Advertisment

KIIT Student Death: ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବେଗ ପରେ ଏମିତି ଅପିଲ୍ କଲେ କିଟ୍ କର୍ତ୍ତୃପକ୍ଷ

ପାଠ ପଢ଼ିବା ପାଇଁ ବିଦେଶରୁ ଆସିଥିବା ପିଲାଙ୍କୁ ଧମକଚମକ ଏବଂ ସିକ୍ୟୁରିଟି ଗାର୍ଡଙ୍କ ନିସ୍ତୁକ ମାଡ଼ର ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବେଗ ପରେ ଛେପ ଢୋକିଛନ୍ତି କିଟ୍ କର୍ତ୍ତୃପକ୍ଷ । ପିଲାଙ୍କୁ ଜୋର୍ କରି ବିଦା କରିସାରିବା ପରେ ସେମାନଙ୍କୁ ଫେରିବାକୁ ଅପିଲ୍ କରିଛନ୍ତି ।

author-image
Deviprasad Jena
ଅଦ୍ୟତନ ହୋଇଛି
undefined

Disturbance At KIIT Campus

ନେପାଳର ଜଣେ ଛାତ୍ରୀଙ୍କ ମୃତ୍ୟୁକୁ କେନ୍ଦ୍ର କରି ଭୁବନେଶ୍ବର କିଟ୍ କ୍ୟାମ୍ପସରେ ହଙ୍ଗାମା ଦେଖିବାକୁ ମିଳିଛି । ଗତକାଲି ରାତି ତମାମ କିଟ୍ କର୍ତ୍ତୃପକ୍ଷ ଏବଂ ନେପାଳ ଛାତ୍ରଛାତ୍ରୀ ମୁହାଁମୁହିଁ ହୋଇଥିଲେ । ଗୋଟିଏ ପଟେ କିଟ୍ କର୍ମଚାରୀଙ୍କ ଖୋଲା ଧମକ ଓ ସିକ୍ୟୁରିଟି ଗାର୍ଡଙ୍କ ମାଡ଼ ଅଭିଯୋଗ, ଅନ୍ୟପଟେ ବିଦେଶୀ ଛାତ୍ରଛାତ୍ରୀଙ୍କ ହଲ୍ଲାବୋଲ୍ । ଯାହାର ମାଳ ମାଳ ଭିଡ଼ିଓ ଭାଇରାଲ୍ ହେବା ପରେ କ୍ୟାମ୍ପସରେ ଉତ୍ତେଜନା ବଢ଼ିଥିଲା । ଏହାପରେ ସ୍ଥିତିକୁ ସମ୍ଭାଳି ନପାରି କର୍ତ୍ତୃପକ୍ଷ ହଠାତ୍ ସାଇନ୍-ଏ-ଡାଏ ଘୋଷଣା କରିବା ସହ ବସରେ ବସାଇ କଟକ ରେଳ ଷ୍ଟେସନରେ ଛାଡିଦେଇଛନ୍ତି । ଫଳରେ ନାହିଁନଥିବା ଦୁର୍ଦ୍ଦଶା ଭୋଗିଥିବା ଶତାଧିକ ନେପାଳି ଛାତ୍ରଛାତ୍ରୀ କିଟ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Advertisment

ପାଠ ପଢ଼ିବା ପାଇଁ ବିଦେଶରୁ ଆସିଥିବା ପିଲାଙ୍କୁ ଧମକଚମକ ଏବଂ ସିକ୍ୟୁରିଟି ଗାର୍ଡଙ୍କ ନିସ୍ତୁକ ମାଡ଼ର ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଶେଷରେ ୧୨ ଘଣ୍ଟାର ଖଣ୍ଡଯୁଦ୍ଧ ପରେ ସାଇନ୍-ଏ-ଡାଏ କରିଛି କିଟ୍ କର୍ତ୍ତୃପକ୍ଷ । ଆଉ ତା’ପରେ ଅଖିଆ ଅପିଆ ଅବସ୍ଥାରେ ଥିବା ପିଲା ଦୁର୍ଦ୍ଦଶା ଭୋଗିଛନ୍ତି । ରବିବାର ଅପରାହ୍ନ ୪ରୁ ୫ଟା ମଧ୍ୟରେ କିଟ୍ କ୍ୟାମ୍ପସ-୬ କୁଇନ୍ସ ହଷ୍ଟେଲର ରୁମ୍ ନମ୍ବର-୧୮ରେ ବିଟେକ୍ ତୃତୀୟ ବର୍ଷର ଜଣେ ନେପାଳୀ ଛାତ୍ରୀଙ୍କର ମୃତଦେହ ମିଳିଥିଲା । ଏହି ଖବର ପ୍ରକାଶ ପାଇବା ପରେ କ୍ୟାମ୍ପସରେ କିଟ୍ ରେ ପଢ଼ୁଥିବା ନେପାଳର ଶତାଧିକ ଛାତ୍ରଛାତ୍ରୀ ହଷ୍ଟେଲରେ ପହଞ୍ଚିଥିଲେ । ଏହାପରେ ମୃତ୍ୟୁର କାରଣ ସମ୍ପର୍କରେ ପ୍ରଶ୍ନ କରିବା ସହ ମୃତଦେହ ଦେଖାଇବାକୁ ଦାବି କରିଥିଲେ । କିନ୍ତୁ ମୃତଦେହ ନ ଦେଖାଇବାରୁ ସନ୍ଧ୍ୟାରୁ ରାତି ତମାମ ଉପୁଜିଥିଲା ଅସନ୍ତୋଷ ଏବଂ ଉତ୍ତେଜନା ।

ସ୍ଥିତି ବିଗିଡ଼ିବା ପରେ କିଟ୍ ମୁଖ୍ୟ ଅଚ୍ୟୁତ ସାମନ୍ତ ଘଟଣାସ୍ଥଳକୁ ଆସି ତାଗିଦ କରିବାକୁ ପଡ଼ିଥିଲା । ତଥାବି ସ୍ଥିତି ନିୟନ୍ତ୍ରଣକୁ ଆସିନଥିଲା । ଆଉ ବିଦେଶୀ ଛାତ୍ରଛାତ୍ରୀଙ୍କୁ ନାଲି ଆଖି ଦେଖାଇ କିଛି ମହିଳା ଅଧିକାରୀ ଛାତ୍ରୀଙ୍କୁ ତୁରନ୍ତ କ୍ୟାମ୍ପସ୍ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ହାକିମାତି ଦେଖାଇବା ସହ ଉଚ୍ଚ ସ୍ବରରେ 'ସାମାନ୍ ପ୍ୟାକ୍ କରୋ ଯାଓ' ବୋଲି କହିଥିଲେ । କେବଳ କର୍ମଚାରୀ ନୁହନ୍ତି, ସୁରକ୍ଷାକର୍ମୀଙ୍କ ବେଶରେ ଥିବା କିଛି ବ୍ୟକ୍ତି ବି ଯୁବକଙ୍କ ଉପରେ ହାତ ଉଠାଉଥିବା ଦେଖିବାକୁ ମିଳିଛି ।

Advertisment

ଏସବୁ ଭିଡିଓ କେଉଁଠୁ ଭାଇରାଲ୍ ହେଉଛି, ସେନେଇ ସ୍ପଷ୍ଟ ହୋଇନଥିଲେ ବି ସୋସିଆଲ୍ ମିଡ଼ିଆରେ ଭିଡ଼ିଓକୁ ନେଇ ବଢ଼ିଛି ଚର୍ଚ୍ଚା । ମିଳିଥିବା ସୂଚନା ଅନୁଯାୟୀ, ବିଟେକ୍ ତୃତୀୟ ବର୍ଷର ସଂପୃକ୍ତ ଛାତ୍ରୀ ଜଣକ ନିଜର ପୁରୁଷ ବନ୍ଧୁଙ୍କ ନାଁରେ ପୂର୍ବରୁ ଚାରି ଚାରି ଥର ବିଶ୍ବବିଦ୍ୟାଳୟରେ ଥିବା ଇଣ୍ଟରନ୍ୟାସନାଲ୍ ରିଲେସନ୍ ଅଫିସରେ ଅଭିଯୋଗ କରିଥିଲେ । ଅପରପକ୍ଷେ ଛାତ୍ରୀ ଜଣକ ପ୍ରେମ ବ୍ୟାପାରରୁ ଆତ୍ମହତ୍ୟା କରିଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଥିବାବେଳେ ପୋଲିସ ସଂପୃକ୍ତ ପୁରୁଷ ବନ୍ଧୁଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ IAS ଓ IPS ଅଧିକାରୀଙ୍କ ମରୁଡ଼ି!

ସବୁଠାରୁ ବଡ଼ ପ୍ରଶ୍ନ କାହିଁକି ଜୀବନ ହାରିଲେ ସଂପୃକ୍ତ ଛାତ୍ରୀ ? ପୁରୁଷ ବନ୍ଧୁଙ୍କ ସହ କୌଣସି ବିବାଦରୁ ନା ଏହା ପଛରେ ରହିଛି ଅନ୍ୟ କୌଣସି ରହସ୍ୟ? ଛାତ୍ରୀଙ୍କ ମରଶରୀରକୁ କାହିଁକି ଅନ୍ୟ ଛାତ୍ରଛାତ୍ରୀଙ୍କୁ ଦେଖିବାକୁ ଦିଆଗଲାନି ? ଦବଙ୍ଗଗିରିର ଭାଇରାଲ୍ ଭିଡ଼ିଓ ଯଦି ସତ, ତେବେ ପୋଲିସ ବଦଳରେ ଆଇନକୁ ହାତକୁ ନେଇ କେଉଁ ଘଟଣାକୁ ଲୁଚାଇବା ପାଇଁ ଏବଂ କାହାକୁ ସୁରକ୍ଷା ଦେବାକୁ ଚାହୁଁଥିଲେ କର୍ମଚାରୀ ? ସ୍ଥିତିକୁ ସମ୍ଭାଳି ନପାରି ହଠାତ୍ ବିଦେଶୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରୁ ଏଭଳି ତଡ଼ିଦେବା କେତେଦୂର ଠିକ୍? ଏଭଳି ନାନା ପ୍ରଶ୍ନ ଏବଂ ଅଘଟଣକୁ ନେଇ ଅସନ୍ତୋଷ ଝାଡ଼ିବା ସହ କିଟ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଆକ୍ସନ ନେବାକୁ ଦାବି କରିଛି ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ଏବଂ ଏବିଭିପି ।

