• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମଣ୍ଡି ବନ୍ଦ, ଟୋକନ ଲାପ୍ସ ଧାନ ବିକି ନପାରି ନାହିଁନଥିବା ହୀନସ୍ତା ହେଉଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ଚାଷୀ । ଏବେ ବି ରାସ୍ତାକୁ ଆସି ଆନ୍ଦୋଳନ କରୁଛନ୍ତି । ତଥ୍ୟ କହୁଛି ଏବର୍ଷ ଏଭଳି ଚାଷୀଙ୍କ ସଂଖ୍ୟା ପ୍ରାୟ ଅଢ଼େଇ ଲକ୍ଷ । ସ୍ଥିତି ଏଭଳି ଯେ ଟଙ୍କା ଅଭାବରୁ କିଏ ଚିକିତ୍ସା କରିପାରୁନି ତ କିଏ ଝିଅ ବାହାଘର କରିପାରୁନି । ଏହି ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିବାବେଳେ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟାରୁ କିନ୍ତୁ ଆଉ ଧାନ ନଉଠିବା ନେଇ ସ୍ପଷ୍ଟ ସଙ୍କେତ ମିଳିଛି ।

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅଞ୍ଚଳର ଦିବ୍ୟାଙ୍ଗ ଚାଷୀ ବିଶ୍ୱଜିତ୍ ମିସ୍ତ୍ରୀ ଧାନ ବିକି ଟଙ୍କା ଯୋଗାଡ଼ କଲେ । ଗୋଡ଼ ଅପରେସନ ହେବ । ହେଲେ ୟା ଭିତରେ ଡାକ୍ତର ଦେଇଥିବା ତାରିଖ ଗଡ଼ିଯିବାର ୨ମାସ ବିତି ସାରିଲାଣି କିନ୍ତୁ ଅପରେସନ ହୋଇପାରିଲାନି । କାରଣ ଧାନ ସେମିତି ଘରେ ପଡ଼ି ରହିଛି । ଜାନୁଆରୀ ୨୩ରେ ମଣ୍ଡିରୁ ଧାନ ଉଠିବା କଥା, କିନ୍ତୁ ଟୋକନ ଲାପ୍ସ ହୋଇଯାଇଥିବା କହି ମଣ୍ଡି କର୍ତ୍ତୃପକ୍ଷ ତାଙ୍କୁ ଫେରାଇ ଦେଉଛନ୍ତି ।

ଏଣେ ବାଡ଼ିରେ ଧାନ ସେମିତି ଜରି ଘୋ଼ଡ଼ା ହୋଇ ପଡ଼ି ରହିଛି । ବିଶ୍ୱଜିତଙ୍କ ଭଳି ସ୍ଥାନୀୟ ଅଞ୍ଚଳର ଅନେକ ଚାଷୀଙ୍କ ସମଦଶା, ଶୀଘ୍ର ଧାନ ଉଠାଇବା ଦାବିରେ ଗାରେଡ଼ିପାଞ୍ଚଣ ସେବା ସମବାୟ ସମିତି ଆଗରେ ଚାଲିଛି ନିରବ ଧାରଣା । ସମିତିର ସଂପାଦକ ବି ସ୍ୱୀକାର କରୁଛନ୍ତି, ଟୋକନ୍ ଲାପ୍ସ କରିଯିବାରୁ ୬ହଜାର ୨ଶହ କ୍ୱିଣ୍ଟାଲ ଧାନ କିଣାଯାଇନାହିଁ । କେବେ କିଣାଯିବ ସେ ଖବର ତାଙ୍କ ପାଖେ ମଧ୍ୟ ନାହିଁ ।

 

ସେମିତି ଟୋକନ୍ ଅବଧି ସରିଯିବା ପରେ ଘରେ ଧାନ ଥୋଇ ହୀନସ୍ତା ହେଉଛନ୍ତି ନିଶ୍ଚିନ୍ତକୋଇଲି ବ୍ଲକ ବଡ଼ଫତେପୁର ଗାଁର ରଜନୀକାନ୍ତ ନାୟକ । ଲାପ୍ସ ଟୋକନ୍‌ର ପ୍ରମାଣ ଦେଖାଇଛନ୍ତି ରଜନୀକାନ୍ତ ହେଲେ ଉପାୟ କଣ? ଘରେ ପାଖାପାଖି ୫୦ବସ୍ତା ଧାନ ପଡ଼ିରହିଛି । ଧିରେ ଧିରେ ସେଥିରେ ପୋକ ଲାଗି ଗଲେଣି ମଣ୍ଡି ଉପରେ ଭରସା ତୁଟିବା ପରେ ଉପାୟଶୂନ୍ୟ ହୋଇ ଦଲାଲଙ୍କୁ ଶାଗମାଛ ଦରରେ ଧାନ ବିକିବାକୁ ମନ ବଳାଇଲେଣି । 

ସେମିତି ଗଂଜାମ ତେନ୍ତୁଳିଆପଲ୍ଲୀ ଗାଁରେ ଏମିତି କିଛି ଚାଷୀଙ୍କୁ ଭେଟିଥିଲୁ, ଯାହାଙ୍କ ଘରେ ଧାନ ଥାକ ମରା ହୋଇଛି ହେଲେ ବିକ୍ରି ହୋଇପାରୁ ନଥିବାରୁ ଟଙ୍କା ଆସୁନି ତ ଝିଅ ବାହାଘର ହୋଇପାରୁନି । ଟୋକନ ରିନ୍ୟୁ ଦାବିରେ କିଛି ଦିନ ତଳେ ଖଲ୍ଲିକୋଟରେ ଏମିତି ରାସ୍ତା ଉପରେ ଧାନବସ୍ତା ରଖି ଆନ୍ଦୋଳନ କରିଥିଲେ ଚାଷୀ । ହେଲେ ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି ।

ଟୋକନ ପାଇ ବି ଚାଷୀ ଧାନ ବିକ୍ରି କରିନପାରି ହୀନସ୍ତା ହେଉଥିବାର ମାଳ ମାଳ ଚିତ୍ର ସାମ୍ନାକୁ ଆସୁଛି । ଏମିତିକି ଯୋଗାଣ ବିଭାଗର ତଥ୍ୟ ଅନୁସାରେ- ଏବର୍ଷ ୧୫ଲକ୍ଷ ୪୩ହଜାରରୁ ଅଧିକ ଚାଷୀ ଧାନ ବିକିବାକୁ ଟୋକନ ପାଇଥିଲେ ବି ୨ଲକ୍ଷ ୪୯ ହଜାରରୁ ଅଧିକ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି । ଯାହାକୁ ନେଇ ତେଜିଛି ରାଜନୀତି । ଧାନ କେବେ ଉଠିବ, ଯୋଗାଣ ମନ୍ତ୍ରୀଙ୍କଠୁ ଚାଷୀ ସିଧାସଖଳ ଉତ୍ତର ଚାହୁଁଥିବାବେଳେ, ଏ ନେଇ କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ସମୟ କି ତାରିଖ ସମ୍ପର୍କରେ ସୂଚନା ନଦେଇ ବରଂ ଯେଉଁ ସବୁ ସ୍ଥାନରେ ମଣ୍ଡିରେ ଧାନ ଉଠିବାରେ ବିଳମ୍ବ ହୋଇଛି । ସେଠିକାର କର୍ମଚାରୀଙ୍କ ବିରୋଧରେ ଆକ୍ସନ ହେଉଥିବା କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।