• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରବିବାର ଏକ ସ୍ୱତନ୍ତ୍ର ଅପରେସନରେ ଅଲ କାଏଦାର ମୁଖ୍ୟ ଅୟମାନ୍ ଅଲ୍ ଜଓ୍ୱାହିରିର ମୃତ୍ୟୁ ହୋଇଛି । ଏଥିଲାଗି ଆମେରିକା ସେନା ପକ୍ଷରୁ ସ୍ୱତନ୍ତ୍ର ଭାବେ ନିର୍ମିତ ହେଲିଫାୟାର ମିଶାଇଲ୍ ବ୍ୟବହାର କରାଯାଇଥିଲା । ଏହାକୁ ମାରାତ୍ମକ ଏମ୍‌କ୍ୟୁ-୯ ଡ୍ରୋନ୍‌ରୁ ଛଡ଼ାଯାଇଥିଲା । ଡ୍ରୋନ୍‌ରେ R9X ନିଞ୍ଜା ହେଲିଫାୟାର ମିଶାଇଲ୍ ଖଞ୍ଜାଯାଇ ମାଡ଼ କରାଯାଇଥିଲା ।

ଏବେ ସୁଦ୍ଧା ଏହି ମିଶାଇଲକୁ ଦୁନିଆର ସବୁଠାରୁ ଅତ୍ୟାଧୁନିକ ମିଶାଇଲ୍ ବୋଲି କୁହାଯାଉଛି । ଯାହାକି ଆଖି ପିଛୁଳାକେ ଶତ୍ରୁକୁ ମାରିବାରେ ସକ୍ଷମ ହେଉଛି । ଏହାର ବିଶେଷତ୍ୱ ହେଲା କି ଏଥିରେ ଆଦୌ ବିସ୍ଫୋରକ ବା ବାରୁଦ ନଥାଏ । ଏଥିରେ ଲାଗିଥିବା ୬ଟି ଧାରୁଆ ବ୍ଲେଡ୍ ଶତ୍ରୁକୁ କାଟି ଖଣ୍ଡ ଖଣ୍ଡ କରି ଦେଇଥାଏ । ଆଉ ଜଓ୍ୱାହିରିକୁ ଏହି ମିଶାଇଲର ବ୍ଲେଡ୍ ହିଁ କାଟିକି ମାରିଦେଇଛି ।

ମିଶାଇଲ୍‌ଟି ଲେଜର ଭଳି କାମ କରିଥାଏ । ଯେଉଁଠିକୁ ଟାର୍ଗେଟ କରାଯାଇଥାଏ ସେହିଠାରେ ହିଁ କ୍ଷତି ଘଟାଇଥାଏ । ଅର୍ଥାତ ଯାହାକୁ ଟାର୍ଗେଟ କରାଯାଏ, ସେ ବଞ୍ଚିବା ମୁସ୍କିଲ ହୋଇଯାଏ । ଏହାର ଲକ୍ଷ୍ୟ ଏତେ ତୀକ୍ଷ୍ନ ଯେ, ଏହା କେବଳ ଟାର୍ଗେଟ ଉପରେ ହିଁ ଆକ୍ରମଣ କରିଥାଏ । ଆଖପାଖରେ କେହି ଥିଲେ ବି କାହାର କିଛି କ୍ଷତି ହୋଇନଥାଏ । ଏହାକୁ ୨୦୧୧ରେ ତତ୍କାଳୀନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ନିର୍ଦ୍ଦେଶରେ ବିକଶିତ କରାଯାଇଥିଲା । ପୂର୍ବରୁ ୨୦୧୭ରେ ଅଲ୍ କାଏଦାର ନେତା ଅବୁ ଅଲ୍ ଖୈର ଅଲ୍ ମସରିକୁ ମାରିବା ଲାଗି ଏହାକୁ ବ୍ୟବହାର କରାଯାଇଥିଲା ।

