୁ ଅବସର ନେବେ ।