• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶେଷ ହେଲା କଟକ ଡେପୁଟି ମେୟର ଏବଂ ରାଜ୍ୟର ୧୦୫ ପୌର ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ଅଧାରୁ ଅଧିକ ସ୍ଥାନରେ ପୌର ଉପାଧ୍ୟକ୍ଷ ପଦବୀ ବିଜେଡି ଖାତାକୁ ଯାଇଛି ସତ, କିନ୍ତୁ କେଉଁଠି ସଂଖ୍ୟା ଖେଳରେ ସଂକଟରେ ପଡ଼ି ବିଜେଡି ମାଟି କାମୁଡ଼ିଛି ତ ଆଉ କେଉଁଠି କାଳ ହୋଇଛି ଦଳୀୟ କାଉନସିଲରଙ୍କ କ୍ରସ୍ ଭୋଟିଂ ।

ପାରାଦୀପରେ ବିଜେଡିର କ୍ରସ୍ ଭୋଟିଂ ହୋଇଥିବା କୁହାଯାଉଛି । ଏସବୁ ଭିତରେ ଏବେ ଚର୍ଚ୍ଚାରେ କଟକର ନବ ନିର୍ବାଚିତ ଡେପୁଟି ମେୟର ଦମୟନ୍ତୀ ମାଝୀ । କାରଣ ବସ୍ତିରୁ ଯାଇ ଡେପୁଟି ମେୟର ବନିଛନ୍ତି ଦମୟନ୍ତୀ ।

ଜଗତସିଂପୁର, ପାରାଦୀପ, ରେଢ଼ାଖୋଲ, ଖରିଆର୍ । ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀଙ୍କ ଚକ୍‌ମା । ସଂଖ୍ୟା ଦୃଷ୍ଟିରୁ ବିଜେଡିର ଅଧିକ କାଉନସିଲର୍ ଥିଲେ ବି ଏସବୁ ସ୍ଥାନରେ ମ୍ୟାଜିକ୍ ନମ୍ବରକୁ ଛୁଇଁ ପାରିନି । ସେହି ଜାଗାରେ ବିଜେଡିକୁ ଝଟ୍‌କା ଲାଗିଛି । ଫଳରେ କେଉଁଠି ସ୍ୱାଧୀନ ତ କେଉଁଠି ବିଜେପି ତ ଆଉ କେଉଁଠି କଂଗ୍ରେସ ଖାତାକୁ ଯାଇଛି ପୌର ଉପାଧ୍ୟକ୍ଷ ପଦବୀ । ଜଗତସିଂହପୁର ମ୍ୟୁନିସିପାଲିଟିରେ ପୌର ଉପାଧ୍ୟକ୍ଷ ପଦ ହାତେଇଛି ବିଜେପି । ଦଳର ୨ କାଉନ୍‌ସିଲର ଥିଲେ ବି କଂଗ୍ରେସ ଓ ସ୍ୱାଧୀନ ସମର୍ଥନରେ ଏହା ସମ୍ଭବ ହୋଇଛି । ପରିଣାମ ସ୍ୱରୂପ ୧୦ଟି ଭୋଟ୍ ହାତରେ ଥିଲେ ବି ବିଜେଡିକୁ ନିରାଶ ହେବାକୁ ପଡ଼ିଛି ଏହି ପୌରାଞ୍ଚଳରେ ।

 

ପାରାଦୀପ ପୌରାଞ୍ଚଳରେ ତ ବିଜେଡିକୁ ଲାଗିଛି ସର୍ଖେଲ ଝଟ୍‌କା । ଏଠି ବାପି ସର୍ଖେଲଙ୍କ ଗୋଷ୍ଠୀର ସ୍ୱାଧିନ ସଦସ୍ୟା ଛବିଲତା ରାଉତ ଉପାଧ୍ୟକ୍ଷ ବନିଛନ୍ତି । ଚର୍ଚ୍ଚା ହେଉଛି ଏଠାରେ ବିଜେଡିର କ୍ରସ୍ ଭୋଟିଂ ହୋଇଛି । କାରଣ ଛବିଲତାଙ୍କୁ ୧୦ଟି ମିଳିଥିବା ବେଳେ ପ୍ରତିପକ୍ଷ ବିଜେଡିର ୭ କାଉନସିଲର୍ ଥିଲେ ବି ପ୍ରଭାତି ନାୟକଙ୍କୁ ମିିଳିଛି ମାତ୍ର ୬ଟି ଭୋଟ୍ । ଅର୍ଥାତ ବିଜେଡିର ଜଣେ କାଉନସିଲର କ୍ରସ୍ ଭୋଟିଂ କରିଥାଇପାରନ୍ତି । ତେବେ ବିଜେଡି ଏଜେଣ୍ଟ ଦେଇନଥିବାରୁ କିଏ କ୍ରସ୍ ଭୋଟିଂ କଲେ, ତାହା ସ୍ପଷ୍ଟ ହୋଇପାରିନି ।