ଆମେରିକାର ଡ୍ରୋନ୍ ଆକ୍ରମଣରେ ପ୍ରାଣ ହରାଇଥିବା ଅଲ୍ କାଏଦା ମୁଖ୍ୟ ଅୟମାନ ଅଲ ଜଓ୍ୱାହିରି ୨୦୦୧ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ । ଏଭଳି ଏକ ବିରାଟ ଆକ୍ରମଣ ଲାଗି ୧୯୯୮ରୁ ଏହି ଯୋଜନା ଆରମ୍ଭ କରିଥିଲା ଅଲ୍ କାଏଦା । ଏଥିଲାଗି ଓସାମା ବିନ୍ ଲାଦେନ୍ ୧୯୯୮ରେ ଫତଓ୍ୱା ଆଣିଥିଲେ । ଆଉ ସେହି ଫତଓ୍ୱାରେ ଦସ୍ତଖତ କରିଥିବା ୫ ଜଣ ମୁଖ୍ୟଙ୍କ ମଧ୍ୟରୁ ଜଓ୍ୱାହିରି ଥିଲା ଅନ୍ୟତମ ।

ତେବେ ଏହି ଆକ୍ରମଣ ହେବା ପରେ ଓସାମା ବିନ୍ ଲାଦେନ ଭଳି ସେ ମଧ୍ୟ ଫେରାର ହୋଇଯାଇଥିଲା । ଏପରିକି ତାର ମୃତ୍ୟୁ ହୋଇସାରିଛି ବୋଲି ବାରମ୍ବାର ଖବର ଆସୁଥିଲେ ବି ସମସ୍ତଙ୍କୁ ଚକମା ଦେଇ ପଳାୟନ କରିବାରେ ସକ୍ଷମ ହୋଇଥିଲା । ୨୦୧୧ରେ ଆମେରିକା ନୌସେନା ଦ୍ୱାରା ଲାଦେନର ମୃତ୍ୟୁ ପରେ ଜଓ୍ୱାହିରି ହୋଇଥିଲା ଅଲ କାଏଦାର ମୁଖ୍ୟ । ଲାଦେନ ଭଳି ଜଓ୍ୱାହିରି, ସଂଗଠନରେ ନିଜର ଦବଦବା ରଖି ପାରିନଥିଲେ କି ସଂଗଠନକୁ ମଜଭୁତ କରିବାରେ ସକ୍ଷମ ହୋଇନଥିଲେ ।

ଜାୱାହିରର ମୃତ୍ୟୁ ନିହାତି ଭାବେ ଆମେରିକାକୁ ଆଉ ଏକ ବଡ ସଫଳତା ବୋଲି ଭାରତୀୟ ପ୍ରତିିରକ୍ଷା ବିଶେଷଜ୍ଞ କୋମାର ଆଘା କହିଛନ୍ତି । ଅନ୍ୟପଟେ ନୂଆ ଅଲକାଏଦାର ଚିଫ୍‌ ନିଯୁକ୍ତି ପରେ ଦକ୍ଷିଣ ଏସିଆରେ ପୁଣି ଥରେ ଅଲକାଏଦା କବଜା କରିବାକୁ ଚେଷ୍ଟା କରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି । ପାକିସ୍ତାନ ବିଶ୍ୱରେ ଆତଙ୍କବାଦ କାୟା ବିସ୍ତାର କରି ଚାଲିଛି । ପାକିସ୍ତାନକୁ ଆତଙ୍କବାଦ ରାଷ୍ଟ୍ର ଓ ପାକିସ୍ତାନୀ ସେନାଙ୍କୁ ଆତଙ୍କବାଦୀ ଘୋଷଣା କରାଯିବାର ଆବଶ୍ୟକତା ରହିଛି ବୋଲି ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି ।

ଆମେରିକା ତା ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି, ଅଲଜୱାହିରକୁ ହତ୍ୟା କରି ପୂରଣ କରିଥିବା ନେଇ କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ଅନିଲ ଗୌର । ଏଥିରେ ଆମେରିକା ତାର ସାହସ, ଜ୍ଞାନକୌଶଳ ଓ ଦକ୍ଷତାକୁ ପ୍ରକାଶ କରିଛି । ତେଣୁ ଭାରତକୁ ଆମେରିକାଠାରୁ ଶତ୍ରୁକୁ ମାରିବାର କୌଶଳ ଶିଖିବାର ଅଛି । ତେବେ ଯାଇ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ଅନିଲ ଗୌର କହିଛନ୍ତି ।