ଲୋଭ ହେଲା କାଳ । ରାତାରାତି କୋଟିପତି ହେବାର ନିଶା ଲୋକଙ୍କୁ ସର୍ବସ୍ୱାନ୍ତ କରିଦେଇଛି । ସମ୍ବଲପୁର ଜିଲ୍ଲାରେ ଅଧିକ ସୁଧ ଲୋଭରେ ଠକେଇର ଶିକାର ହୋଇଛନ୍ତି ଶତାଧିକ ଲୋକେ । କେବଳ ସମ୍ବଲପୁର ନୁହେଁ ଅନ୍ୟ ଜିଲ୍ଲା ସହ ରାଜ୍ୟ ଏବଂ ରାଜ୍ୟ ବାହାରର ଲୋକ ବି ସମାନ ଦଶା ଭୋଗିଛନ୍ତି । ଠକେଇର ଶୀକାର ହୋଇଥିବା ଜମାକାରୀଙ୍କ ପ୍ରତିକ୍ରିୟା ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ସେ ଶିକ୍ଷିତ ଓ ସଚେତନ, କିନ୍ତୁ ଅଧିକ ସୁଧ ଲୋଭରେ ନିଜ ଜମାପୁଞ୍ଜି ଲଗାଇବା ସହ ଧାର ଉଧାର କରି ଠକ ସଂସ୍ଥାକୁ ୧୮ ଲକ୍ଷ ଟଙ୍କା ଟେକି ଦେଇଛନ୍ତି ।
କେବଳ ଏତିକି ନୁହେଁ ନିଜ ଚିହ୍ନା ପରିଚିତ ଲୋକ ମାନଙ୍କୁ ବି ସେଇ ଚକ୍ରବ୍ୟୁହ ରେ ପକାଇଛନ୍ତି । ତେବେ କେବଳ ପ୍ରକାଶ ନୁହନ୍ତି ତାଙ୍କ ଭଳି ଅନେକ ନିବେଶକାରୀ ଏବେ ସର୍ବସ୍ବାନ୍ତ । ସମ୍ବଲପୁର ଧନୁପାଲି ଥାନାରେ ହୋଇଥିବା ଅଭିଯୋଗ ମୁତାବକ, MCX ନାମକ ଏକ ଅର୍ଥ ଲଗାଣକାରୀ ସଂସ୍ଥା ଉଚ୍ଚ ସୁଧ ହାର ଲୋଭ ଦେଖାଇ ସେମାନଙ୍କ ଠାରୁ ଟଙ୍କା ଜମା ନେଇଥିଲା ।
Also Read
ଗତ କିଛିବର୍ଷ ଯାଏ ମୋଟା ସୁଧ ଦେଇ ଆସୁଥିଲା ସଂପୃକ୍ତ ସଂସ୍ଥା । କିନ୍ତୁ ହଠାତ ଗତ ୨୦୨୪ ମାର୍ଚ୍ଚରୁ ସୁଧ ଦେବା ବନ୍ଦ କରିଦେଲା ସଂପୃକ୍ତ ସଂସ୍ଥା । ୧୦ ଲକ୍ଷରେ ମାସିକ ୫ ପ୍ରତିଶତ, ୨୦ ଲକ୍ଷରେ ୭ ପ୍ରତିଶତ ଓ କୋଟିଏରେ ୮ ପ୍ରତିଶତ ହାରରେ ସୁଧ ମିଳୁଥିଲା । ସଂସ୍ଥାର ସନ୍ତୋଷ ଆଚାର୍ଯ୍ୟ ନାମକ ଜଣେ ଏଜେଣ୍ଟ କୁଲୁଥକାନିରେ ରହି ଏହି ସୁଧ କାରବାର ଚଳାଇ ଆସୁଥିଲେ ।
ଅଧିକ ପଢ଼ନ୍ତୁ: ଓଡ଼ିଶାରେ IAS ଓ IPS ଅଧିକାରୀଙ୍କ ମରୁଡ଼ି!
ଏବେ କିନ୍ତୁ ସେ ଆଉ ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି । ଟଙ୍କା ନେବା ବେଳେ ଏକ ବଣ୍ଡ୍ ଦେଇ ଏହି ଠକେଇ କରାଯାଇଥିବା ଅଭିଯୋଗ ହୋଇଛି । ସମ୍ବଲପୁର ଜିଲ୍ଲାର ୫ଶହରୁ ଅଧିକ ଲୋକଙ୍କ ଠାରୁ ଠକେଇ କରିଥିବା ସଂସ୍ଥା ବିରୋଧରେ MCX କ୍ରାଇସିସ୍ କମିଟି ଗଠନ କରି ଧନୁପାଲି ଥାନାରେ ଏତଲା ଦେଇଛନ୍ତି ଲୋକେ ।
ଲୋକଙ୍କ ଅଭିଯୋଗ ନେଇ ଧନୁପାଲି ଥାନାରେ ମାମଲା ରୁଜୁ ହୋଇ ନଥିବା ବେଳେ ପୋଲିସ୍ ନିଜ ନିଜ ଅଞ୍ଚଳର ଥାନା ମାନଙ୍କରେ ନିବେଶକାରୀଙ୍କୁ ଅଭିଯୋଗ କରିବାକୁ ପରାମର୍ଶ ଦେଇଛି । ସିକିମ, ସ୍ବିଜରଲାଣ୍ଡ, ଛତିଶଗଡ, ଇନ୍ଦୋର, ପଶ୍ଚିମବଙ୍ଗରେ ରହୁଥିବା ଓଡ଼ିଆ ଅର୍ଥ ଲଗାଣ କରି ଠକେଇର ଶିକାର ହୋଇଥିବା ଜଣାପଡିଛି ।
ଅପରପକ୍ଷେ ଗତ ଡିସେମ୍ବରରେ ନିବେଶକଙ୍କ ଉଦ୍ଦେଶ୍ୟରେ ଅଭିଯୁକ୍ତ ସନ୍ତୋଷ ଆଚାର୍ଯ୍ୟ ଏକ ଭିଡିଓ ଜାରି କରିଥିଲା । ଯେଉଁଥିରେ ସେ ଧର୍ଯ୍ୟ ଧରିବାକୁ ନିବେଶକ ମାନଙ୍କୁ ଆଶ୍ୱାସନା ଦେଇଛି । ତେବେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଲୋକେ ସାବଧାନ ହେଉନାହାନ୍ତି । ଏଭଳି ମିଥ୍ୟା ପ୍ରଲୋଭନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଆଇନଜୀବୀ । ତେବେ ଏନେଇ MCX ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।