• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସବୁ ଖୋଲାଥିଲା, କେହି ଅଟକେଇଲେନି । ରୋଷଶାଳାରେ ଜଗା ଚୁଲି ଭଙ୍ଗା ଅଭିଯୁକ୍ତ ଜଗନ୍‌ର ଏଭଳି ବୟାନ ଶ୍ରୀମନ୍ଦିର ସୁରକ୍ଷା ବଳୟରେ ଥିବା ଛିଦ୍ରକୁ ବଡ଼ ଘଳିଆରେ ବଦଳାଇ ଦେଇଛି । ଏହାପରେ ଚୋର ଗଲା ପରେ ବୁଦ୍ଧି ଦିଶିଲା । ଏବେ ସବୁ କଡ଼ାକଡ଼ି, ଗେଟ୍ ପାଖରେ କଡ଼ା ଯାଞ୍ଚ, ଭକ୍ତଙ୍କ ଉପରେ କଡ଼ା ନଜର ।

ହେଲେ ଜଗନ୍‌ର ରୋଷଘର କାଣ୍ଡ ଛାଡ଼ିଯାଇଥିବା ସୁରକ୍ଷା ସଂପର୍କିତ ଅନେକ ପ୍ରଶ୍ନକୁ ନେଇ ଚିନ୍ତିତ ଶ୍ରୀକ୍ଷେତ୍ରବାସୀ । ସେବାୟତଙ୍କ କହିବା କଥା ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ରଖିବାକୁ ହେଲେ ୧୨୦ଟି ସିସିଟିଭିର ଆବଶ୍ୟକତା ଅଛି । ହେଲେ ଏବେ ସୁଦ୍ଧା ଯେତିକି ସିସିକ୍ୟାମେରା ଲାଗିଛି ସେଥିରୁ ମାତ୍ର ୧୧ଟି କାମ କରୁଛି । ସେସବୁର ପୁଣି ମନିଟରିଂ ହେଉନାହିଁ । ସେହିପରି ଠିକଣା ଢଙ୍ଗରେ ଶ୍ରୀମନ୍ଦିର ଭିତର ଶୋଧ କରାଯାଉନି । ଯାହାର ଫଳ ହେଉଛି ଜଗନ୍ କାଣ୍ଡ ।

ତେବେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ୨୦୦୪ ମସିହାରେ ସୁରକ୍ଷା ପ୍ରଶାସକ ପଦବିରେ ଜଣେ ଅତିରିକ୍ତ ଏସ୍‌ପି ପାହ୍ୟାର ଅଫିସରଙ୍କୁ ନିଯୁକ୍ତି ଦେଇଥିଲେ । ହେଲେ ସେ କଣ କରୁଛନ୍ତି, ତାଙ୍କ ଦାୟିତ୍ୱ କଣ ବୋଲି ପ୍ରଶ୍ନ ଉଠାଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ସେହିପରି ରୋଷଘର ପ୍ରଥମ ଗେଟ୍‌ରେ ତାଲା ପଡୁ ନଥିବାରୁ ଏଭଳି କାଣ୍ଡ ଘଟିଛି । ଏନେଇ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କହିଛି ସୁଆର ମହାସୁଆର ନିଯୋଗ । ସେପଟେ ଜିଲ୍ଲାପାଳ କହିଛନ୍ତି ଶ୍ରୀମନ୍ଦିରର ଆବଶ୍ୟକ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଖୁବ୍ କମ ଦିନରେ କରାଯିବା ନେଇ ପ୍ରଚେଷ୍ଟା କରାଯାଉଛି ।

 

ତେବେ ଶ୍ରୀମନ୍ଦିର ପାଇଁ ବଡ଼ ବଡ଼ ଡିଣ୍ଡିମପିଟା କାର୍ଯ୍ୟକ୍ରମ ସତ୍ତ୍ୱେ ମହାପ୍ରଭୁଙ୍କ ସୁରକ୍ଷା ବ୍ୟବସ୍ଥାରେ ଏତେବଡ଼ ଅବହେଳା ବିସ୍ମୟ ସୃଷ୍ଟି କରିଛି । ହେଲେ ରୋଷଶାଳାରେ ଚୁଲି ଭଙ୍ଗାକାଣ୍ଡ ପାଇଁ କେବଳ ଅଭିଯୁକ୍ତ ଜଗନ୍‌କୁ ଗିରଫ କରିଦେଇ ପ୍ରଶାସନ ଚୁପ୍ ବସୁଛି, ନା ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେଉଛି, ତା ଉପରେ ସାରା ଓଡ଼ିଶାବାସୀଙ୍କ ନଜର ।