ବିନିକା( ଦିଲ୍ଲୀପ କୁମାର ସାହୁ) : ପରିଣତ ବୟସରେ ଥକି ପଡ଼ିନାହାନ୍ତି । ସ୍ୱାଭିମାନ ଆଗରେ ହାର ମାନିଛି ବୟସ । ହାତ ଗୋଡ଼ ଥରୁଛି । ତଥାପି ଅନ୍ୟ ଉପରେ ନିର୍ଭରଶୀଳ ନୁହଁନ୍ତି, କି କା ଆଗରେ କେବେ ହାତ ପାତି ନାହାନ୍ତି । ଅନବରତ କାମରେ ଲାଗିଛନ୍ତି । ବୟସର ସାୟାହ୍ନରେ ଗୁଜୁରାଣ ମେଣ୍ଟାଇବା ପାଇଁ ନିଜେ ଖଟୁଛନ୍ତି ବିନିକାର ଦୁଃଖୁ ସାହୁ । ଏ ବୟସରେ ବି ତାବିଜ, କଡି, ଡେଉଁରିଆ ତିଆରି କରୁଛନ୍ତି । ଆଉ ଗାଁ ଗାଁ, ସାହି ସାହି ସାଇକେଲରେ ବୁଲି ତାବିଜ, ବିକୁଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ୬ ନମ୍ବର ୱାର୍ଡ ଦଣ୍ଡସେନାପଡାର ଦୁଃଖୁ ସାହୁ । ଲୁଚାକୁଚା ମୁହଁକୁ ଦେଖିଲେ ଜଣାପଡ଼ୁଛି, ବୟସ ତାଙ୍କର ୮୦ରୁ ଅଧିକ । ଦୀର୍ଘ ୫ ବର୍ଷ ହେଲା ତାଙ୍କ ସ୍ତ୍ରୀ ବିନୋଦିନୀ ପାରାଲିସିସ୍ ରୋଗରେ ପୀଡିତ ହୋଇ ଆରପାରିକୁ ଚାଳିଗଲା ପରେ ଏକୁଟିଆ ଜୀବନ ଜିଉଁଛନ୍ତି । ଅଣ୍ଟା ନଇଁ ଗଳାଣି । ଆଖିକୁ ଭଲରେ ଦିଶୁନି । ଚାଳିବାକୁ ଆଉ ବଳ ବି ପାଉନି । ଏ ସବୁ ସତ୍ୱେ ମଧ୍ୟ ଅଣ୍ଟା ସଳଖାଇ ସ୍ୱାବଳମ୍ବୀ ହେବାପାଇଁ ଚେଷ୍ଟା କରୁଛନ୍ତି ।
ଭଙ୍ଗାଦଦରା ଘରେ ରହି ତମ୍ବାର ତାବିଜ, କଡି ଓ ଡଉଁରିଆ ତିଆରି କରୁଛନ୍ତି । କେବଳ ଯେ ଏଇ ସବୁ ଜିନିଷ ତିଆରି କରୁଛନ୍ତି, ତା’ନୁହଁ ସାଇକେଲରେ ବିନିକା ସହରଠୁ ଆରମ୍ଭ କରି ବୀରମହାରାଜପୁର,ଉଲୁଣ୍ଡା,ସୋନପୁର,ବଳାଗିଂର ଓ ବୌଦ୍ଧକୁ ଯାଇ ଦୋକାନ ବଜାର ଘରଘର ବୁଳି ବିକ୍ରି କରୁଛନ୍ତି । ବର୍ତ୍ତମାନ ବଜାରରେ ଅନେକ କମ୍ପାନୀ ଜିନିଷ ଉପଲବ୍ଧ । ତଥାପି ଏଇ ବେଉସାକୁ ଛାଡୁ ନାହାନ୍ତି ଦୁଃଖୁ । ବୁଢ଼ା ବୟସରେ ନିଜେ ସ୍ୱାବଳମ୍ବୀ ହୋଇ ବଂଚିବାକୁ ଚେଷ୍ଟା କରୁଛନ୍ତି ।
ସ୍ତ୍ରୀ ଚାଳିଗଲା ପରେ ଏକୁଟିଆ ହୋଇଯାଇଛନ୍ତି ଦୁଃଖୁ । ହେଲେ କାହା ପାଖରେ ହାତ ନ ପତାଇ ସେ ତାଙ୍କ ବଳକା ଜୀବନ ଜୀଇଁବାକୁ ଚେଷ୍ଟା କରୁଛନ୍ତି । ପରିଣତ ବୟସରେ ଅଣ୍ଟା ସିନା ବଙ୍କା ହୋଇଯାଇଛି , ହେଲେ ସ୍ୱାଭିମାନକୁ ଜଗି କାହାର ଆଶ୍ରାରେ ବଂଚି ନାହାନ୍ତି ସେ । ଏଥିପାଇଁ ଦୁଃଖୁ ମଉସାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି ।
Also Read
ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିଲେ ବି ସରକାରଙ୍କ ଠାରୁ ୭ ଶହ ଟଙ୍କ ଭତ୍ତା ପାଇବା ବଦଳରେ ସେ ମାତ୍ର ୫ ଶହ ଟଙ୍କା ଭତ୍ତା ପାଉଛନ୍ତି । ଏପର୍ଯ୍ୟନ୍ତ ପକ୍କାଘର, ଜମିପଟ୍ଟା ଆଦି ସରକାରଙ୍କ ଅନେକ ଯୋଜନାରୁ ବଞ୍ଚିତ ରହିଛନ୍ତି । ତେବେ ନିଜେ ଯାହା ରୋଜଗାର କରୁଛନ୍ତି, ତାହା ତାଙ୍କ ପାଇଁ ଯଥେଷ୍ଟ ନୁହେଁ । ସରକାର କିଛି ସାହାଯ୍ୟ କଲେ ବାକି ଜୀବନ ଭାବରେ ବିତାଇ ପାରନ୍ତେ ।
ଅପରପକ୍ଷରେ ଏନେଇ ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଭତ୍ତା ପାଇଁ ବୟସ ସାର୍ଟିପିକେଟ ଦେବାପାଇଁ ପଡିବ ବୋଲି କହିଛନ୍ତି । ସେହିପରି ଘର ପାଇଁ ଆମେ ଇନକ୍ୱାରୀ କରାଯିବ, ଯଦି ସେ ଯୋଗ୍ୟ ହିତାଧିକାରୀ ବିବେଚିତ ହେବେ, ତାହାହେଲା ଘର ଦେବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ।