• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

UPSC ପରୀକ୍ଷା ପାଇଁ ପିଲାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ । ଘଣ୍ଟା ଘଣ୍ଟା ଧରି ଏକାଗ୍ରତା ସହ ପାଠ ପଢ଼ିବାକୁ ପଡ଼େ । ଦିନରାତି, ମେଳା, ମହୋତ୍ସବ ଆଦି ଭୁଲି ପିଲାଏ UPSC ପାଇଁ ପ୍ରସ୍ତୁତି କରନ୍ତି । ସବୁ କିଛି ଭୁଲି ପାଠ ଉପରେ ଧ୍ୟାନ ଦେଲେ ସଫଳତା ମିଳେ । ତେବେ ଉତ୍ତରପ୍ରଦେଶରେ ଏପରି ଏକ ପରିବାର ଅଛି, ଯେଉଁଠି ଚାରି ଭାଇ ଭଉଣୀ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆଉ ଆଜି ତିନି ଜଣ IAS ଭାବରେ କାମ କରୁଥିବା ବେଳେ ଜଣେ IPS ପଦରେ କାର୍ଯ୍ୟ କରୁଛନ୍ତି ।

ଉତ୍ତରପ୍ରଦେଶର ଲାଲଗଞ୍ଜର ଦୁଇ ଭାଇ, ଦୁଇ ଭଉଣୀ ଯୋଗେଶ, ଲୋକେଶ ଓ କ୍ଷମା, ମାଧୁରୀ  । ବାପା ଅନୀଲ ପ୍ରକାଶ ମିଶ୍ର ଗ୍ରାମୀଣ ବ୍ୟାଙ୍କର ମ୍ୟାନେଜର । ଛୋଟବେଳୁ ସେ ପିଲାଙ୍କ ପାଠପଢ଼ା ଉପରେ ଖୁବ୍‌ ଧ୍ୟାନ ଦେଉଥିଲେ । ପିଲାଙ୍କ ସହ ବାପାମା’ ମଧ୍ୟ ଦିନରାତି ପରିଶ୍ରମ କରୁଥିଲେ ।

ଚାରି ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ଼ ଯୋଗେଶ ଜଣେ ଆଇଏଏସ୍ ଅଧିକାରୀ । ସେ ଲାଲଗଞ୍ଜରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ମୋତିଲାଲ୍ ନେହେରୁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଇଞ୍ଜିନିୟରିଂ କରିଥିଲେ । ପାଠପଢ଼ା ପରେ ସେ ନୋଏଡାରେ ଚାକିରି କରିଥିଲେ । ତେବେ ଚାକିରି ସହିତ ସେ ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତି ଜାରି ରଖିଥିଲେ । ୨୦୧୩ ରେ ସେ UPSC ପରୀକ୍ଷା କ୍ଲିୟର୍‌ କରି IAS ଅଧିକାରୀ ହୋଇଥିଲେ ।

ସେହିପରି ଯୋଗେଶ ମିଶ୍ରଙ୍କ ପରେ ଭଉଣୀ କ୍ଷମା ମିଶ୍ର ମଧ୍ୟ ପାଠପଢ଼ା ପରେ ସିଭିଲ ସର୍ଭିସେସ୍ ପାଇଁ ପ୍ରସ୍ତୁତ ହେଉଥିଲେ । ପ୍ରଥମ ତିନୋଟି ପ୍ରୟାସରେ ଅସଫଳ ହେଲେ ମଧ୍ୟ ହାରମାନି ନଥିଲେ । ଚତୁର୍ଥ ପ୍ରୟାସରେ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ବର୍ତ୍ତମାନ ସେ ଜଣେ ଆଇପିଏସ୍ ଅଧିକାରୀ ।

ତୃତୀୟ ଭଉଣୀ ମାଧୁରୀ ମିଶ୍ର ଲାଲଗଞ୍ଜର ଏକ କଲେଜରୁ ସ୍ନାତକ ହାସଲ କରିବା ପରେ ଆହ୍ଲାବାଦକୁ ଯାଇ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ଏହା ପରେ ସେ ୨୦୧୪ରେ ସଫଳତାର ସହ UPSC ପରୀକ୍ଷା କ୍ଲିୟର କରି ବର୍ତ୍ତମାନ ସେ ଝାଡଖଣ୍ଡ କ୍ୟାଡରର IAS ଅଧିକାରୀ ।

ଲୋକେଶ ମିଶ୍ର, ଚାରି ଭାଇଭଉଣୀଙ୍କ ମଧ୍ୟରୁ ସବୁଠାରୁ ସାନ । ୨୦୧୫ରେ UPSC ପରୀକ୍ଷାରେ ୪୪ ତମ ସ୍ଥାନ ହାସଲ କରିଥିଲେ । ବର୍ତ୍ତମାନ ସେ ଜଣେ ଆଇଏଏସ୍ ଅଧିକାରୀ ।

ଚାରି ପୁଅ ଝିଅଙ୍କ ସଫଳତା ଦେଖି ବାପାମା’ ଖୁସି । ବାପା ଅନୀଲ ମିଶ୍ର କହିଛନ୍ତି, ଆଉ ଭଗବାନଙ୍କ ପାଖରେ କିଛି ଅଳି ନାହିଁ । ସବୁ କିଛି ଭଗବାନ ଢ଼ାଳି ଦେଇଛନ୍ତି । ଚାରି ପୁଅ, ଝିଅ ପାଇଁ ଆଜି ମୁଁ ଗର୍ବିତ ।

 

OTV is now on Whatsapp

Join and get latest news update delivered to you via whatsapp

Join Now