• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଞ୍ଚା ବାଇଗଣ ଚୋବାଇଲେ ସାଂସଦ । ଲୋକସଭା ଭିତରେ କଞ୍ଚା ବାଇଗଣ ଚୋବାଇ ଖାଇଲେ ତୃଣମୂଳ କଂଗ୍ରେସ ସାଂସଦ କାକୋଳି ଘୋଷ । ଗତକାଲି ସଂସଦରେ ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ଚାଲୁଥିବା ବେଳେ ଟିଏମ୍‌ସି ସାଂସଦ କାକୋଳି ରନ୍ଧନ ଗ୍ୟାସ ସିଲିଣ୍ଡର ଦରବୃଦ୍ଧି କଥା ଉଠାଇଥିଲେ । ଏହାସହ ଗୋଟିଏ କଞ୍ଚା ବାଇଗଣ ଚୋବାଇ ଖାଇବା ସହ କହିଥିଲେ, ‘ସରକାର କଣ ଚାହୁଁଛନ୍ତି ଯେ, ଆମେ ରୋଷେଇ ନ କରି ପନିପରିବା କଞ୍ଚା ଖାଉ’ । ମାସକ ଭିତରେ ୪ ଥର ଗ୍ୟାସ ଦର ବୃଦ୍ଧିକୁ ନେଇ ସଂସଦରେ ସେ ତୀବ୍ର ସମାଲୋଚନା କରିଥିଲେ ।

ଦରବୃଦ୍ଧି, ମୁଦ୍ରାସ୍ଫୀତି ଉପରେ ଆଲୋଚନା ବେଳେ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ‘ଯେଉଁମାନେ ଉଜ୍ଜଳା ଯୋଜନାରେ ସିଲିଣ୍ଡର ପାଇଥିଲେ, ଏବେ ଗ୍ୟାସ ଭର୍ତ୍ତି କରିବା ଲାଗି ତାଙ୍କ ପାଖରେ ଟଙ୍କା ନାହିଁ । ଗୃହରେ ଥିବା ଜଣେ ମନ୍ତ୍ରୀ, ଯିଏକି ବିଜେପି ବିରୋଧୀ ଦଳରେ ଥିବାବେଳେ ରାସ୍ତାରେ ସିଲିଣ୍ଡର ଧରି ବସି ବିକ୍ଷୋଭ କରୁଥିଲେ, ସେ ଆଜି ଏହାର ଉତ୍ତର ଦେବେ କି’ ବୋଲି କାକୋଳି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଟାର୍ଗେଟ କରି କହିଥିଲେ ।

ସେପଟେ ଆଉ ଜଣେ ଟିଏମ୍‌ସି ସାଂସଦଙ୍କୁ ଏବେ ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ କରାଯାଉଛି । ମୌସୁମୀ ଅଧିବେଶନର ଆରମ୍ଭରୁ ସଂସଦରେ ହଙ୍ଗାମା ଜାରି ରହିଛି । ଦରଦାରମ୍‌ ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ହୋହଲ୍ଲା କରୁଛନ୍ତି । ଏପରିକି ଘଣ୍ଟା ଘଣ୍ଟା ଧରି ସଂସଦ ବାହାରେ ଧାରଣା ମଧ୍ୟ ଦେଉଛନ୍ତି । ଏହାରି ଭିତରେ ଆଜି ଲୋକସଭାରେ ଦରଦାମ୍‌ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ଟଏମ୍‌ସି ସାଂସଦ ମହୁଆ ମୋଇତ୍ରାଙ୍କ ଏକ ରୋଚକ ଭିଡିଓ ସାମ୍ନାକୁ ଆସିଛି । ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତ୍ରୁଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ବିଭିନ୍ନ ସମୟରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରୁହନ୍ତି । ତେବେ ଏଥର କିନ୍ତୁ ସେ ନିଜ ବୟାନ ପାଇଁ ନୁହେଁ ନିଜ ଭ୍ୟାନିଟି ବ୍ୟାଗ୍‌ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସୋମବାର ଲୋକସଭାରେ ଆଲୋଚନା ଚାଲିଥିବା ବେଳେ ଟିଏମ୍‌ସି ସାଂସଦ କାକୋଳି ଘୋଷ୍‌ ଦରଦାମ୍‌ ବୃଦ୍ଧି ପ୍ରସଙ୍ଗରେ କହିବା ପାଇଁ ଠିଆ ହେଉଛନ୍ତି । ଏତିକି ବେଳେ ତାଙ୍କ ପାଖରେ ବସିଥିବା ମହୁଆ ମୋଇତ୍ରା ହଠାତ୍‌ ତରବରିଆ ଭାବେ ନିଜ ଦାମୀ ଭ୍ୟାନିଟି ବ୍ୟାଗ୍‌ ତଳେ ରଖି ଦେଉଛନ୍ତି । ଲୁଇ ବ୍ୟୁଟନ୍‌ ବ୍ରାଣ୍ଡର ଏହି ବ୍ୟାଗ୍‌ର ଦାମ୍‌ ୧.୫ ଲକ୍ଷ ଟଙ୍କା ହେବ ବୋଳି କୁହାଯାଉଛି । ଏହି ପୂରା ଘଟଣା କ୍ୟାମେରାରେ କଏଦ୍‌ ହୋଇଛି । ମହୁଆଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ସହ ତାଙ୍କୁ ଜୋରଦାର ଟ୍ରୋଲ ମଧ୍ୟ କରାଯାଉଛି ।