ସେପଟେ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେହିପରି ନୂଆଦିଲ୍ଲୀରେ ଅବସ୍ଥାପିତ ନେପାଳ ଦୂତାବାସ ବି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଛାତ୍ରୀ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛି ।

ଅନ୍ୟପଟେ ଛାତ୍ରୀ ମୃତ୍ୟୁକୁ ନେଇ କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତିକୁ ନେଇ ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦବେଗ ପରେ ପିଲାଙ୍କୁ ଜୋର୍ କରି ବିଦା କରିସାରିବା ପରେ ସେମାନଙ୍କୁ ଫେରିବାକୁ ଅପିଲ୍ କରିଛନ୍ତି କିଟ୍ କର୍ତ୍ତୃପକ୍ଷ । ଯେଉଁମାନେ ଯାଇଛନ୍ତି ବା ଯିବାକୁ ବସିଛନ୍ତି ଫେରିବାକୁ ନୋଟିସ୍ କରି କର୍ତ୍ତୃପକ୍ଷ ଅପିଲ୍ କରିବା ସହ କ୍ୟାମ୍ପସରେ ସ୍ଥିତି ସ୍ବାଭାବିକ ରହିବ ବୋଲି ନୋଟିସରେ ଦର୍ଶାଇଛନ୍ତି । ନେପାଳ ଛାତ୍ର କଟକ ଷ୍ଟେସନରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ପୁରୀ-ପାଟନା ଏକ୍ସପ୍ରେସର ଜେନେରାଲ ବଗିରେ ଯାଇଥିବା ସୂଚନା ମିଳିଛି ।

ରିଜର୍ଭେସନ ଟିକେଟ ନଥିବାରୁ ଜେନେରାଲ ବଗିରେ ଟିକେଟ କାଟି ନେପାଳ ଯାଇଥିବା କୁହାଯାଉଛି । ସେପଟେ କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲାରେ ସଂପକ୍ତ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ । ତା ନିଟକରୁ ଏକ ମୋବାଇଲ୍ ଫୋନ୍ ଏବଂ ଲ୍ୟାପଟପକୁ ଜବତ କରି ପୋଲିସ ତଦନ୍ତ କରୁଛି । ପଚରାଉଚରା ବେଳେ ନିଜ ଅପରାଧକୁ ସ୍ବୀକାର କରିଛି ଅଭିଯୁକ୍ତ ଲକ୍ଷ୍ନୌର ଆଦଭିକ୍ ଶ୍ରୀବାସ୍ତବ ।

ପୋଲିସ କହିବା ଅନୁସାରେ ଦୁଇ ବର୍ଷ ପୂୂର୍ବେ ମୃତ ଛାତ୍ରୀଙ୍କ ସହ ଚିହ୍ନା ଅଭିଯୁକ୍ତର ପରିଚୟ ହୋଇଥିଲା । ଆଦଭିକ୍ ଛାତ୍ରୀଙ୍କ ଅଗୋଚରରେ ନିଜ ମୋବାଇଲରେ ଫଟୋ ଏବଂ ଭିଡ଼ିଓ ବି ଉଠାଇ ରଖିଥିଲା । ସେହିପରି କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ମାମଲାକୁ ନେଇ କିଟ୍ ଅଧିନରେ ଥିବା IRO ବିଭାଗ ଦୁଇ ଦୁଇ ଥର ଆପୋଷ ସମାଧାନ ବି କରିଥିଲା । ତଥାପି ଅଭିଯୁକ୍ତ ସଂପୃକ୍ତ ଛାତ୍ରୀଙ୍କୁ ଦେଇଚାଲିଥିଲା ମାନସିକ ନିର୍ଯାତନା । ଗତକାଲି ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ହେବାରୁ ନିର୍ଯାତନା ସହିନପାରି ଶେଷରେ ନିଜ ରୁମରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ କହିଛି ।

ଅଧିକ ପଢ଼ନ୍ତୁ: KIITରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ବନ୍ଧା ହେଲା ବୟଫ୍ରେଣ୍ଡ୍

Odisha Nepal Student Suicides In Odisha KIIT University
Advertisment
Advertisment