ରେଢ଼ାଖୋଲରେ ପୌର ଉପାଧ୍ୟକ୍ଷ ପଦବୀ ହାତେଇବାକୁ କେତେ କଳ, ବଳ, କୌଶଳ ଖଟାଇଥିଲା ଶାସକ ବିଜେଡି । କାରଣ ଏଠି ବିଜେପିର ୬, ବିଜେଡିର ୬ ଓ କଂଗ୍ରେସର ଜଣେ କାଉନ୍‌ସିଲର ଅଛନ୍ତି । ଶେଷ ମୁହୁର୍ତ୍ତରେ କାଳେ ଖେଳ ଓଲଟପାଲଟ ହୋଇଯାଇ ପାରେ, ସେହି ଆଶଙ୍କାରେ ଲାଗିପଡ଼ିଥିଲା ଶାସକ ଦଳ । କିନ୍ତୁ ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା । କଂଗ୍ରେସ ସମର୍ଥନରେ ବାଜିମାରି ନେଲେ ବିଜେପିର ଅନୁସୟା ପ୍ରଧାନ । ଧର୍ମଗଡ଼, ଜୁନାଗଡ଼, ଟିଟିଲାଗଡ଼ ଭଳି କିଛି ପୌରାଞ୍ଚଳରେ ପୌରାଧ୍ୟକ୍ଷ ପଦବୀ ବିଜେପି ଦଖଲରେ ଥିଲେ ବି ପୌର ଉପାଧ୍ୟକ୍ଷ ଆସନକୁ କବ୍‌ଜା କରିଛି ବିଜେଡି ।

ସେହିଭଳି ଟଣାଓଟରା ସ୍ଥିତି ଥିବା ଉଦଳାରେ ଅଧ୍ୟକ୍ଷ ପଦ ବିଜେପିର ଥିଲା, ଉପାଧ୍ୟକ୍ଷ ବିଜେଡି ହାତକୁ ଯାଇଛି । ଦଶପଲ୍ଲାରେ ସ୍ୱାଧୀନ ପ୍ରାର୍ଥୀ ଅଧ୍ୟକ୍ଷା ଥିବାବେଳେ ଉପାଧ୍ୟକ୍ଷ ପଦ ବିଜେଡି ଖାତାକୁ ଯାଇଛି । ଅପରପକ୍ଷେ କୋଟପାଡ଼ରେ କଂଗ୍ରେସ ଅଧ୍ୟକ୍ଷ ଥିଲେ ବି ସ୍ୱାଧୀନ ସଦସ୍ୟା ଏମ୍.ସନ୍ତୋଷୀ ହୋଇଛନ୍ତି ଉପାଧ୍ୟକ୍ଷ ।

ଆଜି ୧୦୫ ପୌରାଞ୍ଚଳରେ ଉପାଧ୍ୟକ୍ଷ ଓ କଟକ ମହାନଗରରେ ଡେପୁଟୀ ମେୟର ନିର୍ବାଚନ ହୋଇଥିଲା । ତେବେ ଭୋଟଦାନ ନିୟମକୁ ବିରୋଧ କରି କଂଗ୍ରେସ ଓ ବିଜେପି କର୍ପୋରେଟର କକ୍ଷତ୍ୟାଗ କରିଥିଲେ । ଏହାପରେ ଏକମାତ୍ର ପ୍ରାର୍ଥୀ ଜଗତପୁର ବାଲିସାହି ବସ୍ତିର ଦମୟନ୍ତୀ ବାଜି ମାରିନେଇଛନ୍ତି । ସେହି ଆଦିବାସୀ ଯୁବତୀ, ଯାହାଙ୍କ ଜୀବନ କଟେ ଭଙ୍ଗା କୁଡ଼ିଆ ତଳେ । ୫ ବର୍ଷ ତଳେ ବାପାଙ୍କ ଦେହାନ୍ତ ପରଠୁ ମାଆ ଦିନ ମଜୁରିଆ ସାଜି ଦମୟନ୍ତୀଙ୍କ ସହ ୩ ପିଲାଙ୍କୁ ଉଚ୍ଚଶିକ୍ଷିତ କରିଛନ୍ତି । ୨୧ ବର୍ଷିୟା ଦମୟନ୍ତୀ ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଏମ୍‌କମ୍ ଛାତ୍ରୀ । ସିଏମ୍‌ସି ନିର୍ବାଚନରେ ବିପୁଳ ଭୋଟ୍ ପାଇ କର୍ପୋରେଟର ଭାବେ ବିଜୟୀ ହୋଇଥିଲେ । ଏବେ ସେ ବନିଛନ୍ତି ଡେପୁଟୀ ମେୟର । ଅନ୍ୟପଟେ ୮ ତାରିଖରେ ବ୍ରହ୍ମପୁର ଓ ୯ ତାରିଖରେ ଭୁବନେଶ୍ୱରରେ ହେବ ଡେପୁଟି ମେୟର ନିର୍ବାଚନ ।