• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ରାଜନୀତି ପଶାପାଲିରେ ପଛୁଆବର୍ଗ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରୁ ବାଦ୍ ପଡିବା ଦେବା ପରେ ତେଜିଛି ରାଜନୀତି । ମୁହାଁମୁହିଁ ବିଜେପି-ବିଜେଡି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ରାଜ୍ୟ ସରକାରଙ୍କୁ ନିଶାନା କରିଥିବା ବେଳେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ତାର କାଉଣ୍ଟର କରିଛନ୍ତି । ସେହିପରି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମଳନୀ କରାଯାଇ ରାଜ୍ୟ ସରକାର ପଛୁଆବର୍ଗକୁ ଅବହେଳା କରୁଥିବା ଅଭିଯୋଗ କରିଛି ।

ପଞ୍ଚାୟତ ନିର୍ବାଚନ ଓବିସି ସଂରକ୍ଷଣ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଦୁଇ ଦଳ ଭିତରେ ଆରୋପ-ପ୍ରତ୍ୟାରୋପ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ  ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଟୁଇଟର୍ ଓ୍ୱାର୍ । ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ପଛୁଆବର୍ଗଙ୍କ ସଂରକ୍ଷଣ କଟିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି ସରକାର ଓବିସି ସଂରକ୍ଷଣ ବିରୋଧୀ । ସଂରକ୍ଷଣ ସୁନିଶ୍ଚିତ କରିବା ନେଇ ଆଇନଗତ ଓ ଯୁକ୍ତିସଙ୍ଗତ ପଦକ୍ଷେପ ନେଉନାହାନ୍ତି ।

ମଧ୍ୟ୍ୟପ୍ରଦେଶ ସରକାର ସୁପ୍ରିମକୋର୍ଟରେ ରିଭ୍ୟୁପିଟିସନ୍ କରିବାକୁ ଯାଉଥିବା ବେଳେ ଓଡିଶା ସରକାର କାହିଁକି ଆବେଦନ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଧର୍ମେନ୍ଦ୍ରଙ୍କ ଟୁଇଟ୍‌ର ଜବାବ୍ ଦେଇଛନ୍ତି ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ । ମଧ୍ୟପ୍ରଦେଶରେ ବିଜେପି ସରକାରରେ ଥିଲେ ମଧ୍ୟ କାହିଁକି ଓବିସିଙ୍କୁ ସଂରକ୍ଷଣ ଦେଇପାରିଲା ନାହିଁ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ସେହିପରି କେନ୍ଦ୍ରରେ ବିଜେପି ସାଢ଼େ ସାତ ବର୍ଷ ଧରି ଶାସନ ଗାଦିରେ ଥିଲେ ମଧ୍ୟ ପଛୁଆବର୍ଗ ସଂରକ୍ଷଣ ଲାଗି କାହିଁକି ଆଇନ ଆଣି ନାହିଁ ବୋଲି ପଚାରିଛନ୍ତି ପ୍ରଣବ । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ପଛୁଆ ବର୍ଗ ପ୍ରାର୍ଥୀଙ୍କୁ ୪୦ରୁ ୫୦ ପ୍ରତିଶତ ଆସନ ଦେବ । ତେଣୁ ବିଜେପି ତାଙ୍କୁ ଅନୁସରଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

ପଛୁଆବର୍ଗ କମିଶନ ଓବିସିଙ୍କ ସଂପର୍କରେ ବିସ୍ତୃତ ତଥ୍ୟ ଦେବା ପରେ ସଂରକ୍ଷଣ ମିଳିବ ବୋଲି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ତେବେ କମିଶନ ଗଠନର ଦୁଇ ବର୍ଷ ପରେ ବି କାହିଁକି ସର୍ଭେ ହୋଇନଥିଲା ତାକୁ ନେଇ ଉଠିଛି ପ୍ରଶ୍ନ । ୨୦୨୦ ଫେବ୍ରୁଆରୀରେ ପଛୁଆ ବର୍ଗ କମିଶନ ଗଠନ କରାଯାଇଥିଲା ବେଳେ ଜଷ୍ଟିସ ରଘୁନାଥ ବିଶ୍ୱାଳ ଏହାର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ । ୨୦୨୧ ମାର୍ଚ୍ଚରେ କମିଶନ୍‌ଙ୍କ ନୂଆ ଅଫିସ୍ କାର୍ଯ୍ୟକ୍ଷମ ହୋଇଥିଲା । କମିଶନରେ ଅନ୍ୟ ଦୁଇ ସଦସ୍ୟ ଥିବା ବେଳେ ଅଫିସ ଷ୍ଟାଫ୍ ବି ନିଯୁକ୍ତି ହୋଇଛନ୍ତି । ଏହାସତ୍ତ୍ୱେ ମଧ୍ୟ ସର୍ଭେ ଆରମ୍ଭ ହୋଇନଥିବାରୁ ପଛୁୁଆ ବର୍ଗ ମଧ୍ୟରେ ଅସନ୍ତୋଷ ତେଜିଛି ।