• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପ୍ରାକ୍ ସ୍ୱାଧିନତାର ପରିକଳ୍ପନା ବଲାଙ୍ଗିର-ଖୋର୍ଦ୍ଧା ରେଲପଥ । ମାତ୍ର ସେଦିନର ପରିକଳ୍ପନା ଏଯାଏଁ ନେଇନି ବାସ୍ତବତାର ରୂପ । ଆର୍‌ଟିଆଇ ତଥ୍ୟରେ ସାମ୍ନାକୁ ଆସିଛି ଏହାର ବର୍ତ୍ତମାନର ସ୍ଥତି । ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ମାଗିଥିବା ଆର୍‌ଟିଆଇ ତଥ୍ୟ ଅନୁଯାୟୀ ପ୍ରକଳ୍ପର ତିନୋଟି ଯାକ ଫେଜ୍‌ରେ ଜଂଗଲ ଜମି ମଂଜୁରୀ ମିଳିନାହିଁ । ୧୧୨ କିଲୋମିଟରରୁ ୨୮୯ କିଲୋମିଟର ଭିତରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭିତରେ ହୋଇଥିବା ଫିଫ୍ଟି ଫିଫ୍ଟି ପ୍ରତିଶତର ଚୁକ୍ତି ଅବଧି ସରିଯାଇଛି ।

ଚୁକ୍ତି ଅନୁଯାୟୀ, ଦଶପଲ୍ଲାରୁ ବଲାଙ୍ଗିର ପର୍ଯ୍ୟନ୍ତ ୧୧୨ କିଲୋମିଟରକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବା ସହିତ, ଜମି ମାଗଣାରେ ଦେବେ ରାଜ୍ୟ ସରକାର । ଏବେ ପ୍ରକଳ୍ପର ଏଷ୍ଟିମେଟ ବଢି ୩ ହଜାର ୭୯୧ କୋଟି ୬୭ ଲକ୍ଷରେ ପହଞ୍ଚିଲାଣି ।

ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୫ରୁ ୨୦୨୧ ମସିହା ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ମାଣରେ ରେଳ ବିଭାଗ ସମୁଦାୟ, ୧ ହଜାର ୯୦ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ, ରାଜ୍ୟ ଦେଇଛି ମାତ୍ର ୪୮୩ କୋଟି ଟଙ୍କା । ଏପରିକି ୨୦୧୮-୧୯ ଓ ୨୦୧୯-୨୦ ମସିହାରେ, ରାଜ୍ୟ କୌଣସି ଅର୍ଥ ପ୍ରଦାନ କରିନାହିଁ । ଗତ ଦଶ ବର୍ଷରେ କେବଳ ବଜେଟ ଘୋଷଣାକୁ ଅନୁଧ୍ୟାନ କଲେ, ପ୍ରାୟ ୫ ହଜାର କୋଟି ଟଙ୍କାରୁ ଅଧିକ ରାଶି ଘୋଷଣା କରାଯାଇଥିବା ବେଳେ, ବାସ୍ତବରେ ଖର୍ଚ୍ଚ କରାଯାଇଛି, ମାତ୍ର ୧ ହଜାର ୩୪୪ କୋଟି ଟଙ୍କା ।

ତେବେ ୨୦୨୪ରେ ପ୍ରକଳ୍ପ ସରିବା ପାଇଁ ଟାର୍ଗେଟ ରଖାଯାଇଛି । କିନ୍ତୁ ଏବର୍ଷ ବଲାଙ୍ଗିର ପଟୁ ଆହୁରି ୧୦ କିଲୋମିଟର ଅଧିକ ରେଲଲାଇନ କାର୍ଯ୍ୟକ୍ଷମ ହେବା ପାଇଁ ଟାର୍ଗେଟ ରଖାଯାଇଥିଲା । ହେଲେ ସେତକ ବି ସରିଲା ନାହିଁ । 

ଚାରିଥର ସର୍ଭେ ପରେ, ୧୯୯୪-୯୫ ମସିହାରେ ବଲାଙ୍ଗିର-ଖୋର୍ଦ୍ଧା ରେଳପଥକୁ ମିଳିଥିଲା ମଂଜୁରୀ । ୨୭ ବର୍ଷ ପରେ ବି, ଜଂଗଲ ଜମିର ଷ୍ଟେଜ-୧ ଅନୁମତି ମିଳିନାହିଁ । ଗତ ୨୦୧୯ ମସିହା ଜାନୁଆରୀ, ୧୫ ତାରିଖରେ ବଲାଙ୍ଗିର ଗସ୍ତରେ ଆସି ବଲାଙ୍ଗିରରୁ ବିଛୁପାଲି ପର୍ଯ୍ୟନ୍ତ ୧୯ କିଲୋମିଟର ରେଳ ଚଳାଚଳର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ୪ ମାସ ତଳେ, କେନ୍ଦ୍ର ରେଲମନ୍ତ୍ରୀ ବଲାଙ୍ଗିର ଗସ୍ତରେ ଆସି ଖୋଲାଖୋଲି ଘୋଷଣା କରିଥିଲେ, ପ୍ରତିଦିନ ପ୍ରତି ମୂହୁର୍ତ୍ତରେ ଏ ପ୍ରକଳ୍ପକୁ ମନିଟର କରାଯିବ । କାଗଜରେ ନୁହେଁ, କାମରେ ଦେଖିବେ ବୋଲି ପ୍ରତିଶୃତି ଦେଇଥିଲେ କେନ୍ଦ୍ର ରେଲମନ୍ତ୍ର ଅଶ୍ୱିନୀ ବୈଷ୍ଣବ । ତେବେ ବର୍ତ୍ତମାନ ମିଲିଥିବା ସୂଚନା ଅନୁଯାୟୀ, କାମରେ ସେଭଳି କିଛି ଅଗ୍ରଗତି ହୋଇନାହିଁ । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।